ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବାରେ ଲାଗିଛି। ଆଜି କର୍ଣ୍ଣାଟକ ଓ ତେଲେଙ୍ଗାନା ରାଜ୍ୟର କେତେକ ଅଞ୍ଚଳ ସମେତ ରୟାଲସୀମାର ବାକି ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରୟାଲସୀମାର କିଛି ଅଞ୍ଚଳ, ଦକ୍ଷିଣ ମହାରାଷ୍ଟ୍ର ଓ କର୍ଣ୍ଣାଟକର କେତେକ ଅଞ୍ଚଳରେ ମୌସୁମୀ ବାୟୁ ସକ୍ରିୟ ହେବାକୁ ପାଗ ଅନୁକୂଳ ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି।
ସେପଟେ କାଳବୈଶାଖୀ ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାରୁ ତାପମାତ୍ରା କମିଛି। ଗତକାଲି ସକାଳ ସାଢ଼େ ୮ଟାରୁ ଆଜି ସକାଳ ମଧ୍ୟରେ ସମ୍ବଲପୁରର ବାମରା, କୁଚିଣ୍ଡା, ହୀରାକୁଦ, ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା, କିରମିରା, ଦେଓଗାଁ, ଲାଇକେରା, କୋଲାବିରା ପ୍ରଭୃତି ସ୍ଥାନରେ ବର୍ଷା ହୋଇଛି। ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ ଓ ବଲାଙ୍ଗୀରରେ ୪୨, ବରଗଡ଼ରେ ୪୧.୭, ସୋନପୁରରେ ୪୦.୮, ଭବାନୀପାଟଣାରେ ୪୦.୫ ଡିଗ୍ରି ରହିଥିଲା।
ମଙ୍ଗଳବାରଠାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ୫ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବ। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ। ୬ ତାରିଖରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।