ରାଉରକେଲା: ହକି ବିଶ୍ବକପ୍କୁ ଦୃଷ୍ଟିରେ ରଖି ରାଉରକେଲା ବିମାନ ବନ୍ଦରକୁ ସଂପ୍ରସାରଣ କରାଯାଉଛି। ତେବେ ରାଉରକେଲା ବିମାନବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ଆନ୍ତରିକତାର ଅଭାବ ରହିଛି; ତାହା ନିଃସନ୍ଦେହ। ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବଠାରୁ ଆରମ୍ଭ କରି ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ସୁଯୋଗ ଥିବା ସତ୍ତ୍ବେ ବଡ଼ ବିମାନ ଅବତରଣ କରିବାର ବ୍ୟବସ୍ଥା କରାନଯିବା, ୩ସି ଲାଇସେନ୍ସ ମାନ୍ୟତା ନ ମିଳିବା, ରାତ୍ରିକାଳୀନ ବିମାନ ଅବତରଣ ଆଦି ବ୍ୟବସ୍ଥା କରାନଯିବା ପର୍ଯ୍ୟନ୍ତ; ପ୍ରତିଟି କ୍ଷେତ୍ରରେ କେନ୍ଦ୍ର ସରକାର ଉଦାସୀନତା ପ୍ରତିଫଳିତ ହୁଏ। ପୂର୍ଣ୍ଣକାଳୀନ ବିମାନବନ୍ଦର ପାଇଁ ଏକାଧିକବାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ଦୃଷ୍ଟି ଆକର୍ଷଣ କରିଛନ୍ତି; କିନ୍ତୁ ସ୍ଥିତିରେ ପରିବର୍ତ୍ତନ ହେଉନି।
ଇତିମଧ୍ୟରେ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇସାରିଥିବାବେଳେ କେବଳ ଡିଜିସିଏ ସର୍ବେକ୍ଷଣ ବାକି ରହିଛି। ଯଥାଶୀଘ୍ର ଡିଜିସିଏ ସର୍ବେକ୍ଷଣ ସମ୍ପନ୍ନ ହେଲାପରେ ଏଠାରେ ଟ୍ରାଏଲ୍ ରନ୍ କରାଯିବ ଏବଂ ବାଣିଜ୍ୟିକ ବିମାନ ଉଡ଼ାଣ ପାଇଁ ରାସ୍ତା ଫିଟିବ। ଉଲ୍ଲେଖଯୋଗ୍ୟ, ଏହି ସମ୍ପସ୍ରାରଣ କାର୍ଯ୍ୟ ଗତ ଅକ୍ଟୋବର ସୁଦ୍ଧା ସମ୍ପନ୍ନ ହେବବୋଲି ଖୋଦ୍ କେନ୍ଦ୍ର ଉଡ୍ଡୟନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରଘୁନାଥପଲ୍ଲୀ ବିଧାୟକଙ୍କୁ ଚିଠି ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ। ନିର୍ମାଣକାର୍ଯ୍ୟ ପ୍ରାୟ ଦେଢ଼ ମାସ ବିଳମ୍ବରେ ଶେଷ ହେବାରୁ ଏବେ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ ତଦନୁଯାୟୀ ବିଳମ୍ବ ହେବାରେ ଲାଗିଛି। ଏହାସହ ଏହି ବିମାନବନ୍ଦର ୨ସି ଲାଇସେନ୍ସ ଯୁକ୍ତ ଥିବାବେଳେ ମାନ୍ୟତା ବୃଦ୍ଧି ପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ଭିତ୍ତିଭୂମି, ବ୍ୟବସ୍ଥା ରହିଛି। ଏଣୁ ଏହାକୁ ୩ସି ଲାଇସେନ୍ସ ପ୍ରଦାନ କରି ଅପେକ୍ଷାକୃତ ବଡ଼ ବିମାନ ଚଳାଚଳ ପାଇଁ ଯୋଜନା କରାଯିବାର ଆବଶ୍ୟକତା ରହିଛି। କିନ୍ତୁ କୌଣସି କାରଣରୁ ଏହାକୁ କେବଳ ୨ସି ଲାଇସେନ୍ସ ପ୍ରଦାନ କରାଯିବ। ଏଠାରେ ରାତ୍ରିକାଳୀନ ବିମାନ ଅବତରଣ ସ୍ବପ୍ନକୁ ମଧ୍ୟ ପୂରଣ କରାଯାଉନି। ଏମିତିକି ରାତ୍ରିକାଳୀନ ବିମାନ ଉଡ଼ାଣ ପାଇଁ ଅତିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଥିଲା। ତେବେ ଦୁର୍ଭାଗ୍ୟଜନକଭାବେ ଏଥିପ୍ରତି କେନ୍ଦ୍ର ଆଖି ବନ୍ଦ କରିଦେଇଥିଲେ।
ଜାଣିଶୁଣି ରାଉରକେଲା ବିମାନବନ୍ଦରର ରନ୍ୱେର ଦୈର୍ଘ୍ୟକୁ କେବଳ ଏଟିଆର୍୭୨ ବିମାନ ଉଡ଼ାଣ ପାଇଁ ସୀମୀତ ରଖାଯିବାକୁ ସହରବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି। ପ୍ରକାଶଥାଉକି, ରାଉରକେଲା ବିମାନ ବନ୍ଦରର ରନ୍ୱେର ଦୈର୍ଘ୍ୟ ହେଉଛି ୬୦୬୬ ଫୁଟ (୧୮୪୮ ମିଟର)। ଏବେ ୬୨୩ ଫୁଟ(୧୯୦ ମିଟର) ରନ୍ୱେର ସଂପ୍ରସାରଣ କରାଯିବାପରେ ଏହାର ମୋଟ୍ ଦୈର୍ଘ୍ୟ ୬୬୮୯ ଫୁଟ (୨୦୩୯ ମିଟର) ବିଶିଷ୍ଟ ହୋଇଛି। ଏତେ କମ୍ ଦୈର୍ଘ୍ୟ ବିଶିଷ୍ଟ ରନ୍ୱେରେ ଅପେକ୍ଷାକୃତ ବଡ଼ ବିମାନ, ଯଥା-ଏ୩୨୦, ଏ୩୨୦ ନିଓ, ଏ୩୨୧ ନିଓ ଆଦି ଅବତରଣ କରିପାରିବ ନାହିଁ। ଏ ଜାତୀୟ ବିମାନ ଉଡ଼ିବାକୁ ହେଲେ ରନ୍ୱେର ଦୈର୍ଘ୍ୟ ଅନ୍ୟୁନ ୬୮୨୬ ଫୁଟ୍ ହେବା ନିତାନ୍ତ ଆବଶ୍ୟକ। ଅର୍ଥାତ୍, ଆଉ ମାତ୍ର ୧୩୭ ଫୁଟ୍(୪୨ ମିଟର) ସଂପ୍ରସାରଣ ହୋଇଥିଲେ ଅନ୍ତଃତପକ୍ଷେ ଅପେକ୍ଷାକୃତ ବଡ଼ ବିମାନ ଚଳାଚଳ ସମ୍ଭବ ହୋଇଥାନ୍ତା। ଏତଦ୍ବ୍ୟତୀତ ରନ୍ୱେର ୧୩୪୯ ଫୁଟ୍କୁ ସଂପ୍ରସାରଣରୁ ବାଦ୍ ଦିଆଯାଇଛି। ଏହାକୁ ବାଦ୍ ନ ଦେଇ ସଂପ୍ରାସରଣ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲେ, ରନ୍ୱେର ଦୈର୍ଘ୍ୟ ୮୦୩୮ ଫୁଟ୍ ହୋଇଥାନ୍ତା। ଯଦ୍ବାରା ଏଠାରେ ବୋଇଂ, ଏୟାରବସ୍ ଆଦି ଅବତରଣ ଆଶା ପୂରଣ ହୋଇପାରିଥାନ୍ତା।