ଭୁବନେଶ୍ବର: ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଗତକାଲି ବିଧାୟକ ରମେଶ ଜେନା ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସାନ ପୁଅ ମନୋଜ ଜେନାଙ୍କ ବନ୍ଧୁମିଳନ ଏବେ ଚର୍ଚ୍ଚାରେ। ବିନା ଦଳୀୟ ବ୍ୟାନରରେ ହୋଇଥିବା ବନ୍ଧୁମିଳନକୁ ନେଇ କଂଗ୍ରେସ ମହଲ ସରଗରମ। ପିସିସି ସଭାପତିଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବାର ୬ମାସ ହୋଇନି,କଂଗ୍ରେସର ପୁରୁଣା ରୋଗ ଆରମ୍ଭ ହୋଇଯାଇଛି।
ପୂର୍ବରୁ ଏକାଧିକ ଥର ବିଧାୟକ ହୋଇଥିବା ଶ୍ରୀ ଜେନା ରାଜଧାନୀରେ ଏମିତି କାର୍ଯ୍ୟକ୍ରମ କରି ନ ଥିଲେ। ତାଙ୍କର ହଠାତ୍ ଏମିତି ସଭାର ଆୟୋଜନକୁ ନେଇ ସନ୍ଦେହ ଉଠିବା ସ୍ୱାଭାବିକ। ରାଜଭବନ ପାଖ ଜନୈକ ମହତ୍ତ୍ୱାକାଂକ୍ଷୀ ନେତାଙ୍କ ପ୍ରରୋଚନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏତେ ବିଶାଳ ଆୟୋଜନ କରାଯିବା ପଛରେ ନିର୍ଦ୍ଦିଷ୍ଟ ରାଜନୈତିକ ଉଦ୍ଦେଶ୍ୟ ରହିଛି। ନିଜେ ପରଦା ପଛରେ ରହି ଯୁବ ଚେହେରାଙ୍କୁ ଆଗକୁ ଛାଡ଼ିଛନ୍ତି ବୋଲି ତଥ୍ୟାଭିଜ୍ଞ ମହଲରୁ ସୂଚନା ମିଳିଛି। ଯଦିଓ ଏହାକୁ ନେଇ ଦଳ ଭିତରେ କେହି ମୁହଁ ଖୋଲୁନାହାନ୍ତି, କିନ୍ତୁ ସଭାପତିଙ୍କୁ ଚେକ୍ ଦେବା କିମ୍ୱା ମୂଲଚାଲ କରିବାକୁ ଏଭଳି ଉଦ୍ୟମ ହୋଇଥିବା କୁହାଯାଉଛି।
ଏହି କାର୍ଯ୍ୟକ୍ରମର ମଞ୍ଚ ଉପରେ ଥିବା ପୋଡିୟମରେ ଆର୍.ଜେ ସରକାର ବୋଲି ଲେଖାଯାଇଥିଲା। ମଞ୍ଚ ଉପରେ କେବଳ ୨ଟି ଚେୟାର ପଡ଼ିଥିବା ବେଳେ ରମେଶ ଓ ମନୋଜ ବସି ଫୁଲତୋଡ଼ା ଗ୍ରହଣ କରିଥିଲେ। ୨ହଜାର ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇଥିବା ବେଳେ ରାଜଧାନୀ ଆଖପାଖ ଅଞ୍ଚଳର ଯୁବକଙ୍କୁ ଏକାଠି କରାଯାଇଥିଲା। ଦଳର ନାମ କିମ୍ୱା ଦଳୀୟ ଚିହ୍ନ ବ୍ୟବହୃତ ହୋଇ ନ ଥିଲେ ସୁଦ୍ଧା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ବହୁ ସକ୍ରିୟ ସଙ୍ଗଠକଙ୍କୁ ଏହି କାର୍ଯ୍ୟକ୍ରମରେ ମଞ୍ଚ ତଳେ ଓ ଉପରେ ଦେଖିବାକୁ ମିଳିଥିଲା। ମାତ୍ର ପିସିସି ସଭାପତି ଶ୍ରୀ ଦାସ ଭୁବନେଶ୍ୱରରେ ଥିଲେ ମଧ୍ୟ ତାଙ୍କୁ ଏ କାର୍ଯ୍ୟକ୍ରମକୁ କାହିଁକି ଡକାଗଲା ନାହିଁ ? ବନ୍ଧୁମିଳନ କାର୍ଯ୍ୟକ୍ରମରେ କ’ଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଭକ୍ତଙ୍କ ଭଳି ସମାନ୍ତରାଳ ସଂଗଠନ ଗଢ଼ିବା ନେଇ ସଙ୍କେତ ମିଳିଲାଣି। ପିସିସି ସଭାପତି ସଭା ସମିତି ବା ଗଣମାଧ୍ୟମରେ ଯେତେ ବାହାସ୍ଫୋଟ ମାରିଲେ ମଧ୍ୟ କଂଗ୍ରେସରେ ଯେ ସବୁକିଛି ଆଦୌ ଠିକଠାକ୍ ନାହିଁ ଓ ତାଙ୍କ ଚୌକି ସୁରକ୍ଷିତ ନୁହେଁ, ତା’ର ସ୍ପଷ୍ଟ ସଂକେତ ଏହି ତଥାକଥିତ ବନ୍ଧୁ ମିଳନରୁ ଅନ୍ତତଃ ମିଳିଯାଇଛି।
ଭକ୍ତ ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ପରେ ରାଜ୍ୟରେ କଂଗ୍ରେସକୁ ସକ୍ରିୟ କରିବାକୁ ଉଦ୍ୟମ ଚଳାଇଛନ୍ତି। କଂଗ୍ରେସରୁ ବାହାରି ଯାଇଥିବା ନେତାଙ୍କୁ ଦଳକୁ ଫେରାଇ ଆଣିଛନ୍ତି। ତୃଣମୂଳସ୍ତରରୁ କଂଗ୍ରେସକୁ ଏକାଠି କରି ଆଗକୁ ବଢ଼ିବା ଲାଗି ଭକ୍ତ ସଜବାଜ ହେଉଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନରେ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କଂଗ୍ରେସ ଅଣ୍ଟା ଭିଡ଼ିଛି। ହେଲେ ଭକ୍ତ ଘର ସଜାଡ଼ୁଥିବା ବେଳେ କଂଗ୍ରେସର ପୁରୁଣା ରୋଗ ବାହାରିଛି। ବନ୍ଧୁମିଳନକୁ ନେଇ ବିଧାୟକ ତାରାପ୍ରସାଦ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି, କିଏ ବନ୍ଧୁ ମିଳନ କରିଥିଲା ମୁଁ ଜାଣିନାହିଁ। ଯଦି କେହି ଦଳୀୟ ଫୋରମରୁ ବାହାରକୁ ଯାଇ ବୈଠକ କରିଥିବେ ତାହାହେଲେ ପିସିସି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/05/dRsXGh7MWmwxk94LmdTE.jpg)