ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ଭୁବନେଶ୍ବରକୁ ଆସୁଥିବା ନେଇ ଚର୍ଚ୍ଚା ହେଉଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଏହି ସୂଚନା ମିଳିଛି । ଭିଡିଓରେ ଦେଖାଯାଉଛି ଯେ, ବାବୁସାନ୍ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦର ଲାଉଞ୍ଚରେ ଛିଡ଼ା ହୋଇଛନ୍ତି। ଭିଡିଓରେ ଅଭିନେତା ରବି ମିଶ୍ର ତାଙ୍କ ପାଖରେ ଥିବା ଦେଖାଯାଉଛି। ସେ ବିମାନବନ୍ଦରରେ ୨ ଜଣ ଯୁବକଙ୍କ ସହିତ କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। କୁହାଯାଉଛି ଯେ, ବାବୁସାନ ରାତି ପ୍ରାୟ ସାଢ଼େ ୧୦ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ପାରନ୍ତି। ତେବେ ବାବୁସାନ ଚେନ୍ନାଇ ବିମାନବନ୍ଦରରୁ ଭୁବନେଶ୍ବର ଆସୁଛନ୍ତି ନାଁ ଆଉ କେଉଁଠିକୁ ଯିବାକୁ ବାହାରିଛନ୍ତି, ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ଆଶା କରାଯାଉଛି।
ସୂଚନା ଅନୁସାରେ ଚେନ୍ନାଇର ଉତ୍କଳ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସମାରୋହରେ ବାବୁସାନଙ୍କ ଅଭିନୀତ ଫିଲ୍ମ ‘ଦମନ୍’ର ପ୍ରମୋସନ୍ ଲାଗି ଚେନ୍ନାଇ ଯାଇଥିଲେ ସେ। କିନ୍ତୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। ଏହାପରେ ଚର୍ଚ୍ଚା ହୋଇଥିଲା କି ସେ ଯେଉଁ ହୋଟେଲରେ ରହୁଥିଲେ ସେଠାରୁ ଅନ୍ୟତ୍ର ଚାଲିଯାଇଥିଲେ। ତେବେ ଆଜି ସକାଳେ ପ୍ରକୃତି ମିଶ୍ରଙ୍କ ବାପା ତଥା ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ବାବୁସାନ ଚେନାଇରେ ଥିବା ସ୍ପଷ୍ଟ କରିଥିଲେ। ତେଣୁ ଚେନ୍ନାଇ ବିମାନ ବନ୍ଦରରେ ଦେଖାଯିବା ପରେ ଏବେ ଆଶା କରାଯାଉଛି ବାବୁସାନ୍ ଭୁବନେଶ୍ବର ଆସୁଛନ୍ତି। ଅନ୍ୟପଟରେ ବାବୁସାନଙ୍କ ଫେରିବା ବାଟକୁ ପତ୍ନୀ ତୃପ୍ତି, ବାପା ଉତ୍ତମ ମହାନ୍ତି ଓ ମା’ ଅପରାଜିତା ମହାନ୍ତି ଅପେକ୍ଷା କରିଛନ୍ତି। ପୂର୍ବରୁ ଅପରାଜିତା ମହାନ୍ତି ଗଣମାଧ୍ୟମକୁ କହିଥିଲେ ଯେ, ବାବୁସାନ୍ ଭଲ ପିଲା। ସେ ଆମ ପାଖକୁ ଖୁବ ଶୀଘ୍ର ଫେରିଆସିବ।
ସୂଚନାଯୋଗ୍ୟ, ଗତ ୨୩ ତାରିଖ ସକାଳେ ଓଡ଼ିଆ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ମାଡ଼ମାରିବା ସହ ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ଟଣାଓଟରା କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଘଟଣା ପରେ ଷ୍ଟାର ପରିବାର ମଧ୍ୟରେ ବିବାଦ ବଢ଼ିଥିଲା। ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ସଂପର୍କ ନେଇ ପାରିବାରିକ ବିବାଦ ବଢ଼ିବାରେ ଲାଗିଥିଲା। ଉଭୟ ପରିବାର ପକ୍ଷରୁ ଆରୋପ ପ୍ରତ୍ୟାରୋପ ହୋଇଥିଲା। କିନ୍ତୁ ନିଜ ନିଜ ପ୍ରତିକ୍ରିୟାରେ ଉଭୟ ବାବୁସାନ୍ ଓ ପ୍ରକୃତି ମିଶ୍ର ଭଲ ବନ୍ଧୁ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ଭିଡିଓ ଜାରି କରି କହିଥିଲେ। ତେବେ ଏହି ଘଟଣାକୁ ନେଇ ଖାରବେଳନଗର ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଏହାରି ମଧ୍ୟରେ କମିସନରେଟ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।