୧୧୦ ପୌରପାଳିକାର ଭାଗ୍ୟ ପ୍ରଶାସକଙ୍କ ହାତରେ
ନିକଟ ଭବିଷ୍ୟତରେ ପୌର ନିର୍ବାଚନ ସମ୍ଭାବନା କମ୍
ଭୁବନେଶ୍ବର, (ଚୌଧୁରୀ ଅମିତାଭ ଦାସ) : ମାସେ ଦୁଇ ମାସ ନୁହେଁ। ବର୍ଷ ବର୍ଷ ଧରି ପୌରାଞ୍ଚଳରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ଅଧିକାରୀମାନଙ୍କ ହାତରେ ଶାସନର ଡୋରି ଧରାଇ ଦିଆଯାଇଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଲୋକଙ୍କ ପ୍ରତିନିଧିତ୍ବକୁ ଗୁରୁତ୍ବହୀନ କରି ଦିଆଯାଇଛି। ରାଜ୍ୟର ପୌରପାଳିକାଗୁଡ଼ିକରେ ଏପରି ଅଭାବନୀୟ ସ୍ଥିତି ଗଣତନ୍ତ୍ର ପ୍ରତି ଚରମ ଉପହାସ। କିନ୍ତୁ ଏହି ବ୍ୟବସ୍ଥାରେ ସମସ୍ତେ ଖୁସ୍। ଉଭୟ ଶାସକ ଆଉ ବିରୋଧୀ। ତୃଣମୂଳ ସ୍ତରର ଏହି ନିର୍ବାଚନ ଯେମିତି ଅପ୍ରାସଙ୍ଗିକ ପାଲଟିଯାଇଛି।
ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ମାତ୍ର ୪ଟି ଏନ୍ଏସିରେ ନିର୍ବାଚିତ ପରିଷଦ କାର୍ଯ୍ୟ କରୁଛି। ବାକି ୧୧୦ ପୌରପାଳିକାରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ଏସବୁର ଭାଗ୍ୟ ପ୍ରଶାସକଙ୍କ ହାତରେ ଛାଡ଼ି ଦିଆଯାଇଛି। ୨୦୧୮ ମସିହାରୁ ଏହି ପ୍ରକ୍ରିୟା ଜାରି ରହିଛି। ଆହୁରି କେତେ ଦିନ ଯେ ରହିବ, ତାହା ବି କହି ହେବନି। ବର୍ତ୍ତମାନର ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ ନିକଟ ଭବିଷ୍ୟତରେ ପୌର ନିର୍ବାଚନ ହେବାର ନାହିଁ। କୌଣସି ବିଧାନସଭା କିମ୍ବା ଲୋକସଭା ଆସନ ଖାଲି ପଡ଼ିଲେ, ୬ ମାସ ଭିତରେ ପୂରଣ କରିବାକୁ ସାମ୍ବିଧାନିକ ବ୍ୟବସ୍ଥା ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ପୌରସଂସ୍ଥାରେ ବର୍ଷ ବର୍ଷ ଧରି ନିର୍ବାଚନ ନ ହେଲେ ବି ଚଳିଯାଉଛି। ସାଧାରଣ ଲୋକ ପ୍ରଥମେ ନିଜ ଆପତ୍ତି, ଅଭିଯୋଗ ନେଇ ଯେଉଁ ପ୍ରତିନିଧିଙ୍କ ପାଖକୁ ଯିବ, ସେହି ବ୍ୟବସ୍ଥାକୁ ହିଁ ଗୌଣ କରି ଦିଆଯାଇଛି। ଗଣତନ୍ତ୍ରରେ ଏହା ଏକ ବିଡ଼ମ୍ବନା କହିଲେ ଭୁଲ୍ ହେବ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିର୍ବାଚନ ପାଇଁ ସରକାର ତ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏହି ପ୍ରସଙ୍ଗରେ ନୀରବ ରହିବା ବେଶ୍ ରହସ୍ୟଜନକ।
ଗୋଟିଏ ମହଲରେ ଯୁକ୍ତି ହେଉଛି ଯେ ‘ବିକାଶ କାର୍ଯ୍ୟ ତ ଯେମିତି ଥିଲା, େସମିତି ଚାଲିଛି। ନିର୍ବାଚିତ ପ୍ରତିନିଧି ରହିବା ନ ରହିବା ଉପରେ ବିକାଶ କାର୍ଯ୍ୟରେ ଫରକ ପଡ଼ୁନି।’ କିନ୍ତୁ ତୃଣମୂଳ ସ୍ତରରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସାଧାରଣ ଲୋକ ନିଜର ଛୋଟ ଛୋଟ କାମ ପାଇଁ ଓ ଗଳିକନ୍ଦିର ଛୋଟ ସମସ୍ୟା ପାଇଁ ଲୋକ କାହା ପାଖକୁ ଯିବେ ଜାଣି ପାରୁ ନାହାନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ପ୍ରତି ୱାର୍ଡରେ ୱାର୍ଡ ଅଫିସର୍ ନିଯୁକ୍ତି କରାଯାଇଛି ସତ। କିନ୍ତୁ ସେମାନଙ୍କୁ ଅଧିକାଂଶ ଲୋକ ଚିହ୍ନନ୍ତି ନାହିଁ। ଫଳରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଭଲ ମନ୍ଦରେ ପୌରପାଳିକା ପକ୍ଷରୁ ଠିଆ ହେବାକୁ କେହି ନାହାନ୍ତି। ଉପର ସ୍ତରରେ ଥିବା ଅଧିକାରୀମାନେ ନିଜ ହାମ୍ବଡ଼ା ନୀତିରେ କାମ କରୁଛନ୍ତି। ଆଉ ୱାର୍ଡ ଅଫିସର୍ମାନେ ଉତ୍ତରଦାୟିତ୍ବ ନେବାକୁ ପ୍ରସ୍ତୁତ ନାହାନ୍ତି। ଫଳରେ ତୃଣମୂଳ ସ୍ତରରେ ସମସ୍ୟା କେତେ ଯେ ଗୁରୁତର ଆକାର ଧାରଣ କରୁଛି, ତାହା କେବଳ ଅନୁଭବୀ ହିଁ ଜାଣେ। ବିନା ନିର୍ବାଚିତ ପ୍ରତିନିଧିରେ କେତେ ଦିନ ପ୍ରଶାସକମାନେ ଶାସନ ଡୋରି ସମ୍ଭାଳିବେ, ତାହା ଏବେ ସହରାଞ୍ଚଳ ଲୋକଙ୍କ ପାଇଁ ବଡ଼ ପ୍ରଶ୍ନ।
ପ୍ରଥମେ ଆଇନଗତ ଆଳ ଦେଖାଇ ସରକାର ନିର୍ବାଚନ ପ୍ରସଙ୍ଗକୁ ଟାଳି ଦେଉଥିଲେ। ଏବେ ଆଇନର ଶିକୁଳି ହଟିଯାଇଥିଲେ ବି ନିର୍ବାଚନ ପାଇଁ ଆଦୌ ତତ୍ପରତା ପ୍ରକାଶ ପାଉ ନାହିଁ। ପୂର୍ବରୁ ଆଇନ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ଵାର୍ଡ ସ୍ତରରେ ଯେଉଁ ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି ସେଥିରେ କେବଳ ବିସିସି (ପଛୁଆବର୍ଗ)ଙ୍କ ପାଇଁ ୨୭% ସ˚ରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଅନୁସୂଚିତ ଜାତି ଏବ˚ ଅନୁସୂଚିତ ଜନଜାତିଙ୍କ ପାଇଁ କେତେ ସିଟ୍ ସ˚ରକ୍ଷଣ ରହିବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ନିୟମ ନାହିଁ। ତେଣୁ ଜନସ˚ଖ୍ୟାକୁ ନଜରରେ ରଖି ଏହି ଦୁଇ ବର୍ଗ ପାଇଁ ସିଟ୍ ସ˚ରକ୍ଷଣ ରଖାଯାଇଥାଏ। ସେଥି ପାଇଁ ଅଧିକାଂଶ ପୌର ସ˚ସ୍ଥାରେ ୫୦ ପ୍ରତିଶତ ଉପରକୁ ସଂରକ୍ଷଣ ଟପିଯାଇଛି। କେଉଁଠି ୫୩% ଅଛି ତ କେଉଁଠି ୫୫%। ସେଥି ପାଇଁ ଆଇନଗତ ବିବାଦ ଦେଖାଦେଇଥିଲା। ଏ ନେଇ ମାମଲା ହେବାରୁ ହାଇକୋର୍ଟ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ସୀମିତ ରଖିବାକୁ ନିର୍ଦ୍ଦେଶ ଦେଲେ। ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବି ହାଇକୋର୍ଟଙ୍କ ରାୟ ବଳବତ୍ତର ରହିଲା। ୫୦% ଭିତରେ ସଂରକ୍ଷଣ ସୀମିତ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବାକୁ ହେଲେ ଦୁଇଟି ଆଇନ୍ରେ ସଂଶୋଧନର ଆବଶ୍ୟକତା ରହିଛି। ଓଡ଼ିଶା ମ୍ୟୁନିସିପାଲ୍ଟି ଆକ୍ଟ, ୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ୍ ଅାକ୍ଟ ୨୦୦୩ରେ ସଂଶୋଧନ ଆଣିବାକୁ ପଡ଼ିବ। କାରଣ ଏହି ଦୁଇଟି ଆଇନ୍ରେ ଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥାରେ ୱାର୍ଡ ସଂରକ୍ଷଣ କରାଯାଉଛି।
ନିୟମ ଅନୁଯାୟୀ ସରକାର ଏହି ସଂରକ୍ଷଣ ପ୍ରସ୍ତାବ କ୍ୟାବିନେଟ୍ରେ ଗୃହୀତ କରାଇ ବିଧାନସଭାରେ ଆଗତ କରାଇବେ। ବିଧାନସଭାରେ ପ୍ରସ୍ତାବ ପାରିତ ହେଲା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯିବ। ସଂଶୋଧିତ ଆଇନ ଅନୁଯାୟୀ ପୌର ସଂସ୍ଥା କର୍ତ୍ତୃପକ୍ଷ ଆସନ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବେ। ତାହା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
ଗତ ଦୁଇ ବର୍ଷ ହେଲା ପ୍ରତି ବିଧାନସଭା ଅଧିବେଶନ ପୂର୍ବରୁ ସଂଶୋଧନ ପ୍ରସ୍ତାବ ଆଗତ ହେବା ନେଇ ଚର୍ଚ୍ଚା ଜୋର୍ ଧରୁଛି। କିନ୍ତୁ ବିଧାନସଭାକୁ ପ୍ରସ୍ତାବ ଆସିବା ତ ଦୂରର କଥା, କ୍ୟାବିନେଟ୍କୁ ବି ଆସୁ ନାହିଁ। ନିକଟ ଭବିଷ୍ୟତରେ ନିର୍ବାଚନ ନ କରାଇବାକୁ ସରକାରୀ ସ୍ତରରେ ଯେମିତି ଏକ ପ୍ରକାର ପଣ କରାଯାଇଛି। ନିର୍ବାଚନ ପ୍ରକ୍ରିୟା ବନ୍ଦ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଯଦି ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନରେ ସରକାର ସଂଶୋଧନ ପ୍ରସ୍ତାବ ଆଣନ୍ତି, ତାହା ପରେ ବି ଲମ୍ବା ପ୍ରକ୍ରିୟା ଅଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ୨୦୨୨ ଫେବ୍ରୁଆରି ମାସରେ ପଞ୍ଚାୟତ ନିର୍ବାଚନ। ପଞ୍ଚାୟତ ନିର୍ବାଚନ ସହ ପୌର ନିର୍ବାଚନ କରାଇବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଦୁଇଟି ଯାକ ନିର୍ବାଚନ ଏକା ସମୟରେ କରାଇବାକୁ ସମ୍ଭବତଃ ସରକାର ଚାହିଁବେ ନାହିଁ। ପଞ୍ଚାୟତ ନିର୍ବାଚନକୁ ଧାର୍ଯ୍ୟ ସମୟରେ କରାଇ ପୌର ନିର୍ବାଚନକୁ ଘୁଞ୍ଚାଇବାରେ ଯଥେଷ୍ଟ ସମ୍ଭବନା ରହିଛି। ଏହି ପରିପ୍ରେକ୍ଷୀରେ ସହରାଞ୍ଚଳବାସୀଙ୍କୁ ନିଜ ପ୍ରତିନିଧି ବାଛିବା ପାଇଁ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ, ତାହା ଆକଳନ କରିବାକୁ ମୁସ୍କିଲ୍।