ଜାତିଗତ ବିଷମତା ବଢାଉଛି କି ମହିଳା ହିଂସା?

ଭୁବନେଶ୍ବର (ଗାର୍ଗୀ ଶତପଥୀ): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କୁଦୁଲା ଗାଁର ଜଣେ ୪୦ ବର୍ଷୀୟା ଅନୁସୂଚିତ ଜାତି ମହିଳାଙ୍କ ସହିତ ହୋଇଛି ବର୍ବର କାଣ୍ଡ। ତାଙ୍କ ପୁଅ ତେଲି ଜାତିର ଜଣେ ନାବାଳିକାଙ୍କୁ ନେଇ ଫେରାର ହୋଇ ଯିବା ଘଟଣାରେ ଝିଅର ପରିବାର ବର୍ଗ ମହିଳାଙ୍କ ଉପରେ ଏଭଳି ଆକ୍ରମଣ କରିଥିଲେ ଯେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଏପରିକି ମହିଳା ଜଣକ ତାଙ୍କ ସହିତ ଗଣଦୁଷ୍କର୍ମ ସହିତ ଘର ଭଙ୍ଗାରୁଜା ହୋଇଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଏଥି ସଂକ୍ରାନ୍ତରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। କିଛି ବର୍ଷ ମଧ୍ୟରେ ଉଭୟ ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍କଟ ଜାତି ପ୍ରଥାର ଭୟଙ୍କର ଚିତ୍ର ପଦାରେ ଆସିବାକୁ ଲାଗିଛି, ଯେଉଁଥିରେ ମହିଳାମାନେ ସିଧାସଳଖ ହିଂସା ବିଶେଷକରି ଯୌନ ହିଂସାର ଶିକାର ହେଉଥିବା ଦେଖାଯାଉଛି। ସ୍ଥିତି ଏହିଭଳି ଯେ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ଦଳ ହାରି ଯିବା ଘଟଣା ନେଇ ହକି ଖେଳାଳି ବନ୍ଦନା କଟାରିଆଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ହକି ଦଳରେ ଅଧିକାଂଶ ଅନୁସୂଚିତ ଜାତି, ଜନଜାତି ବର୍ଗର ଖେଳାଳିମାନେ ସ୍ଥାନ ପାଉଥିବାରୁ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ୁଥିବା ଭଳି ମନ୍ତବ୍ୟ ଦିଆଯାଇଥିଲା। ପ୍ରକାଶ୍ୟରେ ସିଧାସଳକ କିଛି ବ୍ୟକ୍ତି କହୁନଥିଲେ ମଧ୍ୟ ଅଧିକାଂଶ ଏହି ମତ ପୋଷଣ କରନ୍ତି। କୁଦୁଲାରେ ଅବସ୍ଥିତି ଥିବା ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ ଆଜିବି ଜାତି ଆଧାରରେ ଚଳଣୀ ବିଭାଜିତ। ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିଙ୍କୁ ଆଜିବି ନିର୍ଦିଷ୍ଟ ପୋଖରୀ, ମନ୍ଦିର ଯିବାରେ ବାରଣ ରହିଛି। ଏହି ଗାଁରୁ ବାହାରି ଅନୁସୂଚିତ ଜାତି ବର୍ଗର ବ୍ୟକ୍ତି ବାହାରେ ଗୁରୁତ୍ବପୂର୍ଣ୍ଣ ପ୍ରଶାସନିକ ପଦରେ ଥାଇ ରାଜ୍ୟ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛନ୍ତି କିନ୍ତୁ ସେମାନଙ୍କ ନିଜ ଗାଁରେ ସେମାନଙ୍କୁ କୌଣସି ସମ୍ମାନ ନାହିଁ। କେବଳ ଗାଇସିଲେଟ ନୁହେଁ ଓଡ଼ିଶାର ପ୍ରାୟ ସବୁ ଗାଁରେ ସେହି ସମାନ ଚିତ୍ର।

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଦିଲ୍ଲୀର ଗବେଷଣା ଅନୁସାରେ, ଅଦାଲତକୁ ଆସୁଥିବା ସମୁଦାୟ ମାମଲାରୁ ପ୍ରାୟ ୭୫ ପ୍ରତିଶତ କେବଳ ଗାଁରେ ଘଟିଥିବା ହିଂସାଗୁଡ଼ିକ ଥାଏ। ଏଥିମଧ୍ୟରୁ ଅଧିକାଂଶ ଅନୁସୂଚିତ ଜାତି ଏବଂ ଜନଜାତିର ଥାଏ। ଅନ୍ୟଦିଗରେ ଏତଲା ଦିଆଯାଉନଥିବା ଅଥବା ରିପୋର୍ଟ ଦାଖଲ ହେଉନଥିବା ଭାରତ ବର୍ଷରେ ସର୍ବାଧିକ ପରିମାଣରେ ହେଉଥିବା ନେଇ ଉଚ୍ଚତମ ନ୍ୟାୟାଳୟ ବିଭିନ୍ନ ସମୟରେ କହି ଆସୁଥିବାବେଳେ ପ୍ରକୃତ ତଥ୍ୟ କେତେ ହେଉଥିବ ସହଜରେ ଅନୁମେୟ । ଜାତିଗତ, ପାରିବାରିକ ହିଂସାରେ ଦୁଷ୍କର୍ମ ସବୁଠାରୁ ବଡ ଅସ୍ତ୍ର ଭାବରେ ବ୍ୟବହାର କରାଯାଏ । ଗ୍ରାମୀଣ ଭାରତର ଏହି କ୍ରୁର ଚିତ୍ର ଆମ ପାଖରେ ରହିଥିଲେ ମଧ୍ୟ ଏହାର ନିରାକରଣ କିମ୍ବା ଆଲୋଚନା କାହିଁକି ହୋଇ ପାରେ ନାହିଁ ତାହା ଏବେ ମଧ୍ୟ ପ୍ରଶ୍ନବାଚୀ । କାନୁନ୍‌ରେ ଏତଲାର କମ୍ପୁଟରୀକରଣ, ଏତଲାକୁ ଥାନାର ବାଧା ଦିଆଯିବ ନାହିଁ, ଘଟଣାର ଯଥାଶୀଘ୍ର ତଦନ୍ତ କରାଯିବ ଆଦି ଅନେକ କଥା କୁହାଯାଉଥିଲେ ବାସ୍ତବ କ୍ଷେତ୍ରରେ ଏହାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ।

ମହିଳା ସଂପର୍କିତ କୌଣସି ମାମଲା ଥାନାକୁ ଗଲେ, ଥାନା ବାବୁ(ମହିଳା ଥାଆନ୍ତୁ ଅବା ପୁରୁଷ) ସେମାନେ ପ୍ରଥମେ ଝିଅର ଚରିତ୍ର ବିଶ୍ଳେଷଣରେ ଲାଗି ପଡନ୍ତି । ଭାରତ ଯେତେ ଆଧୁନିକତାରେ ପାଦ ଦେଇଥିଲେ ମଧ୍ୟ ସ୍ବାଧୀନତାର ୭୪ ବର୍ଷ ପରେ ବି ଭାରତର ଆତ୍ମା ଗାଁର ସେ ପୁରୁଣା ସଂକୀର୍ଣ୍ଣ ଚିନ୍ତାଧାରାରେ ସୀମିତ ହୋଇ ରହିଛି। ଭାରତୀୟମାନଙ୍କ ସାମନ୍ତବାଦୀ ବିଚାରଧାରା ଯାହା ମହିଳା ଅତ୍ୟାଚାରର ପ୍ରମୁଖ କାରଣ, ଏହା ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁମାନଙ୍କରେ ଅସ୍ଥି ମଜ୍ଜାଗତ ଭାବରେ ବଜାୟ ରଖିଛି । ନାରୀ ବିରୋଧୀ ମାନସିକତାର ବଦଳୁ ଥିଲେ ବି ଆଶାନୁରୂପ ନୁହେଁ। ଜାତିପ୍ରଥା ଦେଶକୁ ତଳିତଳାନ୍ତ କରି ଦେଇଥିଲେବି ପ୍ରତିଥର ଏହାର ନୃଶଂସତାର ଏକ ଭିନ୍ନ ରୂପରେ ଦେଖିବାକୁ ମିଳୁଛି।

ଅନୁସୂଚିତ ମହିଳାଙ୍କ ପ୍ରତି ଅତ୍ୟାଚାରର କାହାଣୀ

ପୁରୁଷତାନ୍ତ୍ରିକ ବ୍ୟବସ୍ଥାରେ ମହିଳା ସର୍ବଦା ପଛୁଆ ଏବଂ ସାମାଜିକ ଦୃଷ୍ଟିକୋଣରୁ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତି ଅଛୁଆଁ। ସେଥିରେ ପୁଣି ସେମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ। ତେଣୁ ଅନୁସୂଚିତ ଜାତିର ମହିଳା ଶ୍ରେଣୀ, ଲିଙ୍ଗ ଏବଂ ସାମାଜିକ ମାନ୍ୟତା ଆଧାରରେ ଶୋଷିତ ଏବଂ ନିର୍ଯାତିତ। ସେମାନଙ୍କ ପ୍ରତି ଅତ୍ୟାଚାରର କାହାଣୀ ବେଶି ମାର୍ମିକ ହୋଇଥିଲେ ବି ଏହା ଅନାଲୋଚିତ। ଆହୁରି ଦୁଃଖଦ ସ୍ଥିତି ହେଉଛି, ସାଧାରଣରେ ଏହାକୁ ନେଇ ଅବିଶ୍ବାସ। ଉଭୟ ପ୍ରସଙ୍ଗ ଆଲୋଚନା ବେଳେ ଏହି ଅବହେଳିତ ବର୍ଗଟି ପଛରେ ପଡ଼ିଯାଆନ୍ତି, ଲିଙ୍ଗଗତ ସମସ୍ୟା ଆଲୋଚନା ବେଳେ ଉଚ୍ଚ ବର୍ଗର ମହିଳାଙ୍କ ପ୍ରସଙ୍ଗ ବେଶି ମୁଖର ହୁଏ, ଜାତିଗତ ପ୍ରସଙ୍ଗ ହେଲେ ପୁରୁଷମାନେହିଁ ସବୁ ସ୍ଥାନ ମାଡ଼ି ବସନ୍ତି। ପଛରେ ପଡ଼ିଯାଆନ୍ତି ଅନୁସୂଚିତ ଜାତି ବର୍ଗର ମହିଳା।

ସାଧାରଣ ଭାବରେ ଆମ ଦେଶରେ ମହିଳା ଦ୍ବିତୀୟ ଶ୍ରେଣୀର ମାନ୍ୟତା ପାଇଛି। ଲିଙ୍ଗଗତ ଅସମାନତା ବିରୋଧରେ ବର୍ତ୍ତମାନ ସ୍ବର ତୀବ୍ର ହେବାରେ ଲାଗିଛି। କିନ୍ତ ଏହି ଆଲୋଚନା କେବଳ ତଥାକଥିତ ଉଚ୍ଚ ବର୍ଗର ମହିଳାଙ୍କ ସହିତ ହେଉଥିବା ଅତ୍ୟାଚାର ମଧ୍ୟରେ ସୀମିତ। ଏହା ଉଦାହରଣ ଭାବରେ, ଭାରତରେ ରହିଥିବା ଦୁଇଟି ଭୟଙ୍କର ମହିଳା ବିରୋଧୀ ପ୍ରଥାର ଉଦାହରଣ ନିଆଯାଇ ପାରେ। ଗୋଟିଏ ହେଲା ସତୀଦାହ ପ୍ରଥା। ଅନ୍ୟଟି ହେଲା ସ୍ତନ ଟିକସ (ବ୍ରେଷ୍ଟ ଟେକ୍ସ)। ସତୀଦାହ ପ୍ରଥା ବିଷୟରେ ଅତିକମରେ ପ୍ରାୟ ସମସ୍ତେ ଅବଗତ ଥିବେ। ଯେହେତୁ ଏହା ଉଚ୍ଚ ବର୍ଗରେ ପ୍ରଚଳିତ ଥିଲା। ଯେଉଁଠି ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ସ୍ବାମୀର ଚିତାରେ ଝାସ ଦେବାକୁ ପଡ଼ୁଥିଲା। ରାଜା ରାମମୋହନ ରାୟଙ୍କ ସମେତ ସାମାଜିକ ସଂସ୍କାରକଙ୍କ ଆନ୍ଦୋଳନ ପରେ ଏହାକୁ ରୋକାଯିବା ପାଇଁ ଏଥି ଉପରେ ଆଇନ ଆସିଥିଲା। କିନ୍ତୁ ଅନୁସୂଚିତ ଜାତି ସମ୍ପ୍ରଦାୟର ମହିଳାଙ୍କ ଉପରେ ଲାଗୁଥିବା ସ୍ତନ ଟିକସ (ବ୍ରେଷ୍ଟ ଟେକ୍ସ) ଘଟଣା ସଂପର୍କରେ କ୍ବଚିତ୍ ଅବଗତ।

କେରଳରେ ରାଜା ଶାସନ ଚାଲୁଥିବା ସମୟରେ ଚେରଥାଲାରେ ଅନୁସୂଚିତ ଜାତି ସମ୍ପ୍ରଦାୟର ମହିଳାଙ୍କ ପାଇଁ ସ୍ତନ ଟିକସର ବ୍ୟବସ୍ଥା ରହିଥିଲା। ଉଚ୍ଚ ବର୍ଗର ମଳିଳା ମାନେ ସ୍ତନ ଢାଙ୍କିବାରେ କୌଣସି ପ୍ରତିବନ୍ଧକ ନଥିବା ବେଳେ ଅନୁସୂଚିତ ଜାତି ସମ୍ପ୍ରଦାୟର ମହିଳାମାନେ ନିଜ ସ୍ତନ ଢାଙ୍କିବାକୁ ଟିକସ ଦେବାକୁ ପଡ଼ୁଥିଲା। ୧୯୨୪ ମସିହା ପର୍ଯ୍ୟନ୍ତ ଏହି ଆଇନ ବଳବତ୍ତର ରହିଥିଲା। ଏହି ଟିକସର ପ୍ରତିବାଦ କରି ନାନଗେଲି ନାମକ ଜଣେ ମହିଳା ଶେଷରେ ନିଜ ସ୍ତନ କାଟି ଉଚ୍ଚବର୍ଗକୁ କର ରୂପେ ଦେଇଥିଲେ। ନାନ୍ଗେଲି ମରିଯିବା ପରେ ତାଙ୍କ ସ୍ବାମୀ ଦୁଃଖରେ ମ୍ରିୟମାଣ ହୋଇ ନିଜକୁ ଅଗ୍ନିରେ ଦାହ ଦେଇଥିଲେ, ଯାହା ପ୍ରଥମ ପୁରୁଷ ସତୀଦାହ ଭାବେ ପରିଚିତ। ଏହାପରେ ଏହି ଆଇନ୍ବିରୋଧରେ ଅନୁସୂଚିତ ଜାତି ସମ୍ପ୍ରଦାୟର ମହିଳାମାନେ ନିଜ ସ୍ବର ତୀବ୍ର କରିଥିଲେ, ଯାହାର ଫଳ ସ୍ବରୂପ ରାଜାଙ୍କୁ ଏହି ଆଇନ ହଟାଇବାକୁ ପଡ଼ିଥିଲା।

ସେହିପରି ୧୯୧୩ ମସିହାରେ ଦେଶରେ ଏଭଳି ଏକ କୁପ୍ରଥା ଥିଲା, ଯେଉଁଠି ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ସ୍ବାମୀଙ୍କ ସହିତ ମିଳନ ପୂର୍ବରୁ ୩ ଦିନ ସେହି ଗାଁର ତଥାକଥିତ ଉଚ୍ଚ ବର୍ଗର ବ୍ୟକ୍ତି ସହିତ ରାତି ବିତାଇବାକୁ ପଡ଼ୁଥିଲା। ବର୍ତ୍ତମାନ ଏହି ଉଭୟ ପ୍ରଥା ବିଲୁପ୍ତ ହୋଇ ଯାଇଛି ସତ କିନ୍ତୁ ଆଜିର ପୀଢିର ଅନେକ ବ୍ୟକ୍ତି ଏଥିସମ୍ପର୍କରେ ଅବଗତ ନୁହଁନ୍ତି କିମ୍ବା ଏହା ସେମାନଙ୍କ ଚିନ୍ତନର ପରିସୀମା ମଧ୍ୟରେବି ନାହିଁ। ତେବେ ବର୍ତ୍ତମାନ ମଧ୍ୟ ଯେଉଁଭଳି ଭାବରେ ଜାତିଗତ ହିଂସାରେ ମହିଳା ଶୋଷଣର ଶିକାର ହୋଇଥାଆନ୍ତି, ଅଦୃଶ୍ୟ ଭାବରେ ଉଚ୍ଚବର୍ଗର ବ୍ୟକ୍ତିମାନଙ୍କ ମଧ୍ୟରେ ଏହି ଚିନ୍ତନ ଆଜିବି ଉଜ୍ଜୀବିତ ରହିଥିବା ଭଳି ଅନୁଭବ ହୁଏ। ସାମାଜିକ ମାନ୍ୟତା ସହିତ ଅନୁସୂଚିତ ଜାତିର ଝିଅମାନେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଆର୍ଥିକ ଦୃଷ୍ଟି କୋଣରୁ ପଛୁଆ ହୋଇଥିବାରୁ ସେମାନଙ୍କ ଅବସ୍ଥା ଆହୁରି ଖରାପ। ସାଧାରଣତଃ ଆର୍ଥିକ ଦୃଷ୍ଟିକୋଣରୁ ଗାଁରେହିଁ ଅନୁସୂଚିତ ଜାତିର ପରିବାର ରହିଥାଆନ୍ତି। ଗ୍ରାମାଞ୍ଚଳରେ ସାମନ୍ତବାଦୀ ବ୍ୟବସ୍ଥା ଆଜିବି ଅସ୍ଥିମଜ୍ଜାଗତ ହୋଇଥିବାରୁ ସେଠାରେ ଏହିଭଳି ବାଛ-ବିଚାର ସର୍ବାଧିକ ରହିଛି।

India Today

ଗୁଜରାଟର ଏକ ସାମାଜିକ ସଙ୍ଗଠନ ‘ନବସର୍ଜନ’ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ, ୧୫୮୯ଟି ଗାଁରେ କରାଯାଇଥିବା ନମୂନା ସର୍ଭେରେ ୭୧.୪ ପ୍ରତିଶତ ଗାଁରେ ଅନୁସୂଚିତ ଜାତି ବର୍ଗର ମହିଳାଙ୍କୁ ସାର୍ବଜନୀନ ପାଣି ବ୍ୟବହାରେ ବାରଣ କରାଯାଏ। ୬୬.୨ ପ୍ରତିଶତ ଉଚ୍ଚବର୍ଗର ଗୃହିଣୀ ନିଜ ଘରେ ଅନୁସୂଚିତ ଜାତି ମହିଳାଙ୍କୁ କର୍ମଚାରୀ ଭାବରେ ରଖିବାକୁ ଚାହାନ୍ତି ନାହିଁ। ଏହି ରିପୋର୍ଟର ବାସ୍ତବତା ପ୍ରାୟତଃ ସମସ୍ତେ ଅବଗତ। ସହରରେ ଘରୋଇ କର୍ମଚାରୀଙ୍କ ଆବଶ୍ୟକତା ତୁଳନାରେ ଲୋକ କମ ଥିବାରୁ ଅନେକ ଏହାକୁ ଗୌଣ କରିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ପ୍ରତି ବାଛ-ବିଚାର ଅନେକ ପରିବାରରେ ସ୍ପଷ୍ଟ ଦେଖାଯାଏ। ତେବେ ସହରରେ ବାଛ ବିଚାର ରହିଥିଲେ ମଧ୍ୟ ଆଇନ୍କୁ ଡରି ଏହା ଚିତ୍ର ଭିନ୍ନ ରୂପରେ ରହିଛି। ସେମାନଙ୍କ ପ୍ରତି ଏହିଭଳି ବିଭେଦ ଯୋଗୁଁ ଅନେକ ଉପଯୁକ୍ତ ଭାବରେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥାଆନ୍ତି। ଗୁଜରାଟର ଏହି ସାମାଜିକ ସଙ୍ଗଠନର ରିପୋର୍ଟ ଅନୁସାରେ, ବାଲ୍ମିକୀ ଉପଜାତି ଯେଉଁମାନେ ସାଧାରଣ ଭାବରେ ମଳ ସଫା କାର୍ଯ୍ୟରେ ନିୟୋଜିତ ସେମାନଙ୍କ ମଧ୍ୟରୁ ୫୪.୮ ପ୍ରତିଶତ ପ୍ରସୂତୀ କିମ୍ବା ଗର୍ଭବତୀଙ୍କ ଘରକୁ ଅଙ୍ଗନବାଡୀ କିମ୍ବା ଆଶା କର୍ମୀ ଯାଆନ୍ତି ନାହିଁ କିମ୍ବା ସେମାନଙ୍କ ପ୍ରତି ହୀନମାନ୍ୟ ଆଚରଣ ପ୍ରଦର୍ଶନ କରନ୍ତି। ସମ୍ବେଦନଶୀଳ ନଜରରେ ଦେଖିଲେ ଏହା ଆମେ ନିଜ ଅଞ୍ଚଳରେ ଦେଖିବା ପାରିବା। ଦ୍ବିତୀୟତଃ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତି ଜମି ଉପରେ ମାଲିକାନା ପ୍ରାୟତଃ କମ୍, ତେଣୁ ସେହି ବର୍ଗର ମହିଳାଙ୍କ ମାଲିକାନା ଆହୁରି କମ୍ରହିଛି। ଆର୍ଥିକ ଦୂରାବସ୍ଥା ଦୂର ପାଇଁ ସେମାନେ ସେହି ଗାଁର ଜମିଦାର କିମ୍ବା ଗୌନ୍ତିଆଙ୍କ ଘରେ କାର୍ଯ୍ୟ କରନ୍ତି। ବିଭିନ୍ନ ପ୍ରକାର ଶୋଷଣର ଶିକାର ହୋଇଥାଆନ୍ତି।

ନାରୀବାଦରେ ଜାତି, ଶ୍ରେଣୀ ପ୍ରସଙ୍ଗ ଯଥାର୍ଥ କି?

ମହିଳା ବିରୋଧୀ ଅନ୍ୟାୟ କେବଳ ଲିଙ୍ଗଗତ କି? ଏଥିରେ ଜାତି ଏବଂ ଶ୍ରେଣୀ ପ୍ରସଙ୍ଗ ଉଠାଇଲେ ମହିଳାମାନେ ବିଭାଜିତ ହୋଇ ପଡ଼ିବେ କି ? ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରୁ ଶକ୍ତିଶାଳୀ ବର୍ଗ ଏବଂ ଦୁର୍ବଳ ବର୍ଗ ମହିଳା ଉଭୟ ନିଜ ହିସାବରେ ଲଢେଇ ଲଢୁଛନ୍ତି। ନିର୍ଭୟା ଘଟଣାରେ ଅନେକ ଲୋକେ ଜଣେ ଛାତ୍ରୀଙ୍କୁ ବିଳମ୍ବିତ ରାତିରେ ବାହାରେ କାହିଁକି ବୁଲୁଥିଲେ ବୋଲି ସେତେବେଳେ ପ୍ରଶ୍ନ କରିଥିବାବେଳେ ଉତ୍ତରପ୍ରଦେଶ ହାଥରସ ସାମୁହିକ ଦୁଷ୍କର୍ମ ଘଟଣାରେ ଆଖୁ ବୁଦା ନେଇ କିଛି କୁତ୍ସିତ ମାନସିକତା ସମ୍ପର୍ଣ୍ଣ ବ୍ୟକ୍ତି ପ୍ରଶ୍ନ କରିଥିଲେ। ଗ୍ରାମାଞ୍ଚଳର ଗରିବ ଅନୁସୂଚିତ ଜାତି, ଜନଜାତିର ମହିଳା ହିଂସା ଅଭିଯୋଗ କଲେ ତାକୁ ଗୁରୁତ୍ବର ସହିତ ନିଆଯାଏ ନାହିଁ ବୋଲି ଯେତିକି ସତ ମେଟ୍ରୋସିଟିର ଯୁବତୀ ଏହିଭଳି ଅଭିଯୋଗ ନେଇ ଗଲେ କିଭଳି ପୋଷାକ ପିନ୍ଧିଥିଲେ ବୋଲି ପ୍ରଶ୍ନ ପଚାରିବା ସେତିକି ସତ।

ସେହିପରି ହାଇଦ୍ରାବାଦ ମହିଳା ଡାକ୍ତର ଦୁଷ୍କର୍ମ ଘଟଣାରେ ଅନେକ ସମୟ ପର୍ଯ୍ୟନ୍ତ ସେ ଯେତେବେଳେ ନିଖୋଜ ଥିଲେ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ କୁଆଡ଼େ ଚାଲିଯାଇଥିବେ ବୋଲି ପୁଲିସ କହିଥିଲା। ମିଠୁ ମୁଭମେଣ୍ଟକୁତ ଭାରତରେ ସମର୍ଥନ ମିଳିଲା ନାହିଁ। ଏହା ସତ୍ତ୍ବେ ନାରୀବାଦରେ ଜାତି ଏବଂ ଶ୍ରେଣୀ ପ୍ରସଙ୍ଗ ଉଠାଇବା ଜରୁରୀ ହୋଇ ପଡ଼ିଛି। ନଚେତ ମହିଳା ନ୍ୟାୟ ପ୍ରସଙ୍ଗରେ ସର୍ବାଧିକ ଲିଙ୍ଗ ଏବଂ ସାମାଜିକ ବିଭେଦ ଦୃଷ୍ଟିରୁ ତଳରେ ରହିଯାଇଥିବା ମହିଳାଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼ିବ। ଏହି ମହିଳାମାନେ ଲିଙ୍ଗଗତ କାରଣରୁ ପରିବାର ଏବଂ ଲିଙ୍ଗଗତ, ସାମାଜିକ ବୈଷମ୍ୟ କାରଣରୁ ବାହାରେ ଶୋଷଣର ଶିକାର ହେଉଛନ୍ତି। କିନ୍ତୁ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ପ୍ରଖର ହେଉ ନାହିଁ କି ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟି ଦିଆଯାଉ ନାହିଁ। (ସଂଖ୍ୟାଲଘୁ ବିଶେଷକରି ମୁସଲମାଲ ମହିଳାଙ୍କ ବିଷୟରେ କହିବା ପାଇଁ ସ୍ବତନ୍ତ୍ର ଆଲୋଚନା ମଧ୍ୟ କମ ପଡ଼ିପାରେ)। ଏପରିକି ସେମାନଙ୍କ କ୍ଷେତ୍ରରେ ତାଙ୍କ କୃତିତ୍ବକୁ ଗୌରବାନ୍ବିତ କରାଯାଇ ପାରୁ ନାହିଁ।

ଲିଙ୍ଗଗତ ସମସ୍ୟା ବା ନାରୀବାଦର କଥା ଉଠିଲେ କେବଳ ଉଚ୍ଚ ଏବଂ ପ୍ରଭାବଶାଳୀ ବର୍ଗର ମହିଳା ମଧ୍ୟରେ ସୀମିତ ରହିଯାଉଛି। ଲକ୍ଷାଧିକ ସଂଖ୍ୟାରେ ବାହାରେ ଏବଂ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ମହିଳା ପ୍ରବାସୀ ଶ୍ରମିକ, କୃଷି ଶ୍ରମିକ, ନିର୍ମାଣ ଶ୍ରମିକ, ସଫେଇ କର୍ମଚାରୀ, ଘରୋଇ କର୍ମଚାରୀ ଆଦିଙ୍କ ଆବଶ୍ୟକତା ଅନୁସାରେ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ମୁକାବିଲା ପାଇଁ ରାସ୍ତା ବାହାର କରିବା ସାମାଜିକ ଏବଂ ଶାସନ ବ୍ୟବସ୍ଥା ଭୁଲି ଯାଉଛି। ଏଥିସମ୍ପର୍କରେ ଆବଶ୍ୟକ ଆଲୋଚନା ହୋଇ ପାରୁ ନାହୁଁ। ଲକଡାଉନ ଏବଂ କରୋନା ମୁକାବିଲା ପାଇଁ ସଙ୍ଗରୋଧ କେନ୍ଦ୍ର ନିର୍ମାଣ ସମୟରେ ଏହି ମହିଳାଙ୍କ ପ୍ରତି ସରକାରୀ ଆଭିମୁଖ୍ୟ ପଦାରେ ପଡ଼ିଛି। କାଁଭାଁ କିଛି ସ୍ଥାନକୁ ବାଦ ଦେଲେ କୌଣସି ସ୍ଥାନରେ ସ୍ବତନ୍ତ୍ର ସଙ୍ଗରୋଧ କେନ୍ଦ୍ର ନିର୍ମାଣ ହୋଇନଥିଲା।

ପ୍ରଶାସନିକ ଅଧିକାରୀମାନେ ଧରି ନେଇଥିଲେ ଯେ ବାହାରୁ ଆସୁଥିବା ମଧ୍ୟବିତ୍ତ, ଉଚ୍ଚ ବର୍ଗର ମହିଳାଙ୍କ ଘରେ ସଙ୍ଗରୋଧ ବ୍ୟବସ୍ଥା ରହିଥିବ, ମହିଳା ପ୍ରବାସୀ ଶ୍ରମିକମାନେ ଏକୁଟିଆ ଯାଆନ୍ତି ନାହିଁ ନିଜ ସ୍ବାମୀ କିମ୍ବା ସମ୍ପର୍କୀୟଙ୍କ ସହିତ ଯାଆନ୍ତି। ତେଣୁ ସଙ୍ଗରୋଧ କେନ୍ଦ୍ରରେ ସମ୍ପର୍କୀୟଙ୍କ ସହିତ ରହିଲେ କୌଣସି ଅସୁବିଧା ହେବ ନାହିଁ। ଏହାର ପରିଣାମ ସ୍ବରୂପ ରାଜ୍ୟର ଅନେକ ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କ ସହିତ ଅସଦାଚରଣ ଭଳି ଘଟଣା ଘଟିଥିଲା। ଅଚାନକ ସରକାର ଲକଡାଉନ ଘୋଷଣା କରିବାରୁ ପ୍ରବାସୀ ଶ୍ରମିକମାନେ ଖାଦ୍ୟ ଏବଂ ରୋଜଗାର ନମିଳିବା ଚିନ୍ତାରେ ଚାଲିବା ଆରମ୍ଭ କରିଦେଇଥିଲେ। ଏମାନଙ୍କ ମଧ୍ୟରେ ଥିବା ମହିଳାଙ୍କ ଅବସ୍ଥା କଣ ହୋଇଥିବ ସରକାର ଚିନ୍ତା ମଧ୍ୟ କଲେ ନାହିଁ। ଋତୁତ୍ସାବ, ଗର୍ଭବତୀ, ଏକୁଟିଆ ମହିଳା ରାସ୍ତାରେ ଚାଲିକି ଗଲାବେଳେ ଯେଉଁଭଳି ଶାରୀରିକ, ମାନସିକ ସମସ୍ୟାର ସମ୍ମୁଖୀନ ହୁଏ ଯାହା ପୁରୁଷଙ୍କ ଠାରୁ ଅନେକ ଭିନ୍ନ ଏବଂ କଷ୍ଟକର। ସେହି କଷ୍ଟ କଥା ଚିନ୍ତା କରିଥିଲେ ବୋଧହୁଏ ତତକ୍ଷଣାତ ଗାଡ଼ିର ବ୍ୟବସ୍ଥା ହୋଇ ପାରିଥାଆନ୍ତା।

ତଥ୍ୟ ଅନୁଯାୟୀ, ପୁଞ୍ଜିବାଦର ପ୍ରସାର ସହିତ ସାମନ୍ତବାଦର ମୃତ୍ୟୁ ହୁଏ। ଭାରତରେ ପୁଂଜିବାଦର ପ୍ରସାର ହେଉଥିଲେବି ସାମନ୍ତବାଦର ମୃତ୍ୟୁ ହେଉ ନାହିଁ କି ଜାତି ପ୍ରଥା ଏବଂ ଲିଙ୍ଗଗତ ବିଷମତାବି ମରୁ ନାହିଁ। କିନ୍ତୁ ଯାହା ଦେଶକୁ ଦୁର୍ବଳ କରିବା ସହିତ ଅବିଶ୍ବାସର ବାତାବରଣ ସୃଷ୍ଟି କରୁଛି। ବର୍ତ୍ତମାନ ଆଉ ପୂର୍ବ ଭଳି ସ୍ଥିତି ନାହିଁ ଯେ ଅନୁସୂଚିତ ଜାତି ବର୍ଗ ଚୁପ ହୋଇ ରହିବେ। ସେମାନଙ୍କ ସ୍ବର ମଧ୍ୟ ପ୍ରଖର ହେଲାଣି, ଯୁଗଯୁଗ ଧରି ଉଚ୍ଚ ବର୍ଗ ଠାରୁ ଶୋଷଣ ଏବଂ ହୀନମାନ୍ୟତାର ଶିକାର ଅନୁସୂଚିତ ଜାତି ବର୍ଗ ମଧ୍ୟରେ ଉଚ୍ଚ ବର୍ଗ ପ୍ରତି ଅବିଶ୍ବାସ, ଘୃଣା ଭାବ ସୃଷ୍ଟି ହେବା ଆରମ୍ଭ ହେଲାଣି। ଭେଦଭାବ ରଖନ୍ତୁ ବା ନରଖନ୍ତୁ ସମସ୍ତେ ଏହାର ପରିଧିକୁ ଆସିବାରେ ଲାଗିଛନ୍ତି, ତେଣୁ ଜାତି, ଲିଙ୍ଗ ଆଧାରରେ ହିଂସା କେବଳ ବ୍ୟକ୍ତି ନୁହେଁ ଦେଶ, ସମାଜ ପାଇଁ କ୍ଷତିକାରକ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର