୧୯୬୨,୧୯୭୧ ଯୁଦ୍ଧ ଲଢ଼ିଥିବା ଯବାନଙ୍କୁ ସରକାର କୃତଜ୍ଞତା ସ୍ବରୂପ ଦେଇଥିଲେ
ଏବେ ସେମାନଙ୍କଠାରୁ ଫେରାଇ ନେବାପାଇଁ ଏତେ ବ୍ୟାକୁଳ କାହିଁକି?
ଭୁବନେଶ୍ବର : ୧୯୬୨ ଓ ୧୯୭୧ରେ ଚୀନ୍ ଓ ପାକିସ୍ତାନ ସହ ଯୁଦ୍ଧ ଲଢ଼ିଥିବା ସେବାନିବୃତ ଯବାନମାନେ ସରକାରଙ୍କ ଠାରୁ ଚାଷ ଜମି ପାଇଥିବାବେଳେ ଏବେ ଏହାକୁ ନେଇ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କୃତଜ୍ଞତାର ସହ ସରକାର ଦେଇଥିବା ଜମିକୁ ପରବର୍ତ୍ତୀ ସମୟରେ ବିଭିନ୍ନ ଆଳ ଦେଖାଇ ସ୍ବତ୍ବ ଅଧିକାର ଚଢ଼ାଇ ନେଇଥିବା ବେଳେ ଏହାକୁ ନେଇ ଜୀବନର ଶେଷ ପାହାଚରେ ପହଞ୍ଚିଥିବା ବୃଦ୍ଧ ଯବାନମାନେ ବାର ଦୁଆର ହେଉଛନ୍ତି। ଏଥିପାଇଁ ଏକ ଗ୍ରହଣଯୋଗ୍ୟ ସମାଧାନ ସୂତ୍ର ବାହାର କରିବା ପାଇଁ ସରକାରଙ୍କୁ ଏହି ଯବାନମାନେ ନିବେଦନ କରିଛନ୍ତି।
ସୂଚନା ମୁତାବକ, ୧୯୬୨ ଓ ୧୯୭୧ରେ ଚୀନ୍ ଓ ପାକିସ୍ତାନ ସହ ଯୁଦ୍ଧ ଲଢ଼ିଥିବା ସେବାନିବୃତ ଯବାନମାନଙ୍କ ପୁନର୍ବାସ ପାଇଁ ପଟ୍ଟା ସହ ଚାଷ ଜମି ବଣ୍ଟନ କରିବା ପାଇଁ ସବୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ସେହି ଆଧାରରେ ବ୍ୟବହାର ହେଉନଥିବା ଜମିକୁ ଓଡ଼ିଶା ସରକାର ଚାଷ ଉଦ୍ଦେଶ୍ୟରେ ଯୋଗ୍ୟ ଯବାନମାନଙ୍କୁ ଦେଇଥିଲେ। ଖୋର୍ଦ୍ଧା, ପୁରୀ ଏବଂ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଯବାନମାନଙ୍କୁ ଚାଷ ଜମି ଯୋଗାଇ ଦିଆଯାଇଥିଲା। ସେତେବେଳେ ସରକାର ଉକ୍ତ ଜମି ସଂକ୍ରାନ୍ତ ପଟ୍ଟା ହସ୍ତାନ୍ତର ବେଳେ କୌଣସି ସର୍ତ୍ତ କିମ୍ବା କଟକଣା ରଖି ନଥିଲେ କି ସରକାରଙ୍କ ତରଫରୁ ଏ ଦିଗରେ କୌଣସି ଲିଜ୍ ଡିଡ୍ ବି ହୋଇନଥିଲା। କେବଳ ସରକାରଙ୍କ ନିର୍ଦ୍ଦେଶାବଳୀ ଚିଠି ମାଧ୍ୟମରେ ଜମି ଦିଆଯାଇଥିଲା। ଏକ ପଟ୍ଟା ସହ ଏହି ଜମି ଅଧିକାର ହସ୍ତାନ୍ତର କରାଯାଇ ଥିଲା। ପ୍ରଦତ୍ତ ପଟ୍ଟାରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ପଟ୍ଟା ମିଳିବାର ୧୦ ବର୍ଷ ପରେ ସେସବୁ ଜମି ବିକ୍ରିବଟା କରି ହସ୍ତାନ୍ତର କରାଯାଇପାରିବ।
/sambad/media/post_attachments/wp-content/uploads/2021/09/bda-1.jpg)
ପଟ୍ଟା ସହ ଜମି ହସ୍ତାନ୍ତର ପର ଠାରୁ ଗତ ୪୦-୪୫ ବର୍ଷ ମଧ୍ୟରେ ଭୁବନେଶ୍ବର ସହର ସୀମା ଚାରିପଟକୁ ବଢ଼ିଛି । ଫଳରେ ଯବାନମାନଙ୍କୁ କୃଷି ପାଇଁ ଦିଆଯାଇଥିବା ଜମି ବିଭିନ୍ନ ସ୍ଥାନରେ ଆବଦ୍ଧ ହୋଇଯାଇଛି। ଯାହା ଦ୍ବାରା ସେତେବେଳେ ଯବାନମାନଙ୍କୁ ଦିଆଯାଇଥିବା ଜମି ଏବେ ବିସ୍ତୃତ ବିକାଶ ଯୋଜନା (ସିଡିପି) ଅଧୀନରେ ଆସୁଛି ଏବଂ ବିଡିଏ ତା’ଉପରେ ନିଜ ଅଧିକାର ସମାନ ବ୍ୟବହାର କରିଛି। ସେତେବେଳେ ଲିଜ୍ରେ ଜମି ପାଇଥିବା ବହୁ ଯବାନ ଏବେ ପରିଣତ ବୟସରେ ପହଞ୍ଚିଲେଣି । ଚାଷବାସ କରି ପାରୁନାହାନ୍ତି । ଅଧିକାଂଶ ମୃତ୍ୟୁବରଣ ବି କଲେଣି। ସେମାନଙ୍କ ପରିବାର ଅନ୍ୟ କାହାକୁ ଜମି ବି ବିକ୍ରି କରିଦେଇଛନ୍ତି। କିଛି ସ୍ଥାନରେ ସେସବୁ ଜମିରେ ବଡ଼ ବଡ଼ କୋଠା ଓ ଅନୁଷ୍ଠାନ ବି ଠିଆ ହୋଇଛି।
୨୦୧୪ ମସିହାରେ ତତ୍କାଳୀନ ରାଜସ୍ବ ସଚିବ ଯବାନମାନଙ୍କୁ ଦିଆଯାଇଥିବା ଜମି ବିକ୍ରିକୁ ଲିଜ୍ ସର୍ତ୍ତର ଉଲ୍ଲଂଘନ ବୋଲି ବିବେଚନା କରି ସେ ସବୁ ଜମିର ଲିଜ୍ ବାତିଲ କରିବା ସହ ସରକାରୀ ଖାତାରେ ରେକର୍ଡଭୁକ୍ତ କରିବା ପାଇଁ ବନ୍ଦୋବସ୍ତ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । ବିନା ନୋଟିସ୍ରେ ଯବାନମାନଙ୍କୁ ଦିଆଯାଇଥିବା ଜମିର ପଟ୍ଟା ବାତିଲ କରିବା ଓ ପୁନଃ ସରକାରୀ ଖାତାକୁ ଫେରାଇ ନେବା ଆଇନ ଅନୁସାରେ ତହସିଲଦାର କିମ୍ବା ବନ୍ଦୋବସ୍ତ କାର୍ଯ୍ୟାଳୟର କ୍ଷମତା ଓ ଅଧିକାର ବାହାରେ। ତେବେ ତତ୍କାଳୀନ ରାଜସ୍ବ ସଚିବଙ୍କ ଏଭଳି ନିଷ୍ପତ୍ତି ଯୋଗୁ ହଜାର ହଜାର ଯବାନ ବିନା କାରଣରେ ପ୍ରଭାବିତ ହୋଇଛନ୍ତି।
/sambad/media/post_attachments/wp-content/uploads/2021/08/Odisha_high_court.jpg)
ଜମି ପଟ୍ଟାକୁ ବାତିଲ କରିବା କେତେ ଯୁକ୍ତିଯୁକ୍ତ ଓ ଏହାର ଫଳାଫଳ କ’ଣ ହେବ ଓ କିଏ କିଭଳି ଅସୁବିଧାର ସମ୍ମୁଖୀନ ହେବେ ସେ ଦିଗରେ ବିଚାର କରାଗଲା ନାହିଁ। ଜମି ବିକ୍ରେତା ଓ କ୍ରେତାଙ୍କୁ ପୂର୍ବରୁ ନୋଟିସ୍ ଦେବାକୁ ଆବଶ୍ୟକତା ବି ଥିଲା। ଏହା ମଧ୍ୟ କରାଗଲା ନାହିଁ। ଏହା ଦ୍ୱାରା ଜମି ହରାଇଥିବା ଯବାନ ଓ ତାଙ୍କ ପରିବାର ବନ୍ଦୋବସ୍ତ କମିସନର, ରାଜସ୍ବ ପର୍ଷଦ ଏବଂ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ହାଇକୋର୍ଟରେ ବହୁ ମାମଲା ପଡ଼ିରହିଛି। କାଗଜପତ୍ର ଓ ଅନ୍ୟାନ୍ୟ ତଥ୍ୟ ଠିକ୍ ଥିଲେ ସେମାନଙ୍କ ନାଁରେ ରେକର୍ଡ କରିବାକୁ କିଛି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି।
ତେବେ ସମସ୍ତଙ୍କ ପକ୍ଷରେ କୋର୍ଟ ଯାଇ ଲଢ଼ିବା ସମ୍ଭବ ବି ନୁହେଁ । କିଛି ମାମଲାରେ ଯଦି ଏଭଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ତେବେ ଅନ୍ୟମାନଙ୍କ କ୍ଷେତ୍ରରେ ବି ଲାଗୁ କରିବାକୁ ଦାବି ହେଉଛି । ନଚେତ୍ ହଜାର ହଜାର ଲୋକଙ୍କ ସମସ୍ୟାର ଅନ୍ତ ହେବ ନାହିଁ । ସୌଭାଗ୍ୟ ବଶତଃ ଡେରି ହେଲେବି ସରକାର ସମସ୍ୟାର ଗାମ୍ଭୀର୍ଯ୍ୟକୁ ଅନୁଭବ କରି ଏକ ୯ ଜଣିଆ କମିଟି ଗଠନ କରିଛନ୍ତି। ଜଟଣୀରେ ଶ୍ରୀଜଗନ୍ନାଥ ଜମି ବିବାଦର ସମାଧାନ ଭଳି ଏ କ୍ଷେତ୍ରରେ ଗଠିତ କମିଟି ସମାଧାନର ଗ୍ରହଣଯୋଗ୍ୟ ସୂତ୍ର ବାହାର କରି ହିତାଧିକାରୀଙ୍କ ଜମି ଫେରାଇବା ପାଇଁ ତୁରନ୍ତ ପଦକ୍ଷେପ ନେଲେ ସ୍ବାଗତଯୋଗ୍ୟ ପଦକ୍ଷେପ ହେବ ବୋଲି ଯବାନ ଓ ତାଙ୍କ ପରିବାର କହିଛନ୍ତି।