ବାଲେଶ୍ବର (ରୁଦ୍ରରଂଜନ ଶେଜପଡ଼ା): ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଏବେ ସୁଦ୍ଧା ୨୯୨ରେ ପହଞ୍ଚିଲାଣି। ଶତାବ୍ଦୀର ଏପରି ଏକ ବଡ଼ ବିପର୍ଯ୍ୟୟ ବିଶ୍ବବାସୀଙ୍କୁ ମର୍ମାହତ କରିଛି। ସେହିପରି ଭାରତର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜନୈତିକ ଦୃଷ୍ଟିକୋଣରୁ ଯେତିକି ଚାପ ସହିଛନ୍ତି, ତା’ଠାରୁ ଅଧିକ ମାନସିକ ଯନ୍ତ୍ରଣା ଭୋଗିଛନ୍ତି। ତାଙ୍କ ମନରେ ଦୁଃଖ ଥିବ; ଦିନେ ଜିଲ୍ଲାପାଳ ଭାବେ ଯେଉଁ ଜିଲ୍ଲାର ବିକାଶ କଥା ଭାବୁଥିଲେ, ଦୁର୍ଭାଗ୍ୟକୁ ରେଳମନ୍ତ୍ରୀ ହେବା ପ‌ରେ ସେହି ଜିଲ୍ଲ‌ାରେ ତାଙ୍କୁ ଏତେବଡ଼ ରେଳ ଅଘଟଣ ଦେଖିବାକୁ ପଡ଼ିଲା।
Advertisment
ଉଲ୍ଲେଖ ଥାଉକି ୧୯୭୦ ମସିହାରେ ରାଜସ୍ଥାନର ଯୋଧପୁରରେ ଜନ୍ମିତ ଅଶ୍ବିନୀ ବୈଷ୍ଣବ ଭାରତୀୟ ପ୍ରଶାସନିକ ସେବା (ଓଡ଼ିଶା କ୍ୟାଡର୍‌)ରେ ଯୋଗଦେଇଥିଲେ। ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ କାମ କରିବା ସହ କଟକ ଓ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ବ ତୁଲାଇଥିଲେ। ଅଶ୍ବିନୀ ବୈଷ୍ଣବ ୧୯୯୯ ମସିହା ବେଳକୁ ବାଲେଶ୍ବର ଜିଲ୍ଲାପାଳ ଥାଆନ୍ତି। ଦାୟିତ୍ବ ନେବାର କିଛିଦିନ ମଧ୍ୟରେ ନିଜ ଦକ୍ଷତା ପାଇଁ ସେ ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ସେହି ବର୍ଷ ଓଡ଼ିଶାବାସୀ ମହାବାତ୍ୟାକୁ ସାମ୍ନା କରିଥିଲେ। ୟୁଏସ୍‌ ନେଭି ୱେବ୍‌ସାଇଟ୍‌ରୁ ବାତ୍ୟା ସଂପର୍କରେ ଜାଣିପାରି ଶ୍ରୀ ବୈଷ୍ଣବ ରାଜ୍ୟ ମୁଖ୍ୟ ସଚିବଙ୍କୁ ଅବଗତ କରିଥିଲେ। ତାଙ୍କର ଏହି ଉଦ୍ୟମ ଫଳରେ ସେତେବେଳେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିଯାଇଥିବା କୁହାଯାଏ।
ତେବେ ଏହି ଘଟଣାର ୨୨ ବର୍ଷ ଅନ୍ତେ ଶ୍ରୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ଯାଇ ରେଳମନ୍ତ୍ରୀ ହେଲେ। ନୂଆ ଦାୟିତ୍ବ ‌ମିଳିବା ପରେ ସେ ଚଳିତ ବର୍ଷ ବାହାନଗା ରେଳ ଦୁର୍ଘଟଣା ପରି ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଲେ। ଏହି ଦୁର୍ଘଟଣା ପରେ ଭାରତରେ ସୁରକ୍ଷିତ ରେଳଯାତ୍ରାକୁ ସୁନିଶ୍ଚିତ କରିବ‌ା ଶ୍ରୀ ବୈଷ୍ଣବଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
publive-image
୨୦୨୨ ମସିହା ଭାରତୀୟ ରେଳ ବ୍ୟବସ୍ଥାରେ ‘କବଚ’ (ସ୍ବୟଂଚାଳିତ ରେଳ ସୁରକ୍ଷା ବ୍ୟବସ୍ଥା) ଜ୍ଞାନକୌଶଳର ପରୀକ୍ଷା କରାଗଲା। ଏହା ରେଳ ଦୁର୍ଘଟଣା ରୋକିବାରେ ବେଶ୍‌ ସହାୟକ ବୋଲି ପ୍ରମାଣିତ ହେଲା। ବିଭାଗ ନିଷ୍ପତ୍ତି ନେଲା; ଯଥାଶୀଘ୍ର ଦେଶର ରେଳ ଓ ରେଳପଥଗୁଡ଼ିକରେ ‘କବଚ’ କାର୍ଯ୍ୟକାରୀ ହେବ। ଭାରତରେ ଥିବା ୧୯ଟି ରେଳ ଜୋନ୍‌ ମଧ୍ୟରୁ କେବଳ ସିକନ୍ଦରାବାଦ ଜୋନ୍‌ରେ ‘କବଚ’ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି। ସେହିପରି ଭାରତରେ ଗଡ଼ୁଥିବା ୧୩,୨୧୫ଟି ବିଦ୍ୟୁତ୍‌ ଚାଳିକ ରେଳ ମଧ୍ୟରୁ ମାତ୍ର ୬୫ଟି ରେଳ ପାଇଁ ‘କବଚ’ ବ୍ୟବସ୍ଥା ଅଛି। ଲକ୍ଷ୍ୟ ରଖାଯାଇଥିଲା ୨୦୨୨-୨୩ ମସିହାରେ ଏହି ବ୍ୟବସ୍ଥାକୁ ବ୍ୟାପକ କରାଯିବ। ହେଲେ ବାସ୍ତବରେ କାମ ସେତେ‌ ସହଜ ନୁହେଁ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି। ଏହା ପଛର କାରଣ ‌ହେଉଛି; ଖର୍ଚ୍ଚବହୁଳତା। ବି‌ଦେଶରେ ସ୍ବୟଂଚାଳିତ ରେଳ ସୁରକ୍ଷା ବ୍ୟବସ୍ଥା ପାଇଁ ରେଳପଥ କିଲୋମିଟର ପ୍ରତି ୨ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ବେଳେ ନିଜସ୍ବ ସ୍ବୟଂଚାଳିତ ରେଳ ସୁରକ୍ଷା ବ୍ୟବସ୍ଥା ‘କବଚ’ ବିକଶିତ କରିଥିବା ଭାରତରେ ୩୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ଜଣାପଡ଼ିଛି। ଏହି ହିସାବରେ ଆମ ଦେଶରେ ଥିବା ୬୮ ହଜାର ୧୫୫ କିଲୋମିଟରର ମୁଖ୍ୟ ରେଳପଥ ପାଇଁ ପ୍ରାୟ ୨୦ ହଜାର ୪୪୬ କୋଟିରୁ ୩୪ ହଜାର ୭୭ କୋଟି ଟଙ୍କା ଖର୍ଚ୍ଚର ଆବଶ୍ୟକତା ରହିଛି। ସେହିପରି ଓଡ଼ିଶ‌ାରେ ଥିବା ୫୦୦୦ କିଲୋମିଟର ମୁଖ୍ୟ ରେଳପଥ ପାଇଁ ପ୍ରାୟ ୧୫ ଶହ କୋଟିରୁ ୨୫ ଶହ କୋଟି ଟଙ୍କା‌ ଖର୍ଚ୍ଚର ଆବଶ୍ୟକତା ଥିବା ଜଣାପଡ଼ିଛି।
ତେବେ ବ୍ୟୟ ଦିଗକୁ ଦେଖିଲେ ଏହା କେତେ ସଫଳ ହେବ, ସେନେଇ ଆଶଙ୍କା ଦେଖାଦେଇଛି। ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ରେଳବାଇ କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ଓ ସଫଳ ପଦକ୍ଷେପ ନେଇଛନ୍ତି। ତେଣୁ ଏହା ଆଶା କରାଯାଇପାରେ; ଖୁବ୍‌ଶୀଘ୍ର ଦେଶର ସବୁ ରେଳ ଓ ‌ରେଳପଥ‌ରେ ‘କବଚ’ ବ୍ୟବସ୍ଥା ଲାଗୁ ହେବ ଏବଂ ଭବିଷ୍ୟତରେ ରେଳ ଦୁର୍ଘଟଣାକୁ ରୋକାଯାଇପାରିବ। ୧୯୯୫ ମସିହା ଅଗଷ୍ଟ ମାସ ଦିଲ୍ଲୀ, ୧୯୯୯ ମସହା ଅଗଷ୍ଟ ମାସ ପଶ୍ଚିମବଙ୍ଗର ଗାଇସାଲ, ୨୦୧୨ ମସିହା ମେ ମାସ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଏବଂ ୨୦୧୪ ମସିହା ମେ ମାସ ଉତ୍ତର ପ୍ରଦେଶର ସନ୍ଥ କବୀର ନଗର ନିକଟରେ ରେଳ ପରସ୍ପର ଧକ୍କା ହୋଇ ଶହ ଶହ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଚଳିତ ମାସ ବାହାନଗା ରେଳ ଦୁର୍ଘଟଣାରେ ଶତାଧିକ ଯାତ୍ରୀଙ୍କ ଜୀବନ ଯାଇଛି। ଏପରି ସମୟରେ ପ୍ରାଥମିକତା ଦୃଷ୍ଟିରୁ ଓଡ଼ିଶାର ଭୁବନେଶ୍ବର ଜୋନ୍‌ ଦେଇ ଯାତାୟାତ କରୁଥିବା ମୁଖ୍ୟ ରେଳ ଏବଂ ରେଳପଥଗୁଡ଼ିକରେ ‘କବଚ’ ବ୍ୟବସ୍ଥା ଲାଗୁ କରାଯାଉ ବୋଲି ରାଜ୍ୟର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।