କେନ୍ଦୁଝର: ଅଯୋଧ୍ୟାରେ ରାମମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଦେଶରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଶ୍ରୀରାମ, ଲକ୍ଷ୍ମଣ ଓ ମା’ସୀତାଙ୍କ ସହିତ ଓଡ଼ିଶାର ସଂପର୍କ କିଛି କମ୍ ନାହିଁ। ହେଲେ ଏସବୁ ସ୍ଥାନଗୁଡ଼ିକ ଦୃଷ୍ଟି ଆଢୁଆଳରେ ରହିଯାଇଛି। ପର୍ଯ୍ୟଟନ ଦୃଷ୍ଟିକୋଣରୁ କେନ୍ଦ୍ର ସରକାର ଏସବୁର ବିକାଶ କରିବା ଲାଗି ଏଯାଏ ଉଦ୍ୟମ କରିନାହାନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ମଧ୍ୟ ଏହା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିନାହିଁ। ଏମିତି ଏକ ସ୍ଥାନ ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ରେ ଥିବା ମା’ ସୀତାଙ୍କ ପୀଠ ‘ସୀତାବିଞ୍ଜ’।
ମନୋହରପୁର ପଞ୍ଚାୟତ ଡାଙ୍ଗୁଆପଶି ଗ୍ରାମରେ ରହିଛି ସୀତାବିଞ୍ଜ। କିଂବଦନ୍ତି ଅନୁସାରେ, ପ୍ରଭୁ ରାମଚନ୍ଦ୍ର ମା’ ସୀତାଙ୍କୁ ଘରୁ ବାହାର କରିଦେବା ପରେ ଲକ୍ଷ୍ମଣ ତାଙ୍କୁ ଆଣି ଏଠାରେ ହିଁ ଛାଡ଼ି ଦେଇଥିଲେ। ସେତେବେଳେ ଏଠାରେ ମହର୍ଷି ବାଲ୍ମୀକିଙ୍କ ଆଶ୍ରମ ଥିଲା। ମା’ ସୀତା ଆସି ତାଙ୍କ ଆଶ୍ରମରେ ରହିଥିଲେ। ଆଶ୍ରମରେ ଥିବା ଏକ ଗୁମ୍ଫାରେ ସେ ଲବକୁଶଙ୍କୁ ଜନ୍ମ ଦେଇଥିଲେ। ଏହାକୁ ଅନ୍ତୁଡ଼ିଶାଳ ବୋଲି କୁହାଯାଉଛି। ଏଠାରେ ଏବେ ସ୍ଥାନୀୟ ଦେହୁରୀ ପୂଜା କରୁଛନ୍ତି। ଅନେକ ଶିଳାଲିପି ମଧ୍ୟ ସେଠାରେ ରହିଛି। ତାକୁ ନେଇ ମଧ୍ୟ ଅନେକ ଲୋକବିଶ୍ବାସ ରହିଛି।
ଏହି ପ୍ରାଚୀନ ଶିଳାଲିପି ଏବେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ରହିଛି। ତେବେ ପ୍ରତ୍ନତାତ୍ତ୍ବିକ ମୂଲ୍ୟବୋଧ ଅପେକ୍ଷା ଏହାର କିଂବଦନ୍ତିକୁ ଲୋକେ ଅଧିକ ବିଶ୍ବାସ କରନ୍ତି। ମା’ ସୀତା ଏଠାରେ ଲବକୁଶଙ୍କୁ ଜନ୍ମ ଦେଇଥିବାରୁ ଅପୁତ୍ରିକମାନେ ଏଠାରେ ମା’ ସୀତାଙ୍କ ଦର୍ଶନ କରି ମାନସିକ କଲେ ପୁତ୍ରଲାଭ ହୁଏ ବୋଲି ବିଶ୍ବାସ ରହିଛି। ଯେଉଁଥିପାଇଁ ବହୁ ସଂଖ୍ୟାରେ ମହିଳା ପୁତ୍ରସନ୍ତାନ ଆଶାରେ ଏଠାକୁ ମାନସିକ କରିବାକୁ ଆସିଥାନ୍ତି। ଏହାଛଡ଼ା ଏଠାରେ ରାବଣ ଛାୟା ଓ ଭଣ୍ଡାର ଘର (ବିଶାଳ ଗମ୍ବୁଜାକୃତ୍ତିର ପଥର) ରହିଛି। ଏହା ମା’ ସୀତାଙ୍କ ଭଣ୍ଡାର ଘର ବୋଲି କୁହାଯାଏ। ପାହାଡ଼ ତଳେ ସୀତାନଦୀ ବହିଯାଇଛି। ଏହି ନଦୀରେ ବାଲ୍ମୀକି ସ୍ନାନ କରୁଥିଲେ ବୋଲି ବିଶ୍ବାସ ରହିଛି। ବର୍ତ୍ତମାନ ଏଠାକାର ବିଦ୍ୟାଳୟର ନାମ ଲବକୁଶଙ୍କ ନାମରେ ନାମିତ ହୋଇଥିବା ବେଳେ ରେଳଷ୍ଟେସନକୁ ସୀତାବିଞ୍ଜ ବୋଲି ନାମକରଣ କରାଯାଇଛି। ରାମଲାଲାଙ୍କୁ ନେଇ ସମଗ୍ର ଦେଶ ଉତ୍ସବମୁଖର ଥିବାବେଳେ ମା’ ସୀତାଙ୍କ ପୀଠ କୁହାଯାଉଥିବା ସୀତାବିଞ୍ଜ ଉପରେ ଅଧିକ ଗବେଷଣା ଓ ପ୍ରଚାରପ୍ରସାରର ଆବଶ୍ୟକତା ରହିଛି।