ମୃତକଙ୍କ ପ୍ରତି ଇଏ କି ସମ୍ମାନ? ତିନି ଦିନ ହେଲା ପଡ଼ିରହିଛି ମା’ ଝିଅଙ୍କ ଶବ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ୩ ଦିନ ହେଲା ଗାଁ ଦାଣ୍ଡରେ ମା’, ଝିଅଙ୍କ ମୃତଦେହ ପଡ଼ିରହିଛି। ଦୁର୍ଗନ୍ଧରେ ବି ଗାଁ ଦାଣ୍ଡ ଫାଟି ପଡ଼ୁଛି। ତଥାପି କେହି ଶବ ଉଠାଉନାହାନ୍ତି। ଝିଅକୁ ଗର୍ଭବତୀ କରିଥିବା ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଅଟଳ ରହିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ। ଏହିଭଳି ଏକ ଘଟଣା ମୃତକଙ୍କ ପ୍ରତି ଅସମ୍ମାନ ସହିତ ମାନବିକତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୃତକ ହେଲେ, ରାଜନଗର ବ୍ଲକ୍‌ ମହୁଲିଆ ପଂଚାୟତ ଅନ୍ତର୍ଗତ ମାଣପଡା ଗାଁର ପତିତପାବନ ନାଥଙ୍କ ପତ୍ନୀ ପ୍ରମିଳା ଓ ତାଙ୍କ ଝିଅ ସତ୍ୟପ୍ରିୟା। ଦୁହିଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରମିଳା ୧୯ ତାରିଖଠାରୁ ନିଖୋଜ ଥିଲେ। ୨୦ ତାରିଖ ରାତିରେ ତାଙ୍କର ମୃତଦେହ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରେ ମିଳିଥିଲା। ସତ୍ୟପ୍ରିୟାଙ୍କ ମୃତଦେହ ୨୦ ତାରିଖ ଦିନ ସକାଳେ ଏହି ଗାଁର ତାଙ୍କ ମାମୁଘର ପୋଖରୀରୁ ମିଳିଥିଲା। ସତ୍ୟପ୍ରିୟାଙ୍କ ଶବ ବ୍ୟବଚ୍ଛେଦ ବେଳେ ତାଙ୍କ ପେଟରୁ ୮ମାସର ଶିଶୁକନ୍ୟା ମିଳିଥିଲା। ସତ୍ୟପ୍ରିୟାଙ୍କ ମାମୁ ଓ ମାମୁଘର ଲୋକେ ଶବ ବ୍ୟବଚ୍ଛେଦ କରାଇ ଆଣିବା ପରେ ୨୦ ତାରିଖ ସଂଧ୍ୟାରେ ତାଙ୍କ ଦୁଆର ମୁହଁରେ ଥୋଇଦେଇ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଗତକାଲି ରାଜନଗର ଥାନା ଆଗରେ ଧାରଣାରେ ବସିବା ପରେ ସଂଧ୍ୟାରେ ସତ୍ୟପ୍ରିୟାଙ୍କ ମା’ ପ୍ରମିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଯାଇଥିଲା।

ଆଜି ସକାଳେ ପ୍ରମିଳାଙ୍କ ଶବ ବ୍ୟବଚ୍ଛେଦ ହୋଇ ଗାଁରେ ପହଁଚିଛି। ମାତ୍ର ମାଆ ଓ ଝିଅର ଶବ ୨୨ ତାରିଖ ସଂଧ୍ୟା ଯାଏଁ ସତ୍କାର ହୋଇପାରିନାହିଁ। ମାଆ-ଝିଅଙ୍କ ହତ୍ୟାକାରୀ କୁହାଯାଉଥିବା ତାଙ୍କ ମାମୁଘର ଲୋକଙ୍କୁ ଗିରଫ କରିବା ଦାବିରେ ଗ୍ରାମବାସୀ ଓ ତାଙ୍କ ପରିବାର ଲୋକେ ଶବ ସତ୍କାର କରୁନାହାନ୍ତି। ଗତକାଲି ସଂଧ୍ୟାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ନିଜେ ଘଟଣାସ୍ଥଳରେ ପହଁଛି ଘଟଣାର ତଦନ୍ତ କରିଫେରିଥିଲେ। ଦୁଇଦିନ ହେଲା ଏସ୍‌ଡିପିଓ ରଂଜନ କୁମାର ଦେ ଗ୍ରାମବାସୀଙ୍କ ସହ ଶବ ସତ୍କାର କରିବାକୁ ଆଲୋଚନା ଜାରି ରଖିଛନ୍ତି। ଅଭିଯୁକ୍ତଙ୍କୁ ନିଶ୍ଚିତ ଗିରଫ କରାଯିବ। ଶବକୁ ସମ୍ମାନ ଦେଇ ସତ୍କାର କରିବାକୁ ପୁଲିସ ଗ୍ରାମବାସୀ ଓ ତାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଛନ୍ତି। ରାଜନଗର ଥାନାରେ ବୈଠକ ପରେ ସଂଧ୍ୟାରେ ମାଣପଡା ଗାଁରେ ପୁଲିସ ଉପସ୍ଥିତିରେ ବୈଠକ ବସିଛି। ମାତ୍ର ରିପୋର୍ଟ ଲେଖାହେବା ଯାଏଁ କୌଣସି ନିର୍ଯାସ ବାହାରିପାରିନାହିଁ। ୩ ଦିନ ଧରି ଶବ ପଡ଼ିରହିବା ଯୋଗୁଁ ଗାଁରେ ଠାକୁର ପୂଜା ମଧ୍ୟ ବନ୍ଦ ରହିଛି। କିଛି ପରିବାରରେ ମଧ୍ୟ ଚୁଲି ଜଳିନାହିଁ। ଏଣେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ସଭ୍ୟ ସମାଜରେ ଏହିଭଳି ଏକ ଘଟଣା ଦୁର୍ଭାଗ୍ୟଜନକ ଓ ମୃତଙ୍କ ପ୍ରତି ଏହା ଅସମ୍ମ‌ାନ ବୋଲି ବହୁ ସ୍ଥାନୀୟ ବୁଦ୍ଧିଜୀବୀ ମତପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର