ବାରିପଦା: କରୋନାର ପ୍ରକୋପକୁ ସଫଳତାର ସହିତ ମୁକାବିଲା କରି ମୟୂରଭଞ୍ଜ ଏଯାବତ୍ ଗ୍ରୀନ୍ ଜୋନରେ ରହିଛି। ମାତ୍ର ଏହି ଜିଲ୍ଲାପାଇଁ ଅଡ଼ୁଆ ଭାବେ ଉଭା ହୋଇଛି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ। ଅନ୍ତଃରାଜ୍ୟ ସୀମାକୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସିଲ୍ କରିଦେଇଛି। କଡ଼ା ପୁଲିସ୍ ବନ୍ଦୋବସ୍ତ ମଧ୍ୟ ହୋଇଥିବା ଏସ୍ପି କହୁଛନ୍ତି। ମାତ୍ର ବାସ୍ତବ ଚିତ୍ର ହେଉଛି ଆଜିବି ଚାଲିଛି ଜିଲ୍ଲାରୁ ପଶ୍ଚିମବଙ୍ଗକୁ ଏବଂ ସେଠାରୁ ଜିଲ୍ଲାକୁ ବେଧଡକ୍ ଅନୁପ୍ରବେଶ। ମୋରଡ଼ା, ଶୁଳିଆପଦା, ରାସଗୋବିନ୍ଦପୁର ଭଳି ସୀମାନ୍ତବର୍ତ୍ତୀ ବ୍ଲକ୍ର ପଶ୍ଚିମବଙ୍ଗକୁ ଲାଗିଥିବା ଗ୍ରାମାଞ୍ଚଳ ରାସ୍ତା ପାଲଟିଛି ସେଫ୍ଜୋନ। ମାଧ୍ୟମ ସାଜୁଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡି। ମାଛ ଗାଡି ହେଉ ଅବା ଆଳୁ ଗାଡି; ଲୁଚାଛପାରେ ଚାଲିଛି ମଣିଷ ପରିବହନ।
ଆଜି ବାଲେଶ୍ବର, ଭଦ୍ରକ ଏବଂ ଯାଜପୁରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ସ୍ପଷ୍ଟ ହୋଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ପଶ୍ଚିମବଙ୍ଗରୁ ଆସୁଥିବା ଲୋକ ଜିଲ୍ଲାପାଇଁ ବିପଦର କାରଣ ହୋଇପାରନ୍ତି। ମୋରଡ଼ା ବ୍ଲକ୍ ଛୋଟରାୟପୁର, ବ୍ରାହ୍ମଣମରା, ଧିରେଇଡିହି ଭଳି ଗ୍ରାମାଞ୍ଚଳ ରାସ୍ତାରେ ବେଆଇନ ଭାବେ ପ୍ରବେଶ ଚାଲିଛି। ଯେହେତୁ ମୁଖ୍ୟରାସ୍ତାରେ ପୁଲିସ୍ ଚେକିଂ ହେଉଛି ତେଣୁ ଗ୍ରାମାଞ୍ଚଳ ରାସ୍ତା ଅନୁପ୍ରବେଶ ନିମନ୍ତେ ପ୍ରଥମ ପସନ୍ଦ ପାଲଟିଛି।
ସେହିଭଳି ରାସଗୋବିନ୍ଦପୁର, ଶୁଳିଆପଦା, କୁଳିଅଣାର କିଛି କିଛି ସ୍ଥାନରେ ମଧ୍ୟ ଚାଲିଛି ବେଆଇନ ଗମନାଗମନ। ଏପରିକି ପୁଲିସ୍ ଆଖିରେ ଧୂଳି ଦେଇ ବେଆଇନ ଗମନାଗମନ ହେଉଥିବାନେଇ ସ୍ଥାନୀୟ ବ୍ଲକ୍ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଜଣେଇଦିଆଯାଇଛି। ସୀମାନ୍ତବର୍ତ୍ତୀ ସ୍ଥାନଗୁଡ଼ିକରେ ରାତିରେ ପୁଲିସ୍ ବନ୍ଦୋବସ୍ତ କୋହଳ ହେଉଥିବା ଅଭିଯୋଗ ହୋଇଛି। ଏହାର ଫାଇଦା ନେଉଛନ୍ତି ବେଆଇନ ଭାବେ ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତିବିଶେଷ। ଏପରିକି ମଧ୍ୟରାତ୍ରରେ ଚାଲି ଚାଲି ଆସି ଗାଁରେ ଲୁଚି ରହିଯାଉଛନ୍ତି।
ପ୍ରଶାସନକୁ ମଧ୍ୟ କୌଣସି ସୂଚନା ଦେଉନାହାନ୍ତି। ଫଳରେ ଏହା ଭବିଷ୍ୟତରେ ବିପଦର କାରଣ ହୋଇପାରେ। ପଶ୍ଚିମବଙ୍ଗ ପଟୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ନେଇ ଆସୁଥିବା ଗାଡି ଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯିବାନେଇ ଦାବି ହୋଇଛି। ଜଣେ ଡ୍ରାଇଭର୍ ଏବଂ ଜଣେ କର୍ମଚାରୀଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳର ଚିଠି ଯାଞ୍ଚ କରି ମୟୂରଭଞ୍ଜ ଭିତରକୁ ପ୍ରବେଶ ଅନୁମତି ଦେବାକୁ ଦାବି ହୋଇଛି। ଏନେଇ ଜିଲ୍ଲାପ୍ରଶାସନ କଡ଼ା ମନୋଭାବ ପୋଷଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/RKL1-1.jpg)