କୋରାପୁଟ: ପଟାଙ୍ଗି ବ୍ଲକ୍ କୋଟିଆ ଗ୍ରାମପୁଞ୍ଜରେ କାୟା ବିସ୍ତାର କରୁଛି ମ୍ୟାଲେରିଆ। ଫଗୁଣସିନେରୀ ଗାଁରୁ ସପ୍ତାହକ ମଧ୍ୟରେ ୧୦ ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହେଲେଣି। ଆଜି ଫଗୁଣସିନେରୀରେ ହୋଇଥିବା ସ୍ବାସ୍ଥ୍ୟ ଶିବିରରୁ ୪ ଶିଶୁ ତୁଳା ହେରେକା (୧୦), ସନେଇ ହେରେକା(୫), ପ୍ରେମା ହେରେକା (୧୨) ଓ ରୀନା ନାଗା (୨)ଙ୍କ ମ୍ୟାଲେରିଆ ରିପୋର୍ଟ ପଜିଟିଭ୍ ଆସିଛି। ସେହିପରି ଶୁକ୍ରବାର ହୋଇଥିବା ସ୍ବାସ୍ଥ୍ୟ ଶିବିରରେ ୬ ଶିଶୁଙ୍କ ସହ ମୋଟ୍‌ ୧୦ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଖାଲି ଫଗୁଣସିନେରୀ ନୁହେଁ ଫାଟୁ ସିନେରୀରେ ମଧ୍ୟ ସମାନ ଅବସ୍ଥା।

Advertisment

ଫାଟୁସିନେରୀ ଓ ଫଗୁଣସିନେରୀରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ରକ୍ତ ନମୁନା ସଂଗ୍ରହ କରିଛି କୋଟିଆ ମେଡିକାଲ୍ ଟିମ୍। ଜଣେ ସୁପରଭାଇଜର୍‌, ଷ୍ଟାଫ୍‌ନର୍ସ ଓ ସହାୟକ ସ୍କ୍ରିନିଂ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଫାଟୁସିନେରୀରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସ୍କ୍ରିନିଂ ଜାରି ରଖିଛି। ବର୍ଷା ଦିନ ବଦଳରେ ଶୀତରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ମେଡିକାଲ୍ ଟିମ୍‌। କୋଟିଆ ଗ୍ରାମପୁଞ୍ଜର ବିଭିନ୍ନ ଗ୍ରାମରେ ଜ୍ବର ଓ ମ୍ୟାଲେରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ସୁଯୋଗ ନେଇ ଗାଁରେ ମାତିଛନ୍ତି କ୍ବାକ୍। ଆନ୍ଧ୍ର ଓ ପଶ୍ଚିମବଙ୍ଗ ନମ୍ବର ଥିବା ଗାଡ଼ିରେ ୪ରୁ ୫ ଜଣ କ୍ବାକ୍ ବିଭିନ୍ନ ଗାଁରେ ପଇଁତରା ମାରୁଛନ୍ତି।