ନବୀନ-ଜଗନ ସାକ୍ଷାତ ପରେ…ତୁଟିବ କି ବଂଶଧାରା ଜଳବିବାଦ?

ଆଶା-ଆଶଙ୍କାରେ ରାୟଗଡ଼ା ଓ ଗଜପତି ଜିଲ୍ଲାବାସୀ, ଗୋଟା ପରେ ନେରେଡ଼ି ପ୍ରକଳ୍ପକୁ ମିଳିଛି ସବୁଜ ସଙ୍କେତ

ରାୟଗଡ଼ା: ବଂଶଧାରା ଜଳ ଆବଣ୍ଟନକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ୫ ଦଶନ୍ଧି ଧରି ବିବାଦ ଲାଗି ରହିଛି। କାଟରାଗୁଡା ପରେ ନେରେଡ଼ି ବ୍ୟାରେଜ୍ ନିର୍ମାଣକୁ ଟ୍ରିବ୍ୟୁନାଲ୍ ଆନ୍ଧ୍ରକୁ ଅନୁମତି ପ୍ରଦାନ କରିବା ପରେ ଓଡ଼ିଶା ପକ୍ଷରୁ ଜୋରଦାର୍ ବିରୋଧ କରାଯାଇଛି। ବଂଶଧାରା ତଳମୁଣ୍ଡରେ ଦ୍ବିତୀୟ ପ୍ରକଳ୍ପକୁ ନେଇ ରାୟଗଡ଼ା, ଗଜପତି ଜିଲ୍ଲାବାସୀ ଆଶା ଆଶଙ୍କାରେ ଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ୍. ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଜଳବିବାଦ ତୁଟିବା ନେଇ ଆଶା ସଞ୍ଚାର ହୋଇଛି।

ବଂଶଧାରା ତଳମୁଣ୍ଡରେ ଗୋଟା ବ୍ୟାରେଜ୍ ନିର୍ମାଣ ପାଇଁ ୧୯୭୧ରେ ଆନ୍ଧ୍ରକୁ ଅନୁମତି ମିଳିଥିଲା। ବ୍ୟାରେଜରୁ ଉତ୍ପନ୍ନ ୧୧୫ ଟିଏମସି ଜଳକୁ ୫୦:୫୦ ଅନୁପାତରେ ଉଭୟ ରାଜ୍ୟ ବ୍ୟବହାର କରିବାକୁ ଚୁକ୍ତି ହୋଇଛି। କିନ୍ତୁ ବଂଶଧାରା ଉପର ମୁଣ୍ଡରେ ଓଡ଼ିଶା ପ୍ରକଳ୍ପ ନିର୍ମାଣ କରିବାରେ ବିଫଳ ଯୋଗୁ ଓଡ଼ିଶା ଭାଗରେ ଥିବା ୫୦ ପ୍ରତିଶତ ଜଳ ବ୍ୟବହାର ହୋଇନପାରି ସମୁଦ୍ରରେ ମିଶୁଛି। ବଂଶଧାରା ଜଳବିବାଦକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ୧୯୬୨ରୁ ବିବାଦ ଲାଗି ରହିଛି। ବିବାଦର ସମାଧାନ ନେଇ କୌଣସି ରାସ୍ତା ବାହାରି ପାରୁନଥିବା ବେଳେ ବଂଶଧାରା ତଳମୁଣ୍ଡରେ ଆନ୍ଧ୍ରର ଗୋଟିଏ ପରେ ଗୋଟିଏ ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇ ଚାଲିଛନ୍ତି। ଗୋଟା ପରେ କାଟରାଗୁଡ଼ା ସାଇଡ୍ ୱେର୍ ସହ ୨୦୨୧ ଜୁନ୍ ମାସରେ ନେରେଡ଼ି ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ରକୁ ଅନୁମତି ମିଳିଛି।

ଜଳବିବାଦକୁ ନେଇ ୨୦୦୫ ମସିହାରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯିବା ପରେ ୨୦୧୧ରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ୍ ଗଠନ କରିଥିଲେ। ଟ୍ରିବ୍ୟୁନାଲ୍ ଓ ଉଭୟ ରାଜ୍ୟର ଯନ୍ତ୍ରୀ ଦଳ ବହୁବାର ଓଡ଼ିଶା-ଆନ୍ଧ୍ର ପରିଦର୍ଶନ କରିଥିଲେ ମଧ୍ୟ ବିବାଦର ସମାଧାନ ହୋଇପାରିନି। ଏପରିସ୍ଥଳେ ୨୦୧୭ରେ ବଂଶଧାରା ତଳମୁଣ୍ଡରେ କାଟରାଗୁଡା ସାଇଡ୍ ୱେର ନିର୍ମାଣ ପାଇଁ ଆନ୍ଧ୍ରକୁ ଟ୍ରିବ୍ୟୁନାଲ୍ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଯାହାର କାମ ୭୦ ପ୍ରତିଶତରୁ ଉର୍ଧ୍ବ ସରିଲାଣି। ଗୋଟା ଓ କାଟରାଗୁଡା ଭଳି ନେରେଡ଼ି ପ୍ରକଳ୍ପ ପାଇଁ ମଧ୍ୟ ସମାନ ଢ଼ଙ୍ଗରେ ଟ୍ରିବ୍ୟୁନାଲ୍ ଆନ୍ଧ୍ର ସପକ୍ଷରେ ମତ ଦେବା ପରେ ବଂଶଧାରା ଉପରମୁଣ୍ଡରେ ଥିବା ରାୟଗଡ଼ା ଓ ଗଜପତି ଜିଲ୍ଲାବାସୀ ଭୟଭୀତ ହୋଇ ପଡିଛନ୍ତି। ଗୋଟା ବ୍ୟାରେଜ୍ ପାଇଁ ୧୯୮୦ ମସିହାରେ ଉଭୟ ଜିଲ୍ଲାବାସୀ ଭୟଙ୍କର ବନ୍ୟା ଦେଖିଥିଲେ।

ଆନ୍ଧ୍ରର ନେରେଡି ପ୍ରକଳ୍ପ ପାଇଁ ଟ୍ରିବ୍ୟୁନାଲ୍ ଦେଇଥିବା ରାୟରେ  ଓଡ଼ିଶା ୧୦୬ ଏକର ଜମିକୁ ଆନ୍ଧ୍ରକୁ ଦେବା ପାଇଁ ନିର୍ଦେଶ ରହିଛି। ଗେଜେଟ୍ ବିଜ୍ଞପ୍ତି ପ୍ରକାଶର ବର୍ଷକ ମଧ୍ୟରେ ଜମି ଆନ୍ଧ୍ରକୁ ହସ୍ତାନ୍ତର କରାଯିବ। ଜମି ଅଧିଗ୍ରହଣ ବାବଦ ଓଡ଼ିଶାର ସମସ୍ତ ଖର୍ଚ୍ଚ ଓ କ୍ଷତିପୂରଣ ଆନ୍ଧ୍ରବହନ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦେଶ ଦେଇଛନ୍ତି। ନିର୍ମାଣ ହେବାକୁ ଯାଉଥିବା ନେରେଡି ପ୍ରକଳ୍ପ କ୍ଷେତ୍ରରେ ଟ୍ରିବ୍ୟୁନାଲ୍ ୮ ଟିଏମସି ଜଳ ବ୍ୟବହାର କରିବାକୁ ଉଭୟ ରାଜ୍ୟକୁ ଅନୁମତି ଦେଇଛନ୍ତି। ଆନ୍ଧ୍ରର ବ୍ୟବହାର ପାଇଁ ବ୍ୟାରେଜର ଡାହାଣ ପାର୍ଶ୍ବରେ, ଓଡ଼ିଶାର ବ୍ୟବହାର ପାଇଁ ବାମ ପାର୍ଶ୍ବରେ ସ୍ଲୁଇସ୍ ଗେଟ୍ ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ ହୋଇଛି। ନେରେଡ଼ି ରାୟକୁ ନେଇ ଉଭୟ ଜିଲ୍ଲାରେ ବିରୋଧର ସ୍ବର ତୀବ୍ର ହେବା ପରେ ସରକାର ପୁଣି ଟ୍ରିବ୍ୟୁନାଲରେ ରିଭ୍ୟୁ ପିଟସନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ନେରେଡ଼ି ପ୍ରକଳ୍ପକୁ ବିରୋଧ କରି ଗୁଣପୁରରେ ଆନ୍ଦୋଳନ ଜୋର୍ ଧରିବା ପରେ ରାଜ୍ୟ ସରକାର ଉପରମୁଣ୍ଡରେ କ୍ଷୁଦ୍ର ପ୍ରକଳ୍ପ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାର କୌଣସି କାମ ଏଯାବତ୍ ଆରମ୍ଭ ହୋଇପାରିନି। ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଗତକାଲି (ମଙ୍ଗଳବାର) ସଂଧ୍ୟାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ ଓଡ଼ିଶା ମୁଖ୍ୟମନ୍ତ୍ରୀକୁ ସାକ୍ଷାତ କରି ନେରେଡ଼ି ପ୍ରକଳ୍ପ ସଂପର୍କରେ ଆଲୋଚନା କରିଛନ୍ତି। ଟ୍ରିବ୍ୟୁନାଲଙ୍କ ନିର୍ଦେଶନୁଯାୟୀ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଜମି ଯୋଗାଇଦେବା ଏବଂ ଓଡ଼ିଶା ପାର୍ଶ୍ବ କେନାଲ୍ ନିର୍ମାଣ ଲାଗି ସ୍ଥାନ ନିରୁପଣ କରିବାକୁ ଜଗନ ନବୀନଙ୍କୁ ନିବେଦନ କରିଥିଲେ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ବଂଶଧାରା ଜଳବିବାଦ ତୁଟିବା ନେଇ ରାସ୍ତା ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର