ଲକ୍ଷ୍ମଣରେଖା ଡେଉଁଛନ୍ତି କି କଳାହାଣ୍ଡିର ହେଭିୱେଟ୍‌ ନେତା?

ଭବାନୀପାଟଣା: ଆଗରୁ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା। କିଛିଦିନ ତଳେ ସମାନ ଧରଣର ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ବସନ୍ତ ପଣ୍ଡା। ୩ଜଣ ହେଉଛନ୍ତି କଳାହାଣ୍ଡିର ହେଭି‌ୱେଟ୍‌ ନେତା। ସେମାନେ ମଧ୍ୟ ୩ ପ୍ରମୁଖ ଦଳରୁ ପ୍ରତିନିଧିତ୍ବ କରୁଛନ୍ତି। ଏବେ ୩ ବରିଷ୍ଠ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାଧାରଣରେ ତର୍ଜମା ଆରମ୍ଭ ହୋଇଛି। କେହିକେହି ପ୍ରଶ୍ନ କରିଛନ୍ତି, କଳାହାଣ୍ଡିର ହେଭିୱେଟ୍‌ ନେତାମାନେ କ’ଣ ଲକ୍ଷ୍ମଣରେଖା ଡେଉଁଛନ୍ତି କି?’

୨୦୧୯ ମସିହା ନିର୍ବାଚନ ପୂର୍ବରୁ ବିଜେଡିର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ ସଭାରେ ଜଣେ ଭିନ୍ନକ୍ଷମଙ୍କୁ ଜୀବନରୁ ମାରିବାକୁ ଧମକ ଦେଇ ହରଡ଼ଘଣାରେ ପଡ଼ିଥିଲେ। ଭିନ୍ନକ୍ଷମ ଜଣକ ଯାଦବ ହୋଇଥିବାରୁ କଳାହାଣ୍ଡି ଯାଦବ ମହାସଭା ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍‌ ଅଫିସ ଆଗରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ସେତେବେଳେ ଏହା କେବଳ ଜିଲ୍ଲାରେ କାହିଁକି, ସାରାରାଜ୍ୟରେ ବି ଚର୍ଚ୍ଚାର ପରିସରକୁ ଆସିଥିଲା। ସେହିଭଳି, ଗତବର୍ଷ ଗୋଲାମୁଣ୍ଡା ବ୍ଲକ୍‌ ମହାଲିଙ୍ଗଠାରେ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ବି ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା ଏବଂ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା।

ସେହି ସମୟରେ ଜୁନାଗଡ଼ର ନୂଆ ବସ୍‌ଷ୍ଟାଣ୍ଡଠାରେ କଂଗ୍ରେସ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା ଏବଂ ‌ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ଏଥିରେ ଯୋଗ ଦେଇଥିଲେ। କିଛି ବିରୋଧୀ ତାଙ୍କୁ ଅଣ୍ଡା ମାରିବାକୁ ସଜବାଜ ହେଉଥିବାନେଇ ଆଭାସ ପାଇବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ ଶ୍ରୀଦାସ। ଏବଂ, ବୋମା ପକାଇ ଉଡ଼ାଇ ଦେବାକୁ ସେ ଧମକ ଦେଇଥିଲେ।

ନିକଟରେ ସେହିଭଳି ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ସ୍ଥାନୀୟ ସାଂସଦ ବସନ୍ତ ପଣ୍ଡା। ଚଳିତ ମାସ ୧୦ ତାରିଖର ଘଟଣା। ସେଦିନ ଜୁନାଗଡ଼ ଏନ୍‌ଏସିରେ ପ୍ରଥମ କାଉନସିଲରମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସାଂସଦ ଶ୍ରୀପଣ୍ଡା ଏଥି‌ରେ ଯୋଗଦେଇଥିଲେ। ସାଂସଦଙ୍କୁ ସ୍ୱାଗତ କରିବା ସମୟରେ ବିଜେଡି କାଉନସିଲର ଓ ସାଂସଦଙ୍କ ମଧ୍ୟରେ ଆରମ୍ଭରୁ ହିଁ କଥା କଟାକଟି ହୋଇଥିଲା। ପରେ ସଭା ସମୟରେ ସାଂସଦ ଶ୍ରୀ ପଣ୍ଡା ‘ଯିଏ ମୋର ଗୋଡ଼ କାଟିବାକୁ ଚେଷ୍ଟା କରିବ ମୁଁ ମୁଣ୍ଡ କାଟିବାକୁ ପଛାଇବି ନାହିଁ ’ ବୋଲି କହିଥିଲେ। ଏହି କଥା ବିଜୁଳି ବେଗରେ ପ୍ରଚାର ହେବା ସହ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

ଏହି ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ତିନି ଦଳର ହେଭିୱେଟ ନେତାମାନଙ୍କ ବିବାଦୀୟ ମନ୍ତବ୍ୟ ଲକ୍ଷ୍ମଣ ରେଖା ଡେଉଁନାହିଁ ତ ବୋଲି ଏବେବି ସାଧାରଣରେ ଚର୍ଚ୍ଚା ଜାରି ରହିଛି।

ସମ୍ବନ୍ଧିତ ଖବର