ବିଦା ହୋଇଥିବା ୨ ଟିକସ ଅଧିକାରୀ ଓଡ଼ିଶାରେ କାମ କରୁଥିଲେ

ବିଷ୍ଟ ରାଉରକେଲା, ମହିଦା ଭୁବନେଶ୍ବରରେ କାମ କରିଛନ୍ତି, କୋର୍ଟରେ ଦୋଷମୁକ୍ତ ହୋଇଥିବା ସତ୍ତ୍ବେ ମୋତେ ବିଦା କରାଯାଇଛି:ବିଷ୍ଟ

ଭୁବନେଶ୍ବର : ଗତକାଲି କେନ୍ଦ୍ର ସରକାରଙ୍କ ତରଫରୁ ୧୫ ଜଣ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଥିଲା। ସେଥି‌ ମଧ୍ୟରୁ ଦୁଇ ଜଣ ଅଧିକାରୀଙ୍କ ଓଡ଼ିଶା ସହିତ ସମ୍ପର୍କ ରହିଛି। ଜଣେ ଏବେ ରାଉରକେଲାରେ କାମ କରୁଥିଲେ। ଅନ୍ୟ ଜଣେ କିଛି ମାସ ଭୁବନେଶ୍ବରରେ କାମ କରିବା ପରେ ତାଙ୍କର କୋଲକାତାକୁ ବଦଳି ହୋଇଥିଲା। ସେହି ଦୁଇ ଅଧିକାରୀ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ ଅଶୋକ ଆର୍‌ ମହିଦା ଓ ୨୦୧୪ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ ଏସ୍‌ ଏସ୍‌ ବିଷ୍ଟ। ଚାକିରିରୁ ବିଦା ହେବା ପୂର୍ବରୁ ମହିଦା କୋଲକାତାରେ ଅତିରିକ୍ତ କମିସନର୍‌ ପଦବିରେ କାମ କରୁଥିଲେ। ସେହିପରି ବିଷ୍ଟ୍‌ ରାଉରକେଲାରେ ସହକାରୀ କମିସନର ଭାବେ କାମ କରୁଥିଲେ। ମହିଦାଙ୍କ ଘର ଗୁଜରାଟରେ ହୋଇଥିବା ବେଳେ ବିଷ୍ଟ୍‌ ହେଉଛନ୍ତି ହିମାଚଳ ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି।

ବିଷ୍ଟ୍‌ଙ୍କୁ ତିନି ମାସର ଦରମା ଆଗୁଆ ଦିଆଯାଇ ଚାକିରିରୁ ବିଦା କରାଯାଇଛି। ତାଙ୍କର ଆଉ ୭ ବର୍ଷର ଚାକିରି ଥିଲା। ଛଅ ବର୍ଷ ପୂର୍ବେ କୋଲକାତାରୁ ନେପାଳକୁ ସାର ରପ୍ତାନି ବେଳେ ହୋଇଥିବା ସନ୍ଦେହଜନକ ଅର୍ଥ କାରବାରକୁ ନେଇ ତାଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯାଇଛି ବୋଲି କୁହାଯାଉଛି। ସେହି ସମୟରେ ସେ କୋଲକାତା ବନ୍ଦରର ସୁପରିଟେଣ୍ଡେଣ୍ଟ ଭାବେ କାମ କରୁଥିଲେ। ସେତେବେଳେ ୧୦ ଲକ୍ଷ ଟଙ୍କାର ବେଆଇନ ଅର୍ଥ କାରବାର ହୋଇଥିଲା। ୨୦୧୩ରେ ସିବିଆଇ ପକ୍ଷରୁ ଉକ୍ତ ମାମଲାର ତଦନ୍ତ ଆରମ୍ଭ ହୋଇ ୨୦୧୪ରେ ଶେଷ ହୋଇଥିଲା। ମାମଲା ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା। ବିଷ୍ଟ୍‌ଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ ହୋଇଥିଲା। ସିବିଆଇ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ସେ ଦୋଷମୁକ୍ତ ହୋଇଥିଲେ।

ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ବିଷ୍ଟ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି ଯେ, ମୋ ବିରୋଧରେ ହୋଇଥିବା ଅଭିଯୋଗର କୌଣସି ତଥ୍ୟ ପ୍ରମାଣ ନାହିଁ। ଏହା ସତ୍ବେ ମୋତେ ଚାକିରିରୁ ବିଦା କରାଯାଇଛି। ବାରମ୍ବାର ମୋ ବିରୋଧରେ ବିଭାଗୀୟ ତଦନ୍ତ କରାଯାଉଥିଲା। ‌ଏହାକୁ ନେଇ ମୁଁ ୪ ମାସ ପୂର୍ବେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ର ଦ୍ବାରସ୍ଥ ହୋଇଥିଲି। ଟ୍ରିବ୍ୟୁନାଲ୍‌ରେ ମୋ ମାମଲାର ବିଚାର ଚାଲିଛି। ଏହା ସତ୍ବେ ମୋତେ ଅବସର ଦିଆଯାଇଛି ବୋଲି ବିଷ୍ଟ କହିଛନ୍ତି। ମହିଦା ଓ ବିଷ୍ଟ ପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ କେନ୍ଦ୍ରୀୟ ବୋର୍ଡ (ସିବିଆଇସି)ର ବରିଷ୍ଠ ଅଧିକାରୀ ଭା‌ବେ କାମ କରୁଥିଲେ। ଯେଉଁ ଅଧିକାରୀମାନଙ୍କ ବିରୋଧରେ ଦୁର୍ନୀତି, ଲାଞ୍ଚ, ଅପରାଧିକ ଷଡ଼ଯନ୍ତ୍ର ଓ ‌ଚୋରାଚାଲାଣ କାରବାରରେ ଲିପ୍ତ ଥିବା ଅଭିଯୋଗ ରହିଥିଲା ସେମାନଙ୍କୁ କେନ୍ଦ୍ର ସରକାର ଚାକିରିରୁ ବଳପୂର୍ବକ ଅବସର ପ୍ରଦାନ କରିଛନ୍ତି। ଏହି ଦୁଇ ବ୍ୟକ୍ତିଙ୍କ ନାମରେ କେଉଁ ନିର୍ଦିଷ୍ଟ ଧରଣର ଅଭିଯୋଗ ଥିଲା ତାହା ଜଣାପଡ଼ିନାହିଁ।

ସିବିଆଇସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନ୍‌ସନ୍‌) ନିୟମ ୧୯୭୨ର ଧାରା ୫୬ (ଜେ) ଅନୁସାରେ ସରକାରୀ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାର ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଇଥାଏ। କର୍ମଚାରୀଙ୍କୁ ୫୦-୫୫ ବର୍ଷ ହେବାର ଛଅ ମାସ ପୂର୍ବରୁ କିମ୍ବା ଚାକିରିରେ ୩୦ ବର୍ଷ ରହିବା ପରେ ଏହି ସମୀକ୍ଷା କରାଯାଇଥାଏ। ଦୁର୍ନୀତି ଅଭିଯୋଗରେ କିମ୍ବା କାର୍ଯ୍ୟଦକ୍ଷତାର ସମୀକ୍ଷା, କେଉଁ କାରଣରୁ ଅଶୋକ ଓ ସୁରେନ୍ଦ୍ରଙ୍କୁ ବିଦା କରାଯାଇଛି ତାହା ଜଣାପଡ଼ିଛି ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର