ଇଏ କି ପ୍ରହସନ? ସାମାଜିକ ଦୂରତାରେ ଟ୍ରେନ୍‌ ଟିକେଟ୍‌ କିଣିବ, ଲାଗିକି ବସିବ

ମୋ ବସ୍‌ରେ ଅନଲାଇନ୍‌ ଟିକେଟ୍‌, ଦେହରେ ଦେହ ଘଷିକି ବସୁଛନ୍ତି, ଦୋକାନରେ ଭିଡ଼, ମଲ୍‌ ଖୋଲିବାକୁ ମନା

ଭୁବ‌େନଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା କଟକଣାକୁ ନେଇ ଚାରିଆଡ଼ୁ ଅଙ୍ଗୁଳି ଉଠିଲାଣି। ଏମିତି କରୋନା କଟକଣା ଲାଗିଛି ଯେ ଲୋକ ରେଳ ଷ୍ଟେସନରେ ସାମାଜିକ ଦୂରତାରେ ଟିକେଟ୍‌ କିଣୁଛନ୍ତି। ଏହାପରେ ଷ୍ଟେସନ୍‌ରେ ପ୍ରବେଶ କରିବା ବେଳକୁ କିଛି କଟକଣା ରହୁନି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ‌, ଟ୍ରେନ୍‌ ଭିତରେ ଗୋଟିଏ ସିଟ୍‌ରେ ୪ରୁ ୫ଜଣ ଲେଖାଏଁ ବସିକି ଯାଉଛନ୍ତି। ଏଠାରେ କେହି ସାମାଜିକ ଦୂରତା ମାନୁନାହାନ୍ତି କି ମାନିବା ପାଇଁ କିଛି ନିୟମ ବି ନାହିଁ।ମୋ ବସ୍‌ ଏବଂ ବିଭିନ୍ନ ଯାତ୍ରୀବାହୀ ବସ୍‌ରେ ବି କେହି ସାମାଜିକ ଦୂରତା ମାନୁନାହାନ୍ତି। ସରକାର ନିୟମ କରିଛନ୍ତି ଯେ ବସ୍‌ରେ ଯେତିକି ସିଟ୍‌ ସେତିକି ଲୋକ ବସି ଯାଇପାରିବେ। ତେଣୁ ଲୋକ ବସିକି ଯାଉଛନ୍ତି। କିନ୍ତୁ କ୍ରୁଟ୍‌ କର୍ତ୍ତୃପକ୍ଷ କହୁଛନ୍ତି, ନଗଦ ଟଙ୍କା କାରବାରରେ କରୋନା ସଂକ୍ରମଣ ଭୟ ରହୁଥିବାରୁ କ୍ୟୁଆର୍‌ କୋଡ୍‌ ଓ ଅନଲାଇନ୍‌ ଦେୟ ଦେବେ।କେବଳ ଟ୍ରେନ୍‌, କି ବସ୍‌ ନୁହେଁ। ବିମାନରେ ଲୋକ ସିଟ୍‌ରେ ଦେହକୁ ଦେହ ଲଗାଇ ବସିକି ଆସୁଛନ୍ତି। ଓହ୍ଲାଇଲା ବେଳକୁ ଠେଲାପେଲା ହୋଇ ବାହାରୁଛନ୍ତି। କିନ୍ତୁ ଟର୍ମିନାଲରେ ପହଞ୍ଚିଗଲେ କରୋନା କଟକଣା ହଠାତ୍‌ ଲାଗି ଯାଉଛି। ସାମାଜିକ ଦୂରତା ରଖି ଛିଡ଼ା ହେଉଛନ୍ତି, ଗେଟ୍‌ରୁ ବାହାରୁଛନ୍ତି।

ଆଶ୍ଚର୍ଯ୍ୟର ବିଷୟ କରୋନା ସଂକ୍ରମଣ ରୋକିବା ପାଇଁ ୨ ମିଟର ଲେଖାଏଁ ସାମାଜିକ ଦୂରତା ରଖିବାକୁ କୁହାଯାଇଛି। ଲୋକ ନିୟମ ନମାନିଲେ ଜରିମାନା ଆଦାୟ ହେଉଛି। ପ୍ରଶାସନ ଦୋକାନ ବଜାର ସିଲ୍‌ କରୁଛି। ହେଲେ ବିମାନ, ଟ୍ରେନ୍, ବସ୍‌ରେ ଯେଉଁମାନେ ଯାତ୍ରା କରୁଛନ୍ତି, ସେମାନଙ୍କ ଭିତରେ ସାମାଜିକ ଦୂରତା ରହୁନଥିଲେ ହେଁ କେହି ଜରିମାନା ଆଦାୟ କରୁନାହାନ୍ତି। କାରଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏନେଇ କିଛି କଟକଣା ନାହିଁ।ରାଜଧାନୀବାସୀ ପ୍ରଶ୍ନ କଲେଣି ଯେ ଦୋକାନରେ ଦେହକୁ ଦେହ ଲାଗିଗଲେ, ଠେଲାଗାଡ଼ିରୁ ଛିଡ଼ା ହୋଇ ଖାଦ୍ୟ ଖାଇଦେଲେ କରୋନା ହୋଇଯିବ, ଅଥଚ ଟ୍ରେନ୍ କି ବସ୍‌ରେ ଦେହକୁ ଦେହ ଲଗାଇ ବସିକି ଗଲେ କରୋନା କ’ଣ କରୋନା ହେବନି? କେବଳ ଏତିକି ନୁହେଁ, ବଡ଼ ବଡ଼ ଦୋକାନରେ ଏକସଙ୍ଗେ ୪୦ରୁ ୫୦ଲୋକ ପଶି କିଣାକିଣି କଲେ କିଛି ଅସୁବିଧା ନାହିଁ କିନ୍ତୁ ମଲ୍‌ ଖୋଲିଦେଲେ କରୋନା ବ୍ୟାପିଯାଉଛି। ଲୋକ ସାମାଜିକ ଦୂରତା ରଖି ହାଟ ବଜାର କରିପାରିବେ କିନ୍ତୁ ମନ୍ଦିର ଓ ଧର୍ମାନୁଷ୍ଠାନରେ କାହିଁକି ସାମାଜିକ ଦୂରତା ରକ୍ଷା କରି ‌ଠାକୁର ଦର୍ଶନ କରିପାରି‌ବେନି। ଲୋକ ମଦ ଦୋକାନ ଆଗରେ ରୁଣ୍ଡ ହୋଇ ଫୋନ୍‌ କରି ମଦ ଅର୍ଡର ଦେଇପାରିବେ କିନ୍ତୁ ବାର୍‌ରେ ବସି ମଦ ପିଇଲେ କରୋନା ହୋଇଯିବାର ଭୟ ରହୁଛି।

ସାରା ଦେଶରେ କରୋନା କଟକଣା କୋହଳ ହୋଇଯାଇଥିବା ବେଳେ ଧର୍ମାନୁଷ୍ଠାନ, ମଲ୍‌ ଆଦି ଖୋଲିବାକୁ ଅନୁମତି ଦିଆଗଲାଣି। କିନ୍ତୁ ଆମ ରାଜ୍ୟରେ ଏନେଇ ନିଷେଧାଦେଶ ଲାଗିଛି। ବର୍ତ୍ତମାନ ଯେଉଁଭଳି କରୋନା କଟକଣା ଲାଗିଛି, ତାହାକୁ ଦେଖି ସାଧାରଣ ଲୋକ କହିଲେଣି ଯେ ସରକାରଙ୍କୁ ଯାହା ସୁହାଉଛି, ସେହି ଅନୁଯାୟୀ ନିୟମ ‌କରିଦେଉଛନ୍ତି। ସାଧାରଣ ଲୋକଙ୍କ କଥା ଚିନ୍ତା କରୁନାହାନ୍ତି। ନିଜ ନିୟମକୁ ନିଜେ ଭାଙ୍ଗି ଆଉ ଏକ ପ୍ରକାରର ନିୟମ କରୁଛନ୍ତି। ସବୁ ଯେମିତି ପ୍ରହସନ। ସାମାଜିକ ଦୂରତା ରକ୍ଷା କଲେ ଯଦି କରୋନା ସଂକ୍ରମଣ ହେବନି, ତେବେ ବସ୍‌, ଟ୍ରେନ୍‌, ବିମାନ, ହାଟ, ବଜାର, ସବୁ ସ୍ଥାନରେ ଏହାକୁ କଡ଼ାକଡ଼ି ପାଳନ କରିବା ଦରକାର। ନଚେତ୍‌ ଏହାକୁ ଲାଗୁ କରି ଉପହାସର ପାତ୍ର ନ ହୁଅନ୍ତୁ।

ସମ୍ବନ୍ଧିତ ଖବର