କଂଗ୍ରେସ, ବିଜେପି ପରେ ଗମାଙ୍ଗ ପରିବାର ପାଇଁ ନିର୍ଣ୍ଣାୟକ ହେବ କି ବିଆରଏସ୍

କାର ଚଢ଼ି ୨୦୨୪ ନିର୍ବାଚନୀ ବୈତରଣୀ ପାର ଲକ୍ଷ୍ୟ

ରାୟଗଡ଼ା: ୨୦୧୯ ସାଧାରଣ ନିର୍ବାଚନ ପରେ ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ୍ ଥିବା ଗମାଙ୍ଗ ପରିବାରକୁ ଏବେ ନୂଆ ରାହା ମିଳିଛି। ଦୁଇ ଜାତୀୟ ଦଳ କଂଗ୍ରେସ, ବିଜେପି ଛାଡ଼ି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ମାଧ୍ୟମରେ ୨୦୨୪ ନିର୍ବାଚନ ବୈତରଣୀ ପାର୍ ହେବା ଲକ୍ଷ୍ୟ ରଖିଛନ୍ତି। ଗମାଙ୍ଗ ପରିବାରର ଏହି ପଦକ୍ଷେପ ଓଡ଼ିଶା ରାଜନୀତିରେ ନୂତନ ସମୀକରଣ ସୃଷ୍ଟି କରିବା ନେଇ ଖୋରାକ୍ ଯୋଗାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜେପି ଛାଡ଼ିବା ନେଇ ଦୁଇ ସପ୍ତାହ ଧରି ଆଲୋଚନା ଚାଲିଥିଲା। ଯାହା ଆଜି ସ୍ପଷ୍ଟ ହୋଇଛି। ବିଜେପି ଛାଡ଼ିବା ପରେ ଓଡ଼ିଶାରେ ବିଆରଏସ୍ ମଙ୍ଗ ଧରିଛନ୍ତି ଗମାଙ୍ଗ। ୨୦୨୪ ନିର୍ବାଚନରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିବାର ଲକ୍ଷ୍ୟ ରଖିଛି ଦଳ। ଦକ୍ଷିଣ ଓଡ଼ିଶାରେ ତେଲୁଗୁ ସଂପ୍ରଦାୟ ଭୋଟର ଅଧିକା ଥିବାରୁ ଦଳ ପ୍ରଥମେ ଅବିଭକ୍ତ କୋରାପୁଟ ସମେତ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଟାର୍ଗେଟ୍ କରିପାରେ। ଦକ୍ଷିଣ ଓଡ଼ିଶା ରାଜନୀତିରେ ଗମାଙ୍ଗ ପରିବାରର ଦବଦବା ରହିଥିବାରୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଗିରିଧରଙ୍କ ଉପରେ ଭରସା କରିଛନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରଠାରୁ ଗମାଙ୍ଗ ପରିବାରର ରାଜନୈତିକ ଭବିଷ୍ୟତ ପୂର୍ବ ସ୍ଥିତି ବଜାୟ ରଖିବାରେ ବିଫଳ ହୋଇଥିଲା। ୨୦୧୯ ନିର୍ବାଚନରେ ଗିରିଧରଙ୍କ ପୁଅ ଶିଶିରକୁ ବିଜେପି ଗୁଣପୁର ବିଧାନସଭା ଆସନରେ ପ୍ରାର୍ଥୀ କରିଥିଲା। ଶିଶିର ମାତ୍ର ୧୬ ହଜାର ଭୋଟ ପାଇ ପରାସ୍ତ ହେବା ସହ ଚର୍ତୁଥ ସ୍ଥାନରେ ରହିଥିଲେ। ପରିବାରର ଅନ୍ୟ ସଦସ୍ୟ ନିର୍ବାଚନ ଲଢ଼ିବାର ସୁଯୋଗ ପାଇନଥିଲେ। ବିଜେଡ଼ିରେ ଥିବା ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ, ଶଳା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗଙ୍କୁ ଦଳ ଟିକେଟ୍ ଦେଇନଥିଲା। ଯାହା ଗମାଙ୍ଗ ପରିବାରର ରାଜନୈତିକ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଥିଲା।

୧୯୯୯ ନିର୍ବାଚନରେ ହେମା କୋରାପୁଟ ସାଂସଦ ଭାବେ ଏବଂ ୨୦୦୪ ନିର୍ବାନଚରେ ଗୁଣପୁର ବିଧାୟିକା ଭାବେ ନିର୍ବାଚନ ଜିତିଥିଲେ। ୨୦୦୯ ନିର୍ବାଚନରେ ଟିକେଟ୍ ନ ପାଇବାରୁ ୨୦୧୪ରେ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗଦେଇ ଲକ୍ଷ୍ମୀପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ହାରିଥିଲେ। ସେହିପରି ଭାଇ ତ୍ରିନାଥ ଗମାଙ୍ଗଙ୍କୁ ହେମା ବିଜେଡ଼ିରେ ସାମିଲ୍ କରି ୨୦୧୪ ନିର୍ବାଚନରେ ବିଧାୟକ ଭାବେ ଜିତାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଗମାଙ୍ଗ ପରିବାର ଅସ୍ଥିତ୍ବ ହରାଇବା ପରେ ବିକଳ୍ପ ଚିନ୍ତାରେ ଥିଲେ।

ଗିରିଧର ଗମାଙ୍ଗଙ୍କ ଭଳି ବିଜେଡ଼ିର ତୁଙ୍ଗ ତଥା ଆଦିବାସୀ ନେତା ଜୟରାମ ପାଙ୍ଗି ୨୦୧୯ ନିର୍ବାଚନ ପରଠାରୁ ନିଜର ଏବଂ ଉତ୍ତରାଧିକାରୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ଜନତା ଦଳ ଏବଂ ବିଜେଡ଼ି ଟିକେଟରେ ପଟାଙ୍ଗୀ ବିଧାୟକ ଭାବେ ୫ ଥର ଜିତିଥିବା ପାଙ୍ଗୀ ୨୦୦୯ ରେ କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ଦଳ ଟିକେଟ୍ ନ ଦେବା ପରେ ବିଜେଡ଼ି ଛାଡ଼ି ୨୦୧୯ରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ଜୟରାମଙ୍କୁ ଛାଡ଼ିଲେ ପରିବାରର ଅନ୍ୟ ଦୁଇ ବିଧାୟକ ପ୍ରାର୍ଥୀ ପୁଅ ଅଶୋକ ପାଙ୍ଗୀ, ଭାଇ ପ୍ରଫୁଲ୍ଲ ପାଙ୍ଗୀ (ପୂର୍ବତନ ପଟାଙ୍ଗି ବିଧାୟକ) ବିଜେଡି ଟିକେଟ୍ ଦେଇନଥିଲା। ଏକଦା ଗମାଙ୍ଗ, ପାଙ୍ଗି ପରିବାର ବିନା କୋରାପୁଟ ରାଜନୀତିରେ ପତ୍ର ହଲୁନଥିବା ବେଳେ ସମୟ ଚକ୍ରରେ ଦୁଇ ତୁଙ୍ଗ ନେତା ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ପଡ଼ିବା ସଭିଁଙ୍କୁ ଚକିତ କରିଥିଲା।

ସମ୍ବନ୍ଧିତ ଖବର