ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗାଁକୁ ସଂଯୋଗ କରିବାକୁ ରାସ୍ତା, ସେତୁ ନିର୍ମାଣ କରାଯାଉଛି।  ଏସବୁ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରି ଗ୍ରାମ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ସମେତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌), ବିଜୁ ସେତୁ ଯୋଜନା(ବିଏସ୍‌ୱାଇ)ର ଅର୍ଥ ଅନୁମୋଦନ ହୋଇଛି। ତେବେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ ହେଉନି। କେଉଁଠି ଜଙ୍ଗଲ ଜମି ସମସ୍ୟା ଲାଗିରହିଥିବାବେଳେ କେଉଁଠି କ୍ଷତିପୂରଣ ଦେବାରେ ବିଳମ୍ବ, ବର୍ଷା ଯୋଗୁଁ ସଂପୂର୍ଣ୍ଣ ହୋଇପାରିନି। ଗତ ୧୦ ବର୍ଷ ଭିତରେ ଜିଲ୍ଲାର ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ(ଆର୍‌ଡବ୍ଲ୍ୟୁ ଡିଭିଜନ) ପକ୍ଷରୁ ରାସ୍ତା, ସେତୁ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ଏଥିମଧ୍ୟରୁ ୭୦ ପ୍ରକଳ୍ପ ଅବଧି ମଧ୍ୟରେ ସରିନଥିଲା। ଏଥିରେ ରହିଛି ରାଉରକେଲା ଡିଭିଜନର ୪୨ ଓ ସୁନ୍ଦରଗଡ଼ ଡିଭିଜନର ୨୮ଟି ପ୍ରକଳ୍ପ। ଢ଼େର୍‌ ବିଳମ୍ବରେ ହେଉ ପଛେ ଏଥିମଧ୍ୟରୁ କିଛିଟା ନିର୍ଦ୍ଧାରିତ ସମୟରେ ସରିଥିବାବେଳେ ଅଧିକାଂଶ କିନ୍ତୁ ଗତ ଫେବ୍ରୁଆରି ଯାଏ ଶେଷ ହୋଇନାହିଁ। ପ୍ରକଳ୍ପ ଶେଷ ହେଉନଥିବାରୁ ଜନସାଧାରଣ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

Advertisment

ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଆର୍‌ଡବ୍ଲ୍ୟୁ ବିଭାଗ, ଓମ୍‌ବାଡ୍‌ସି ପକ୍ଷରୁ ଏହି ପ୍ରକଳ୍ପଗୁଡ଼ିକ ହାତକୁ ନିଆଯାଇଛି। ଗତ ୧୦ ବର୍ଷ ଭିତରେ ରାଉରକେଲା ଆର୍‌ଡିବ୍ଲ୍ୟୁ ଡିଭିଜନ ପକ୍ଷରୁ ଏକାଧିକ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ସେଥିରୁ ମୋଟ୍‌ ୪୨ଟି ପ୍ରକଳ୍ପ କିନ୍ତୁ ନିର୍ଦ୍ଧାରିତ ସମୟରେ ସରିନି। ଏଥିମଧ୍ୟରୁ ୨୬ଟି ରାସ୍ତା ଓ ୧୬ଟି ଛୋଟବଡ଼ ସେତୁ ଅନ୍ତର୍ଭୁକ୍ତ। ଏହି ୧୧୩ କିଲୋମିଟର ୭୨୮ ମିଟର ବିଶିଷ୍ଟ ୨୬ଟି ରାସ୍ତା ପାଇଁ ମୋଟ୍‌ ୧୦୧ କୋଟି ୩୯ ଲକ୍ଷ ୧୧ ହଜାର ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହି ପ୍ରକଳ୍ପ ସରିପାରିନି।

ଉଲ୍ଲେଖଯୋଗ୍ୟ, ଓମ୍‌ବାଡ୍‌ସି ପକ୍ଷରୁ ୫ କିଲୋମିଟର ଲମ୍ବ ବିଶିଷ୍ଟ ବାଉରକେଲା-କୁସୁମଡ଼ିହି ରାସ୍ତା ପାଇଁ ୨୦୧୮-୧୯ରେ ୨ କୋଟି ୩୪ ଲକ୍ଷ ୪୬ ହଜାର ଟଙ୍କା ଅନୁମୋଦନ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟ ୨୦୨୦ ମସିହା ଫେବ୍ରୁଆରି ୧୭ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏହା ୯ ମାସ ଭିତରେ, ଅର୍ଥାତ୍‌ ୨୦୨୦ ‌ନଭେମ୍ବର ୧୬ ତାରିଖରେ ଶେଷ ହେବା କଥା। କିନ୍ତୁ ଏଯାଏ ଏହି ରାସ୍ତା ନିର୍ମାଣ ଶେଷ ହୋଇପାରିନି। ଏପ୍ରିଲ ଶେଷ ସୁଦ୍ଧା ପ୍ରକଳ୍ପ ସମ୍ପନ୍ନ କରିବାକୁ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବ୍ରିଜ୍‌ ନିର୍ମାଣରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ୧୬ଟି ବ୍ରିଜ୍‌ ସହ ରାସ୍ତା ପ୍ରକଳ୍ପ ପାଇଁ ୩୭.୪୨ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା। ଏହା କିନ୍ତୁ ଧାର୍ଯ୍ୟ ସମୟରେ ଶେଷ ହୋଇପାରିନି।

ଉଦାହରଣ ସ୍ବରୂପ,- ଚିତାପେଡ଼ି-ଗଇଁଯୋର ରୋଡ୍‌ରେ ଥିବା ଏକ ସ୍ଥାନୀୟ ନାଲା ଉପରେ ବ୍ରିଜ୍‌ ନିର୍ମାଣ ପାଇଁ ଓମ୍‌ବାଡ୍‌ସି ଗତ ୨୦୨୮-୧୯ରେ ୨ କୋଟି ୯୪ ଲକ୍ଷ ୫୨ ହଜାର ଟଙ୍କା ଅନୁମୋଦନ କରିଥିଲା। ୨୦୨୦ ମେ’ ୬ ତାରିଖରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହା ୧୦ ମାସ ଭିତରେ, ଅର୍ଥାତ୍‌ ୨୦୨୧ ଫେବ୍ରୁଆରି ୫ ତାରିଖ ଶେଷ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲା। କିନ୍ତୁ ଏଯାଏଁ ନିର୍ମାଣକାର୍ଯ୍ୟ ସଂପନ୍ନ ହୋଇନଥିବାରୁ ଚଳିତ ମାସ ଶେଷ ସୁଦ୍ଧା ସଂପନ୍ନ କରିବାକୁ ନୂଆ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

କେବଳ ରାଉରକେଲା ଡିଭିଜନ ନୁହେଁ; ସୁନ୍ଦରଗଡ଼ ଆର୍‌ଡବ୍ଲ୍ୟୁ ଡିଭିଜନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ସମାନ କଚ୍ଛପ ଗତି ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଡିଭିଜନରେ ଅସଂପୂର୍ଣ୍ଣ ୨୮ଟି ପ୍ରକଳ୍ପ ମଧ୍ୟରୁ ୨୩ଟି ରାସ୍ତା ଓ ୫ଟି ବ୍ରିଜ୍‌ ସହ ରାସ୍ତା ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ଡିଭିଜନରେ ୧୦୫.୯୪ କିଲୋମିଟର ବିଶିଷ୍ଟ ୨୩ଟି ରାସ୍ତା ପାଇଁ ମୋଟ୍‌ ୫୬.୬୬ କୋଟି ଟଙ୍କା ଅନୁମୋଦିତ ହୋଇଥିଲା। ସେହିଭଳି ୫ଟି ବ୍ରିଜ୍‌ ସହ ରାସ୍ତା ନିର୍ମାଣ ପାଇଁ ୧୮.୩୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା; ଏହା ବି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇନଥିଲା। ଗତ ୨୦୨୧ ମସିହାରେ ବିଜୁ ସେତୁ ଯୋଜନାରେ ସମଲେଇମୁଣ୍ଡା-ଲକ୍ଷ୍ମୀପୋଷ ରାସ୍ତାର କଣ୍ଟିଝରିଆ ନାଲାରେ ବ୍ରିଜ୍‌ ନିର୍ମାଣ ପାଇଁ ୩ କୋଟି ୧୦ ଲକ୍ଷ ୮ ହଜାର ଟଙ୍କା ଅନୁମୋଦିତ ହୋଇଥିଲା। ୨୦୨୧ ଡିସେମ୍ବର ୩୧ ତାରିଖରୁ କାର୍ଯ୍ୟାରମ୍ଭ ହୋଇ ୨୦୨୨ ଡଭେମ୍ବର ୩୦ରେ ସଂପନ୍ନ ହେବା କଥା; କିନ୍ତୁ ଏହି ପ୍ରକଳ୍ପ ଏଯାଏ ଅସଂପୂର୍ଣ୍ଣ। ନାଲାରେ ଅନବରତ ପାଣି ପ୍ରବାହ ପାଇଁ ନିର୍ମାଣକାର୍ଯ୍ୟ ଶେଷ ହୋଇପାରିନଥିଲା ବିଭାଗ କାରଣ ଦର୍ଶାଇଥିଲା। ଆସନ୍ତା ମେ’ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗ ପୁନଃ ଲକ୍ଷ୍ୟଧାର୍ଯ୍ୟ କରିଛି।