ବେତନଟୀ ସଦର: ଏକ ଦୀର୍ଘବର୍ଷ ପୁରୁଣା ଘରେ ଚାଲିଥିବା ୧୦୦ ବର୍ଷ ପୁରୁଣା ବୈଶିଙ୍ଗା ଡାକ୍ତରଖାନାର ଉନ୍ନତୀକରଣ ନେଇ ନୂତନ ଗୃହ ନିର୍ମାଣ ଚାଲିଥିବାବେଳେ, ଏହାର ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ଉଠିଛି ପ୍ରଶ୍ନ। ପଦାରେ ପଡୁଛି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅଲିଖିତ ମଧୁଚନ୍ଦ୍ରିକା। ପୁଣି ଆଗକୁ ନିମ୍ନମାନର କାମକୁ ନେଇ ନୂତନ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ଓ ସ୍ଥାୟୀତ୍ବ କୁନେଇ ଏବେଠୁ ଉଠିଲାଣି ପ୍ରଶ୍ନ। ତେବେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସ୍ଥିତ ପୁରୁଣା ଚିକିତ୍ସାଳୟ ପାଇଁ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ନୂତନ ବିଲ୍ଡିଙ୍ଗ। ଯଦିଓ ଟେଣ୍ଡର ମାଧ୍ୟମରେ ଠିକାନେଇ ନିର୍ମାଣକାର୍ଯ୍ୟ କରୁଛନ୍ତି ଠିକାଦାର। ମାତ୍ର କାମରମାନ ତଦାରଖ ଦାୟିତ୍ଵ ତୁଲାଉଛନ୍ତି ବିଭାଗୀୟ ସରକାରୀ ଯନ୍ତ୍ରୀ। କିନ୍ତୁ ବିଭାଗୀୟଯନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀମାନଙ୍କ ପିସି ଲୋଭ ପାଇଁ ନିର୍ମାଣାଧୀନ କାର୍ଯ୍ୟକୁ ଅଣଦେଖା କରିଥିବାରୁ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସରକାରଙ୍କ ଉଦ୍ଦେଶ୍ୟ, ଆଭିମୁଖ୍ୟ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପୂରଣରେ ବିଫଳ ହେଉଥିବା ନଜରକୁ ଆସୁଛି ବୋଲି ଅଭିଯୋଗ ହେଉଛି।

Advertisment

ସୂଚନା ଅନୁଯାଇ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ୧୦୦ବର୍ଷର ପୁରୁଣା ବୈଶିଙ୍ଗା ଡାକ୍ତରଖାନାର ଉନ୍ନତୀକରଣ ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଶି ଜାତୀୟ ସ୍ୱାସ୍ଥ୍ୟ ମିସନ (ଏନଏଚଏମ)ଜରିଆରେ ମୋଟ ୫କୋଟି ୯ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର କରିଥିବାବେଳେ ସେଥିରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଅର୍ଥରାଶିରେ ନୂତନ ଡାକ୍ତରଖାନା ଗୃହ ନିର୍ମାଣ, ପ୍ରସୂତି ଗୃହ ନିର୍ମାଣ, ପାଚେରୀ ନିର୍ମାଣ, କର୍ମଚାରୀଙ୍କ ପାଇଁ କ୍ୱାର୍ଟର ନିର୍ମାଣ ଓ ପୁରୁଣା ଗୃହର ମରାମତି କରାଯିବାର ଅଛି। ସେଥି ମଧ୍ୟରୁ ପ୍ରଥମେ ୨କୋଟି ଟଙ୍କାର ଡାକ୍ତରଖାନା ଗୃହ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇ ଜଣେ ଠିକାଦାରଙ୍କୁ ଉକ୍ତ କାମ କରିବାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଠିକାଦାର ତାଙ୍କ ଇଛା ଅନୁସାରେ ମନମାନି କରୁଥିବାର ଦେଖିବାକୁ ମିଳୁଛି।

ପ୍ରଥମତଃ ଏହି କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ବିନା ସୂଚନା ଫଳକରେ କାର୍ଯ୍ୟ ହେବା ପୁଣି କୋଠରୀ ସ୍ପେସରେ ବାଲି ଫିଲିଂ କରାଯିବା ବଦଳରେ ରାତାରାତି ମାଟି ଫିଲିଙ୍ଗ କରିବା ଘଟଣାକୁ ସହଜରେ ସ୍ଥାନୀୟ ଲୋକମାନେ ଗ୍ରହଣ କରି ପାରୁନଥିବା ଦେଖିବାକୁ ମିଳୁଛି। ଏହାଦ୍ବାରା ଫିଲିଙ୍ଗ ମାଟି ଦବିବା ସହ ଫ୍ଲୋର ମଧ୍ୟ ପରେ ଦବିବାର ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି।

ସେହିଭଳି ଏହାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବାର ଦେଖିବାକୁ ମିଳୁଛି। ମଝିରେ ମଝିରେ କାମ ବନ୍ଦ ହୋଇ ପଡି ରହୁଥିବାବେଳେ ଏବେ ୨-୩ପୂର୍ବରୁ ସ୍ଥାନୀୟ ଲୋକ ଅଭିଯୋଗ କରିବାରୁ ଅଳ୍ପ କିଛି ମିସ୍ତ୍ରୀ ଆସି କାମ କରୁଥିବାର ଦେଖିବାକୁ ମିଳୁଛି। ଅନ୍ୟପଟେ ବିଭାଗୀୟ ଯନ୍ତ୍ରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ପାଇଁ ଦିଆଯାଇଥିବା ସମୟସୀମା ଗତମାସରୁ ଅତିକ୍ରାନ୍ତ ହୋଇଗଲାଣି ବୋଲି କହିଛନ୍ତି। ମାତ୍ର ସବୁଜାଣି ବିଭାଗୀୟ ଯନ୍ତ୍ରୀ ଅଜଣା ରହି ଠିକାଦାରଙ୍କୁ ସହଯୋଗ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ବୈଶିଙ୍ଗା ଡାକ୍ତରଖାନା ପରିସର ମଧ୍ୟରେ ନୂତନ ଵିଲ୍ଡିଂ ନିର୍ମାଣକାର୍ଯ୍ୟ ଚାଲିଥିବାବେଳେ କାର୍ଯ୍ୟସ୍ଥଳରେ ସୂଚନାଫଳକ ନଥିବାରୁ କେଉଁ ବିଭାଗର କାର୍ଯ୍ୟ ବ୍ୟୟ ଅଟକଳ ମୂଲ୍ୟ କେତେ, କିଏ କାର୍ଯ୍ୟ କରୁଛି ତାହାର ଉତ୍ତର କାହାପାଖରେ ନଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେହିପରି ବାଲି ବଦଳରେ ମାଟି ଦେଇ ଫିଲିଙ୍ଗ କରାଯାଇଥିବା ଦେଖୁବାକୁ ମିଳିଛି। କୁହାଯାଉଛି ଏହି ଠିକାଦାରଙ୍କ ଉପରେ ବିଭାଗର ସମର୍ଥନ ରହିଥିବାରୁ ଠିକାଦାର ଜଣଙ୍କ ମନମୁଖୀ କାର୍ଯ୍ୟକରୁଥିବା ଅଭିଯୋଗ ହେଉଛି। ଏନେଇ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବସନ୍ତ ରାଜଙ୍କ କହିବା କଥା କି ଲୋକଙ୍କ ଅଭିଯୋଗ ପରେ ସେ ଠିକାଦାରଙ୍କୁ ତାଗିଦ କରିଛନ୍ତି ଓ ବିଳମ୍ବ ପାଇଁ ଠିକାଦାରଙ୍କ ଠାରୁ ଜରିମାନା ଆଦାୟ ନେଇ ମଧ୍ୟ ସୂଚନା ଦେଇଛନ୍ତି। ତେବେ ଏଭଳି ବେନିୟମ ତଥା ଅନିୟମିତତା କାର୍ଯ୍ୟ ଉପରେ ତଦନ୍ତ ହୋଇ କାର୍ଯ୍ୟ ଶୈଳୀରେ ସୁଧାର ଆସୁଛି ନା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ସବୁକିଛି ପୂର୍ବଭଳି ଚାଲୁ ରହୁଛି ଦେଖୁବାକୁ ବାକି ରହିଲା।