ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଫୁଟବଲ୍‌
ବିଶ୍ବବିଦ୍ୟାଳୟର ବି ନାହିଁ ନିଜସ୍ବ ଖେଳପଡ଼ିଆ

Advertisment

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିଲା। ଦୀର୍ଘ ୪୧ ବର୍ଷ ପରେ ହକିରେ ଅଲିମ୍ପିକ୍ସ ପଦକ ମିଳିଥିବାରୁ ଏହାର ଶ୍ରେୟ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଉଛି। କାରଣ ୩ ବର୍ଷ ହେଲା ଏହି ଦଳର ପୃଷ୍ଠପୋଷକ ଦାୟିତ୍ବ ଗ୍ରହଣ କରିଛି ଓଡ଼ିଶା। ୨୦୧୮ ହକି ବିଶ୍ବକପ୍‌ ଆୟୋଜନ ସହ ସଦ୍ୟତମ ଅନୁଷ୍ଠିତ ଜୁନିଅର ପୁରୁଷ ହକି ବିଶ୍ବକପ୍‌ ବି ସଫଳତାର ସହ ଶେଷ ହୋଇଛି। କରୋନା ଭିତରେ ହକିକୁ ପ୍ରୋତ୍ସାହିତ କରିବାରେ ଓଡ଼ିଶା ସରକାର ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଯେଉଁଥିପାଇଁ ବିଭିନ୍ନ ଆଡ଼ୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। କେବଳ ହକି ନୁହେଁ, ଏବେ ଫୁଟବଲ୍‌କୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ୯ମ ଓ ଦଶମ ଶ୍ରେଣୀ ପିଲାମାନେ ଯେପରି ଫୁଟବଲ୍‌ ବିଷୟରେ ପଢ଼ିବା ସହ ଖେଳ ପ୍ରତି ଆକୃଷ୍ଟ ହେବେ, ସେଥିପାଇଁ ‘ଫୁଟବଲ୍‌ ଫର୍‌ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମୋଡାଲିଟିଜ୍‌ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ଏତେ‌ ସବୁ ପରେ ବି ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ କେତେ ହୋଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏବେ ବି ରାଜ୍ୟର ୩୭ ହଜାରରୁ ଅଧିକ ବିଦ୍ୟାଳୟରେ ଖେଳ ପଡ଼ିଆ ନାହଁ। ହଜାରରୁ ଅଧିକ କଲେଜରେ କ୍ରୀଡ଼ା ଭିତ୍ତିଭୂମି ନଥିବା ବେଳେ ଏକାଧିକ ବିଶ୍ବବିଦ୍ୟାଳୟରେ ସମାନ ସ୍ଥିତି। ଏମିତିକି ରାଜ୍ୟର ଏକମାତ୍ର ମହିଳା ବିଶ୍ବବିଦ୍ୟାଳୟରେ ଖେଳ ପଡ଼ିଆ ନାହିଁ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନାରୀଶିକ୍ଷା ଓ କ୍ରୀଡ଼ାକୁ ପ୍ରାଥମିକତା ଦେଉଥିବା ବେଳେ ଭୁବନେଶ୍ବରରେ ଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ନିଜସ୍ବ ଖେଳ ପଡ଼ିଆ ନ ଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

publive-image IndiaMART

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଦ୍ୟାଳୟରେ ‌କ୍ରୀଡ଼ା ଶିକ୍ଷକଙ୍କ ଘୋର୍‌ ଅଭାବ ପରିଲକ୍ଷିତ ହେଉଛି। ଗୋଟିଏ ପରେ ଗୋଟିଏ ବିଦ୍ୟାଳୟରୁ କ୍ରୀଡ଼ା ଶିକ୍ଷକ ଅବସର ଗ୍ରହଣ କରୁଥିଲେ ମଧ୍ୟ ନୂତନ ନିଯୁକ୍ତି ହେଉନାହାନ୍ତି। ଶିକ୍ଷକ ନ ଥିବାରୁ ପିଲାଙ୍କୁ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଠିକ୍‌ ଭାବେ ତାଲିମ ଦିଆଯାଇପାରୁ ନାହିଁ। ହାଇସ୍କୁଲରେ ପିଇଟି(ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କ ସଙ୍କଟ ଦେଖାଦେଇଛି। ୫ ବର୍ଷ ପରେ ଏବେ ନିଯୁକ୍ତି ପ୍ରକ୍ରିୟା ହୋଇଥିଲେ ମଧ୍ୟ ସବୁ ସ୍କୁଲର ପଦ ପୂରଣ ହୋଇନାହିଁ। ପ୍ରାଥମିକ ବିଦ୍ୟାଳୟରେ କ୍ରୀଡ଼ାର ବିକାଶ ଲାଗି ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ପ୍ରତି ସପ୍ତାହରେ ଗୋଟିଏ ଦୁଇଟି କ୍ରୀଡ଼ା କ୍ଲାସ୍‌ ରହୁଛି। ହେଲେ ସେଥିରେ ତାଲିମ୍‌ ଦେବାକୁ କେହି ନାହାନ୍ତି। ପିଲାମାନେ ନିଜ ମନ ଇଚ୍ଛା ଯାହା ପାରିଲେ ‌ଖେଳିଲେ, ନ ହେଲେ ନାହିଁ। ଏମିତିକି ପିଲାଙ୍କୁ କ୍ରୀଡ଼ା ପ୍ରତି ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସେଭଳି କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରିନାହାନ୍ତି। ପାଠ୍ୟକ୍ରମରେ ବି କ୍ରୀଡ଼ାକୁ ସ୍ବତନ୍ତ୍ର ସ୍ଥାନ ଦିଆଯାଇନାହିଁ। ଯେଉଁଥିପାଇଁ କ୍ରୀଡ଼ା ପ୍ରତି ପିଲାଙ୍କ ଆଗ୍ରହ କମିବାରେ ଲାଗିଛି। କେତେକ ଘରୋଇ ସ୍କୁଲରେ କ୍ରୀଡ଼ା ଭିତ୍ତିଭୂମି ଥିଲେ ମଧ୍ୟ ପିଲାଙ୍କ ମଧ୍ୟରେ ସେତେଟା ଆଗ୍ରହ ଦେଖିବାକୁ ମିଳୁନି।

ଏ ତ ଗଲା ବିଦ୍ୟାଳୟରେ କ୍ରୀଡ଼ାର ଭିତ୍ତିଭୂମି କଥା। ବିଶ୍ବବିଦ୍ୟାଳୟରେ ସ୍ଥିତି ମଧ୍ୟ ଅନୁରୂପ। ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଖେଳ ପଡ଼ିଆ ନାହିଁ। ଯେଉଁଥିପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ବିଦ୍ୟାଳୟର ଖେଳପଡ଼ିଆ ଉପରେ ନିର୍ଭର କରିବାକୁ ପଡ଼ୁଛି। କ୍ରୀଡ଼ା ପ୍ରତି କେତେକ ପିଲାଙ୍କ ଆଗ୍ରହ ରହିଥିଲେ ମଧ୍ୟ ନିୟମିତ ଅଭ୍ୟାସ କରିବାକୁ ସୁଯୋଗ ମିଳୁ ନଥିବାରୁ ଆଗକୁ ବଢ଼ିପାରୁ ନାହାନ୍ତି, ଯାହାକି ୨୦୨୦ ଫେବ୍ରୁଆରି ମାସରେ ଓଡ଼ିଶାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ଭୁବନେଶ୍ବର ଓ କଟକ ସହରରେ ଅନୁଷ୍ଠିତ ଏହି କ୍ରୀଡ଼ା ପାଇଁ ଓଡ଼ିଶା ସରକାର ବ୍ୟାପକ ପ୍ରସ୍ତୁ୍ତି କରିଥିଲେ। ଦେଶର ୧୭୭ରୁ ଅଧିକ ବିଶ୍ୱବିଦ୍ୟାଳୟର ପାଖାପାଖି ୩ହଜାର ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ଜାତୀୟସ୍ତରୀୟ କ୍ରୀଡ଼ାରେ ମୋଟ ୧୭ଟି ଇଭେଣ୍ଟ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସରକାରୀ ବିଶ୍ବବିଦ୍ୟାଳୟକୁ ସଫଳତା ମିଳି ନ ଥିଲା। ଓଡ଼ିଶାର କେତେକ ଘରୋଇ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କ୍ରୀଡ଼ାରେ ହାତଗଣତି ପଦକ ହାସଲ କରି ଓଡ଼ିଶାର ସମ୍ମାନ ରଖିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶା ସରକାର ପ୍ରୟାସ ଜାରି ରଖିଛନ୍ତି। ଉଚ୍ଚ ବିଦ୍ୟାଳୟକୁ ଅଧିକ ପ୍ରାଥମିକତା ଦେଇ ଏକ ହଜାର ହାଇସ୍କୁଲର ଖେଳପଡ଼ିଆର ବିକାଶ କରାଯାଇଛି। ସ୍ଥାନ ଅଭାବରୁ ପ୍ରାଥମିକ ବିଦ୍ୟାଳୟରେ ଖେଳପଡ଼ିଆ ହୋଇପାରି ନାହିଁ। ତୃଣମୂଳସ୍ତରରୁ କ୍ରୀଡ଼ା‌ର ବିକାଶ ପାଇଁ ବିଦ୍ୟାଳୟକୁ ସ୍ବତନ୍ତ୍ର ଅନୁଦାନ ଦିଆଯାଉଛି। ପ୍ରତିବର୍ଷ ପ୍ରାଥମିକ ବିଦ୍ୟାଳୟକୁ ୫ହଜାର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦ହଜାର ଓ ଉଚ୍ଚ ବିଦ୍ୟାଳୟ/ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨୫ ହଜାର ଟଙ୍କା ଲେଖା‌ଏଁ ଅନୁଦାନ ମିଳୁଛି। ହାଇସ୍କୁଲରେ ଖାଲି ପଡ଼ିଥିବା ପିଇଟି ପଦବି ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି।