କୋରାପୁଟ: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତ ଅନ୍ୟତମ। ଏଠାରେ ଥିବା  ଜଳପ୍ରପାତରେ ୧୫୦ ଫୁଟ ଉଚ୍ଚତାରୁ ଜଳ ପଡୁଥିବା ଦେଖିବାକୁ ମିଳିଥାଏ। ଏହି ସ୍ଥାନର ସୌନ୍ଦର୍ଯ୍ୟକରଣ ଓ ସାମଗ୍ରୀକ ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟିଏ ୧୦ଲକ୍ଷ ୪୬ହଜାର ଟଙ୍କାର ଅନୁଦାନ ଜିଲ୍ଲାକୁ ଆସିଥିଲା। ଏହି ଅନୁଦାନକୁ ଗ୍ରାମ୍ୟ ବିଭାଜନ ବିଭାଗକୁ ଜିଲ୍ଲାପ୍ରଶାସନ ଦେଇଥିଲେ। ଏହାରି ମଧ୍ୟରେ ବ୍ଲକ ପ୍ରଶାସନ ଓ କୋରାପୁଟ ଆଇଟିଡିଏ ପ୍ରକଳ୍ପ ପକ୍ଷରୁ ଏଠାରେ କିଛି ବିକାଶ କରାଯାଇଛି।

Advertisment

ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍ ଏହି ଡୁଡୁମା ଜଳପ୍ରପାତ ନିକଟକୁ ସ୍ଥାନକୁ ଯାଇ ଏହାର ନିରୀକ୍ଷଣ କରିବା ସହ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ସୁନାବେଡା ଡିଭିଜନ୍ ଗ୍ରାମ୍ୟ ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ.ଅଭିଜିତ୍ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସୂଜାତା ଦିଶାରୀ,  ଲମତାପୁଟ ବ୍ଲକ ବିଡିଓ , ସହକାରୀ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଲିନା ପ୍ରଧାନୀଙ୍କ ସହ ଆଲୋଚନା କରିଥିଲେ। ବ୍ଲକ ପ୍ରଶାସନ ଓ କୋରପୁଟ ଆଇଟିଡିଏ ପକ୍ଷରୁ ସ‌ୌନ୍ଦର୍ଯ୍ୟକରଣ କାମ ପୂର୍ବରୁ ଆରମ୍ଭ କରିଥିବାରୁ ଆସିଥିବା ଅନୁଦାନକୁ ଗ୍ରାମ୍ୟବିଭାଜନ ବିଭାଗ ଲମତାପୁଟ ବ୍ଲକକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯେଭଳି ଡୁଡୁମା ଜଳପ୍ରପାତ ସ୍ଥାନ ପାଇବ ସେ ଦିଗରେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ।

publive-image

ସୂଚନାଯୋଗ୍ୟ, ଲମତାପୁଟ ବ୍ଲକଠାରୁ ଅନକାଡେଲି ଯିବା ପୂର୍ବରୁ ଡୁଡୁମା-ମାଛକୁଣ୍ଡ ଜଳପ୍ରପାତ ଦୃଷ୍ଟିଗୋଚର ହୋଇଥାଏ । ଏହି ଜଳପ୍ରପାତକୁ ଦେଖିବା ତଥା ପ୍ରାକୃତିକ ବିଭବକୁ ଉପଭୋଗ କରିବା ପାଇଁ  ଏଠାକୁ ରାଜ୍ୟର କୋଣ ଅନୁକୋଣ, ପଡୋଶୀ ରାଜ୍ୟ ଆନ୍ଧ୍ର, ତେଲଙ୍ଗାନା, ଛତିଶଗଡ ସହ ବହୁ ଦେଶି ବିଦେଶୀ ପର୍ଯ୍ୟଟକଙ୍କ ଯିବା ଆସିବା ଲାଗି ରହିଥାଏ।   କୋରାପୁଟ, ସେମିଳିଗୁଡ଼ା ଓ ଜୟପୁରଠାରୁ ଯଦିଓ ଯିବା ଆସିବା ପାଇଁ  ଯାନବାହାନର ସୁବିଧା ରହିଥିବା ବେଳେ ଜୟପୁରଠାରୁ ପ୍ରତିଦିନ ବସ ସୁବିଧା ରହିଛି। ଏହି ସ୍ଥାନରେ ରାତ୍ରି ଯାପନ କରିବାପାଇଁ ବିଦ୍ୟୁତ ବିଭାଗର ମାତ୍ର ଏକ ଆବାସସ୍ଥଳୀ ରହିଛି। ତେବେ ପର୍ଯ୍ୟଟନ ବିଭାଗ, ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା, ପର୍ଯ୍ୟଟକ ମାନେ ରହିବା ଓଖାଇବା ପାଇଁ ହୋଟେଲ, ଲଜର ବ୍ୟବସ୍ଥା କିଛି କରି ନାହାନ୍ତି। ଅନ୍ୟପକ୍ଷରେ ବିପଦସଂକୁଳ ଜଳପ୍ରପାତ ନିକଟ‌ରୁ ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋହର। ପର୍ଯ୍ୟଟକ ମାନେ ଏଠାରେ ବେଶି ଭୀଡ ଜମାଇବା ସହ ଏଠାରେ ଥିବା ବଡ ପଥର ଉପରେ ଠିଆ ହୋଇ ସେଲଫି ନେବା, ଫଟୋ ଉଠାଇଥାନ୍ତି।

ତେବେ ଏଠାରେ ସୁରକ୍ଷା ବାଡ କିଛି ନଥିବାରୁ ବହୁ ସମୟରେ ଛୋଟ ବଡ ଦୁର୍ଘଟଣା ଘଟିବା, ସେଲଫି, ଫୋଟ ନେବା ସମୟରେ ତଳକୁ ଖସି ମୃତ ଓ ଗୁରୁତର ଆହତ ହେଉଥିବା ଭଳି ଘଟଣା ଜାରୀ ରହିଥିଲା। ଏସବୁ ଘଟିବା ଫରେ ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏଠାରେ ସୁରକ୍ଷାବାଡ଼ ଓ ମିଶନଶକ୍ତି କାଫେ ଆଦି ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଛି। ଆସିଥିବା ଅନୁଦାନ‌ରେ ଏଠାରେ ୮ଲକ୍ଷ ୫୦ହଜାରଟଙ୍କାରେ ଶିଶୁ ଉଦ୍ୟାନ, ୯ଲକ୍ଷ ୭୦ହଜାର‌ରେ ଭ୍ୟୁ ପଏଣ୍ଟ, ୯ଲକ୍ଷ ୭୦ହଜାରରେ ପାର୍କିଂ ଅଂଚଳର ଉନ୍ନତୀକରଣ, ୧୯ଲକ୍ଷ ୭୦ହଜାରରେ ବିଦ୍ୟୁତିକରଣ, ୧୩ଲକ୍ଷ ୭୦ହଜାରରେ ଇଲୁମିନେସନ୍ , ୧୦ଲକ୍ଷ ୪୦ହଜାରରେ ଟୟଲଟ୍ ବ୍ଲକ,୭ଲକ୍ଷ ୯୦ହଜାରରେ ପାନୀୟ ଜଳ, ସିଟିଙ୍ଗ ବେଂଚ, ୱେଷ୍ଟ ବିନ୍, ହ୍ୟାଣ୍ଡ ରେଲିଂ ଆଦିକୁ ନେଇ କୋଟିଏ ୧୦ଲକ୍ଷ ୪୬ହଜାର ଟଙ୍କାର ଅନୁଦାନ ଆସିଥିବା ସୂଚନା ମିଳିଛି। ଆସିଥିବା ଅନୁଦାନକୁ ସଠିକ ଭାବେ ସଦୁପଯୋଗ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ଜିଲ୍ଲାପାଳ ବ୍ଲକର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।