ବିଶ୍ବଜିତ ଦାଶ
ଭୁବନେଶ୍ବର: ରାଜ୍ୟର ପ୍ରାୟ ୫୫ହଜାର ସ୍କୁଲରେ ପ୍ରାୟ ୪୫ଲକ୍ଷ ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ହେଲେ ଏଥିରେ ଯେପରି ଓ ଯେଉଁ ପରିମାଣର ଭାତ ସହିତ ପାଣିଆ ଡାଲମା, ସୋୟାବଡ଼ି ତରକାରୀ ଓ ଅଣ୍ଡା ଦିଆଯାଉଛି ସେଥିରେ ପିଲାଙ୍କର ମାନସିକ ଓ ଶାରୀରିକ ବିକାଶ ହେଉଛି ତ! ଏହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ରାଜ୍ୟରେ ଏବେ ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସପ୍ତାହକୁ ଦୁଇ ଦିନ ଲେଖାଏ ଭାତ-ଡାଲମା, ଭାତ-ସୋୟାବଡ଼ି ତରକାରୀ ଏବଂ ଭାତ-ଅଣ୍ଡା ତରକାରୀ ଦିଆଯାଉଛି। ଏଥିପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରତି ମିଲ୍ ପିଛା ୫ଟଙ୍କା ୯୦ପଇସା, ୬ଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରତି ମିଲ୍ ପିଛା ୮ଟଙ୍କା ୮୨ପଇସା ବ୍ୟବସ୍ଥା କରାଯାଇଛି। କିନ୍ତୁ କୌତୂହଳର ବିଷୟ ହେଲା, ରାଜ୍ୟ ସରକାର ଆହାର ଯୋଜନାରେ ପ୍ରତିଦିନ ପ୍ରାୟ ୧ଲକ୍ଷ ଲୋକଙ୍କୁ ଭାତ-ଡାଲମା ଖାଇବାକୁ ଦେଉଛନ୍ତି। ପ୍ରତି ମିଲ୍ ପିଛା ୨୩ ଟଙ୍କା ଧାର୍ଯ୍ୟ କରିଛନ୍ତି। ଭାତ-ଡାଲମା ଯିଏ ଖାଉଛି ସେ ୫ଟଙ୍କା ଦେଉଛି, ବାକି ୧୮ଟଙ୍କା ରାଜ୍ୟ ସରକାର ବହନ କରୁଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି ଯଦି କେବଳ ଭାତ-ଡାଲମା ପାଇଁ ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମୁଣ୍ଡପିଛା ୨୩ଟଙ୍କା ଖର୍ଚ୍ଚ ହେଉଛି ବୋଲି ଜାଣିପାରୁଛି, ତେବେ ୫ଟଙ୍କା ୯୦ପଇସାରେ ପିଲାଙ୍କୁ ଭାତ-ଡାଲମା, ଭାତ-ସୋୟାବଡ଼ି ତରକାରୀ, ଭାତ-ଅଣ୍ଡା ତରକାରୀ ଦିଆଯାଇପାରିବନି ଏକଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜାଣିପାରୁନି କେମିତି? ପ୍ରତି ମିଲ୍ ପିଛା ରାଜ୍ୟ ସରକାରଙ୍କ ଦୁଇଟି ବିଭାଗର ଭିନ୍ନ ଭିନ୍ନ ଦାମ୍ କାହିଁକି? ଯଦି ପିଲା କମ୍ ଖାଉଛନ୍ତି ବୋଲି ଭାବୁଛନ୍ତି ଏହା କ’ଣ ଗୋଟିଏ ମିଲ୍ର ଚାରି ଭାଗରୁ ଭାଗେ?
ବିଡ଼ମ୍ବନାର ବିଷୟ ଆହାର ଯୋଜନାରେ କିପରି ସବୁଦିନ ଭାତ-ଡାଲମା ଯୋଗାଇ ହେବ ସେଥିପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ଆହାର ସୋସାଇଟି ଗଠନ କରିଛନ୍ତି। ଏହା ମାଧ୍ୟମରେ ବିଭିନ୍ନ କର୍ପୋରେଟ୍ ସଂସ୍ଥାଠାରୁ ସିଏସ୍ଆର୍ ପାଣ୍ଠି, ବ୍ୟକ୍ତିଗତ ଦାନ ଅଣାଯାଉଛି। ଟଙ୍କା ନିଅଣ୍ଟ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ଦିଆଯାଉଛି। ଏଥିପାଇଁ ବର୍ଷକୁ ୫୦ରୁ ୬୦କୋଟି ଖର୍ଚ୍ଚ କରାଯାଉଛି। ଯଦି ଭୋଟ୍ ବ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯାଇପାରୁଛି ତେବେ ପିଲାଙ୍କୁ ସୁସ୍ଥ ଶୈଶବ ଭେଟି ଦେବା ପାଇଁ କାହିଁକି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ଅତିରିକ୍ତ ଅର୍ଥ ବରାଦ କରାଯିବନି?
ଉଲ୍ଲେଖଥାଉକି, ପିଲାଙ୍କ ଅପପୁଷ୍ଟି ହାର କମାଇବାକୁ କେନ୍ଦ୍ର ସରକାର ପକ୍ଷରୁ ୧୯୯୫ ମସିହାରୁ ଦେଶରେ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ ହୋଇଥିଲା। ଏବେ ଏହା ଉଚ୍ଚ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ବେଳେ ପିଏମ୍ ପୋଷଣ ଯୋଜନାରେ ଏଥିପାଇଁ ଅର୍ଥ ଦିଆଯାଉଛି। ରାଜ୍ୟରେ ୩୧% ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ୫ଟଙ୍କା ୯୦ପଇସାରେ ଏମିତି କ’ଣ ପୁଷ୍ଟିସାର ମିଳିବ ଯେ ପିଲା ଅପପୁଷ୍ଟିର ଶିକାର ହେବେନି ତାହା ସରକାର ବୁଝି ନପାରିବା ଚିନ୍ତାର ବିଷୟ ପାଲଟିଛି। ସବୁଠୁ ଚକିତ କରିବା ଭଳି କଥା ହେଲା ସ୍କୁଲକୁ ମଧ୍ୟାହ୍ନ ଭୋଜନ ପାଇଁ ପିଲା ପିଛା ଯେଉଁ ୫ଟଙ୍କା ୯୦ ଏବଂ ୮ଟଙ୍କା ୮୨ପଇସା ମିଳୁଛି ସେଥିରେ ଡାଲମା ପାଇଁ ଡାଲି, ପନିପରିବା, ହଳଦି, ଲୁଣ, ଫୁଟଣ, ଛୁଙ୍କ ପାଇଁ ରିଫାଇନ ତେଲ, ସୋୟାବଡ଼ି ତରକାରୀ ପାଇଁ ସୋୟାବଡ଼ି ଏବଂ ମସଲା, ଅଣ୍ଡା ଯେଉଁଦିନ ଦିଆଯାଉଛି ସେଥିରେ ଅଣ୍ଡା କିଣାଯାଉଛି। ଆଉ ଏସବୁ ରନ୍ଧା ହେବା ପାଇଁ ସବୁଦିନ କାଠ ବି କିଣାଯାଉଛି। ରାଜ୍ୟ ସରକାର କେବଳ ପିଡିଏସ୍ ଚାଉଳ ଯୋଗାଇ ଦେଉଛନ୍ତି। ରୋଷେୟା ଓ ସହାୟିକାଙ୍କୁ ପାରିଶ୍ରମିକ ଦେଉଛନ୍ତି। ଯେଉଁ ବିଭାଗ ଯେମିତି ଅର୍ଥ ଦେଉଛି ସେମିତି ଖାଦ୍ୟ ବି ମିଳୁଥିବା ଦେଖାଯାଉଛି। ଆହାର ଯୋଜନାରେ ବହଳିଆ ଡାଲମା ଓ ଭାତ ଦିଆଯାଉଛି। ଏହି ଖାଦ୍ୟକୁ ନେଇ ଅଭିଯୋଗ ନାହିଁ। ହେଲେ ପିଲାଙ୍କୁ ସ୍କୁଲରେ ପରିବା ଓ ଡାଲି କମ୍ ଥିବା ପାଣିଆ ଡାଲମା, ପାଣିଆ ଝୋଳରେ ତିନିରୁ ଚାରିଟି ସୋୟାବଡ଼ି ଦିଆଯାଉଛି। ଏଥିରେ କ’ଣ ପିଲାଙ୍କୁ ଅପପୁଷ୍ଟିରୁ ମୁକୁଳାଇ ହେବ? ନିୟମ କହୁଛି ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ୪୫୦କ୍ୟାଲୋରି, ୧୨ଗ୍ରାମ ପ୍ରୋଟିନ୍, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୭୦୦କ୍ୟାଲୋରି ଏବଂ ୨୦ଗ୍ରାମ ପ୍ରୋଟିନ ପ୍ରତିଦିନ ଦେବା ଭଳି ମେନୁ ପ୍ରସ୍ତୁତ ହୋଇଛି। କିନ୍ତୁ ଏତିକି ଟଙ୍କାରେ ସବୁ ପିଲାଙ୍କ ପାଇଁ ରୋଷେଇ କରିବା ଚିନ୍ତାଜନକ ହୋଇଥିବାବେଳେ କ୍ୟାଲୋରି, ପ୍ରୋଟିନ୍ କଥା କିଏ ଚିନ୍ତା କରୁଛି?
ଏନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ, ପିଲାଙ୍କ ଉପସ୍ଥାନ ବଢ଼ାଇବା ଏବଂ ସେମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। କିନ୍ତୁ ଯେଉଁଭଳି ଖାଦ୍ୟ ଦିଆଯାଉଛି ସେଥିରେ ପିଲାଙ୍କର କି ବିକାଶ ହେବ? ପରିବା ଦର ଯେତେ ଉଚ୍ଚା ହେଲେ ବି ସପ୍ତାହକୁ ଦୁଇ ଦିନ ଭାତ-ଡାଲମା, ସୋୟାବଡ଼ି କେଜି ୧୫୦ଟଙ୍କା ହେଉ କି ୧୮୦ଟଙ୍କା ସପ୍ତାହକୁ ଦୁଇ ଦିନ ସୋୟାବଡ଼ି ତରକାରୀ, ଅଣ୍ଡା ଦାମ୍ ୫ଟଙ୍କା ହେଉ କି ୭ଟଙ୍କା ସପ୍ତାହକୁ ଦୁଇ ଦିନ ଅଣ୍ଡା ତରକାରୀ ଦେଉଛୁ। ବିଭାଗୀୟ ଅଧିକାରୀଙ୍କୁ ଦାମ୍ ବଢ଼ାଇବାକୁ ବାରମ୍ବାର କୁହାଗଲାଣି କିନ୍ତୁ ବଢ଼ାଯାଉନି। ଆମେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛୁ ଯେ ବଜାର ଦର ସଦାବେଳେ ଉଚ୍ଚା ରହୁଥିବାରୁ ମଧ୍ୟାହ୍ନ ଭୋଜନକୁ ‘ଖାଉଟି ସୂଚକାଙ୍କ’ ସହ ସଂଯୁକ୍ତ କରାଯାଉ। ଏହାଦ୍ବାରା ଯେତେବେଳେ ଖାଦ୍ୟ ସାମଗ୍ରୀ ଦାମ୍ ବଢ଼ିବ ସେତେବେଳେ ସେହି ଅନୁଯାୟୀ ରାଜ୍ୟ ସରକାର ଅର୍ଥ ଦେବେ। କେନ୍ଦ୍ର ସରକାର ଯଦି ସବୁ ରାଜ୍ୟକୁ ସମାନ ଦେଉଛନ୍ତି ତେବେ ରାଜ୍ୟ ସରକାର ଏଥିରେ କିଛି ଅଧିକ ଅର୍ଥ ଦିଅନ୍ତୁ। ଯଦି ବାସ୍ତବରେ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ କଥା ଚିନ୍ତା କରାଯାଉଛି ତେବେ ପ୍ରତି ପିଲା ପିଛା ୩୦ଟଙ୍କା ଧାର୍ଯ୍ୟ କରାଯାଉ। ଏନେଇ ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଥିବା ରାଜ୍ୟ ନୋଡାଲ ଅଧିକାରୀ ରଘୁରାମ ଆୟାର କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ପାଇଁ ଯେତିକି ଅର୍ଥ ଆସୁଛି ସେତିକି ଯଥେଷ୍ଟ ହେଉନି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସିଛି। ଆମେ ଏହାର ମୂଲ୍ୟ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ଜଣାଇଛୁ। ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଠାରୁ ମିଳୁଥିବା ଅର୍ଥ ବାଦ୍ ପିଲାଙ୍କୁ କିପରି ଅଧିକ ପୁଷ୍ଟିକର ଖାଦ୍ୟ ମିଳିବ ସେଥିପାଇଁ ତାମିଲନାଡ଼ୁ ସରକାର ପ୍ରତି ପିଲାଙ୍କୁ ସପ୍ତାହକୁ ପ୍ରତିଦିନ, ଆନ୍ଧ୍ର ପ୍ରଦେଶ ସରକାର ସପ୍ତାହକୁ ୫ଦିନ ନିଜ ଖର୍ଚ୍ଚରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/sfhsf54.jpg)