ଆଇଏସ୍‌ସି ପରୀକ୍ଷା: ପ୍ରଜ୍ଞା ମିଶ୍ର ଓଡ଼ିଶା ଟପର୍‌

ଓଡ଼ିଶାରୁ ୯୯.୪୭% ପାସ୍‌

ଭୁବନେଶ୍ବର : ସିଆଇଏସ୍‌ସିଇ ବୋର୍ଡ ଅଧୀନ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଆଇଏସ୍‌ସି) ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ଓଡ଼ିଶାରୁ ୨୬ଟି ବିଦ୍ୟାଳୟର ୧୮୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୯.୪୭% ପାସ୍‌ କରିଛନ୍ତି। ଏଥିରେ ବି ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ପରୀକ୍ଷା ଦେଇଥିବା ୯୪୯ ଜଣ ଛାତ୍ରଙ୍କ ମଧ୍ୟରୁ ୯୪୨ ଓ ୯୨୨ ଛାତ୍ରୀଙ୍କ ମଧ୍ୟରୁ ୯୧୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବ୍ରହ୍ମପୁରସ୍ଥିତ ଡିଇ ପଲ୍‌ ସ୍କୁଲ ଛାତ୍ରୀ ପ୍ରଜ୍ଞା ମିଶ୍ର ୯୯.୨୫% ମାର୍କ ରଖି ଓଡ଼ିଶା ଟପର୍‌ ହୋଇଛନ୍ତି। ତାଙ୍କ ତଳକୁ ୯୮.୭୫% ନମ୍ବର ରଖି ଉକ୍ତ ବିଦ୍ୟାଳୟର ସୌମ୍ୟା ପଟ୍ଟନାୟକ ଓ ରାଉରକେଲାସ୍ଥିତ ଚିନ୍ମୟ ବିଦ୍ୟାଳୟର ଲଲିତେନ୍ଦୁ ଜଗଜ୍ୟୋତି ମିଶ୍ର ଦ୍ବିତୀୟ ଓ ସ୍ନେହା ମିଶ୍ର ୯୮.୫୦% ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି। ଅନୁସୂଚିତ ଜାତି ବର୍ଗର ୧୨୫ଜଣ ଯାକ ପରୀକ୍ଷାର୍ଥୀ ଏବଂ ଅନୁସୂଚିତ ଜନଜାତି ବର୍ଗର ୨୮୫ଜଣଙ୍କ ମଧ୍ୟରୁ ୯୯.୬୫% ପାସ୍‌ କରିଛନ୍ତି।

ଦେଶରେ ୧୨୨୮ ବିଦ୍ୟାଳୟର ୯୬ ହଜାର ୯୪୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୯.୩୮% ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୯.୫୨% ଓ ଛାତ୍ରଙ୍କ ପାସ୍‌ହାର ୯୯.୨୬% ହୋଇଛି। ଉତ୍ତରାଞ୍ଚଳରେ ସର୍ବାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ହାର ୯୯.୪୩% ହୋଇଛି। ଦକ୍ଷିଣାଞ୍ଚଳରେ ୯୯.୮୧%, ପଶ୍ଚିମାଞ୍ଚଳରେ ୯୯.୫୮%, ପୂର୍ବାଞ୍ଚଳରେ ୯୯.୧୮% ଓ ବିଦେଶରେ ପାସ୍‌ହାର ୯୯.୬୪% ରହିଛି। ଦେଶର ଶ୍ରେଷ୍ଠ ତିନି ରୢାଙ୍କ ମଧ୍ୟରେ ୧୫୪ଜଣ ପରୀକ୍ଷାର୍ଥୀ ରହିଛନ୍ତି। ୯୯.୭୫% ମାର୍କ ରଖି ପ୍ରଥମ ସ୍ଥାନରେ ୧୮ଜଣ ଛାତ୍ରଛାତ୍ରୀ ରହିଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର