ଧର୍ମଶାଳା/ କଣ୍ଟିଗଡ଼ିଆ/ କଟକ/ ଭୁବନେଶ୍ବର: ଆତଙ୍କବାଦୀଙ୍କ ଲିଙ୍କ୍ରେ ରହୁଥିଲା। ଗୁଇନ୍ଦା ସଂସ୍ଥା ଓ ପୁଲିସ କବଳରୁ ବର୍ତ୍ତିବା ପାଇଁ ନିଜର ପରିଚୟ ଗୋପନ ରଖିଥିଲା। କାହାକୁ ଡାକ୍ତର, ଆଉ କାହାକୁ ପିଏମ୍ଓ ଅଫିସ୍ ଅଧିକାରୀ; କାହାକୁ ଆର୍ମି ଅଫିସର ତ କାହାକୁ ଏନ୍ଆଇଏ ଉଚ୍ଚପଦସ୍ଥ ଅଧିକାରୀଙ୍କ ଘନିଷ୍ଠ ବୋଲି ପରିଚୟ ଦେଉଥିଲା। ସୁନ୍ଦର ଚେହେରା ସାଙ୍ଗକୁ ଶାଣିତ ଇଂରାଜି ଓ ହିନ୍ଦୀ ଭାଷା ଯୋଗୁଁ କେହି କେବେ ସନ୍ଦେହ କରିନଥିଲେ। କେବଳ ସାଧାରଣ ଲୋକ ନୁହେଁ, ଭିନ୍ନ ଭିନ୍ନ ରାଜ୍ୟର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲା। ଏଭଳି ଜଣେ ସନ୍ଦିଗ୍ଧ ଈଶାନ ବୁଖାରୀକୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳରୁ ଗିରଫ କରିବା ଘଟଣା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତା’ ବିରୋଧରେ ଏସ୍ଟିଏଫ୍ କେସ୍ ନମ୍ବର ୩୧/୨୩ ରେ ୪୧୯/୪୨୦/୪୬୫/୪୬୭/ ୪୬୮/୪୭୧/୧୨୦ (ବି) ଆଇପିସି ଆର୍/ଡବ୍ଲ୍ୟୁ, ଧାରା ୬୬ ସି/୬୬ ଡି ଆଇଟି ଆଇନରେ ଦଫା ଲାଗିଛି।
ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି କ୍ରାଇମ୍ବ୍ରାଞ୍ଚ କହିଛି। ଆଜି ତାକୁ ଚଣ୍ଡିଖୋଲ ଜେଏମ୍ଏଫ୍ସି କୋର୍ଟରେ ସନ୍ଧ୍ୟା ପ୍ରାୟ ୬ଟା ବେଳେ ହାଜର କରାଯାଇଥିଲା। ପରେ ଯାଜପୁର ରୋଡ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି। ଅଧିକ ଜେରା ପାଇଁ ତାକୁ ୭ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିବା ଏସ୍ଟିଏଫ୍ ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଈଶାନ ଦେଶ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ରହିଛି କି ନାହିଁ ସେସଂପର୍କରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚଳାଇଛି। କଶ୍ମୀର ପୁଲିସ ସହ ଯୋଗାଯୋଗ ଚାଲିଛି। ତାର କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। ଏପଟେ ଈଶାନକୁ ଜେରା କରିବା ପାଇଁ ପଞ୍ଜାବର ଆଇବି ଟିମ୍ ଓଡ଼ିଶାରେ ପହଞ୍ଚି ସାରିଛି। କଶ୍ମୀର, କେରଳ ଓ ଅନ୍ୟ ରାଜ୍ୟର ଗୁଇନ୍ଦା ସଂସ୍ଥା ଖୁବ୍ଶୀଘ୍ର ପହଞ୍ଚିବେ ବୋଲି ଜଣାପଡ଼ିଛି। ଦରକାର ପଡ଼ିଲେ ଯେଉଁ ଯେଉଁ ଯୁବତୀଙ୍କୁ ଫସାଇଥିଲା ସେମାନଙ୍କୁ ପଚରା ଉଚରା ପାଇଁ ଡକାଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି। ଅନ୍ୟପଟରେ ଓକିଲ ଯଚୀନ୍ଦ୍ର ସାମଲଙ୍କ ସୂଚନା ଅନୁସାରେ ତା’ ବିରୋଧରେ ଆତଙ୍କବାଦ ସଂକ୍ରାନ୍ତ କୌଣସି ଦଫା ଲଗାଯାଇନାହିଁ।
କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଗତକାଲି ରାତିରେ ସ୍ଥାନୀୟ ମିଲତ ନଗରରୁ ଈଶାନ ବୁଖାରୀ ଓରଫ ଡାକ୍ତର ଈଶାନ ବୁଖାରୀ (୩୭)କୁ ଉଠାଇ ଆଣି ପଚରାଉଚରା କରିବା ପରେ ଆଜି ବିଧିବଦ୍ଧ ଭାବେ ଗିରଫ କରିଛି। କଶ୍ମୀରର କୁପଵରା ଜିଲ୍ଲା ପୀର୍ ମହଲ୍ଲା ଅଞ୍ଚଳରେ ଈଶାନର ଘର ବୋଲି କୁହାଯାଉଛି। କେରଳ ଓ ପାକିସ୍ତାନର ଆତଙ୍କୀ ଗୋଷ୍ଠୀ ସହିତ ଘନିଷ୍ଠ ସମ୍ପର୍କ ଯୋଡ଼ିଥିଲା। ତାର ପତ୍ନୀ ନେଉଳପୁରରେ ଇଂରାଜୀ ମାଧ୍ୟମିକ ସ୍କୁଲର ଶିକ୍ଷୟିତ୍ରୀ ଥିବା ବେଳେ ସେ ନେଉଳପୁରରେ ୨୦୧୮ରୁ ରହି ଠକେଇ, ଜାଲିଆତି ସହିତ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡ଼ିତ ଥିବା କୁହାଯାଉଛି।
ଈଶାନ ନେଉଳପୁରର ମିଲତ ନଗରରେ ନିଜକୁ କଶ୍ମୀରର ଡାକ୍ତର ପରିଚୟ ଦେଉଥିଲା। ସେଠାରେ ରହିବା ଭିତରେ ମିଲତ ନଗରର ଜଣେ ଯୁବତୀଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ଫସାଇ ବିବାହ କରିଥିଲା। ଏବେ ତାର ୪ ବର୍ଷର ଝିଅ ରହିଛି। ସେ ଅନେକ ସମୟରେ କଶ୍ମୀରରେ ରହୁଥିଲା ଓ ମଝିରେ ମଝିରେ ମିଲତ ନଗରକୁ ଯିବା ଆସିବା କରୁଥିଲା। କରୋନାର ପ୍ରଥମ ଲହରରେ ଯେତେବେଳେ ଈଶାନ କଶ୍ମୀରରୁ ମିଲତ ନଗର ଘରକୁ ଫେରିଥିଲା, ସେହି ସମୟରେ ତାକୁ ଧର୍ମଶାଳା ଥାନା ପୁଲିସ ସନ୍ଦେହରେ ଜେରା କରିଥିଲା। କିନ୍ତୁ ପରେ ତାକୁ ଛାଡ଼ି ଦେଇଥିଲା। ତାର ଆତଙ୍କୀ କାର୍ଯ୍ୟକଳାପକୁ ନେଇ କେବେ କେହି ସନ୍ଦେହ କରି ନଥିଲେ।
ଦେଶ ବିରୋଧୀ ତତ୍ତ୍ବଙ୍କ ସହ ରହିଛି ସଂପର୍କ
୧୯ଙ୍କୁ ଫସାଇଥିଲା, ୭ଜଣଙ୍କୁ ବାହା ହୋଇଛି
ଧର୍ମଶାଳାରେ ଅଛନ୍ତି ଜଣେ ପତ୍ନୀ ଓ ଝିଅ
୩ ରାଜ୍ୟର ଆଇବି ଅଧିକାରୀଙ୍କ ଡେରା
ଏନ୍ଆଇଏ, କେନ୍ଦ୍ରୀୟ ଗୁଇନ୍ଦା ଜେରା କରିବେ
ଆଜି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ତାକୁ ଜେରା କରିବା ସମୟରେ ଈଶାନ କାଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ଓଡ଼ିଶାରେ ୭ରୁ ଅଧିକ ଯୁବତୀଙ୍କୁ ବିବାହ କରିଥିବା ଜାଣିବାକୁ ପାଇଛି। ସେ ବିଭିନ୍ନ ଡେଟିଂ ୱେବସାଇଟ୍ ଓ ଆପ୍ଲିକେସନରେ ସକ୍ରିୟ ରହୁଥିବା ବେଳେ ଯୁବତୀଙ୍କ ସହିତ ଅନ୍ତରଙ୍ଗ ସମ୍ପର୍କ ସୃଷ୍ଟି କରୁଥିଲା। ଆହୁରି ୧୦ରୁ ୧୨ ଯୁବତୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା। ଯାହାର ପ୍ରମାଣ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପାଖରେ ରହିଛି। ଏବେ ଫେରାର ଈଶାନ ଧରାପଡ଼ିବା ପରେ ତାକୁ ପଞ୍ଜାବ, କେରଳ, କାଶ୍ମୀର ସମେତ ଏନଆଇଏ ଓ ଗୁଇନ୍ଦା ବ୍ୟୁରୋର ବରିଷ୍ଠ ଅଧିକାରୀ ଓଡ଼ିଶା ଆସି ଜେରା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନେଉଳପୁର ଭଡ଼ା ଘର ଯାଞ୍ଚ ସମୟରେ ଏସ୍ଟିଏଫ୍ ଟିମ୍ ୧୦୦ଟି କାଗଜପତ୍ର ଜବତ କରିଛି। ତା’ ନିକଟରୁ ଆମେରିକାର କୋରନେଲ୍ ବିଶ୍ବବିଦ୍ୟାଳୟ, କାନାଡିଆନ୍ ହେଲଥ ସର୍ଭିସ ଇନଷ୍ଟିଚ୍ୟୁଟ୍, ଖ୍ରୀଷ୍ଟିୟାନ ମେଡିକାଲ୍ କଲେଜ ଭେଲୋରର ଡାକ୍ତରୀ ଡିଗ୍ରି ସାର୍ଟିଫିକେଟ ଜବତ କରାଯାଇଛି। ଏହା ସହିତ ଆଫିଡେଭିଟ୍, ବଣ୍ଡ୍, ଏକାଧିକ ପରିଚୟପତ୍ର, ଏଟିଏମ୍ କାର୍ଡ, ଚେକ୍ ବୁକ୍, ଆଧାର କାର୍ଡ, ଭିଜିଟିଂ କାର୍ଡ ଇତ୍ୟାଦି ଜବତ ହୋଇଛି। ଈଶାନ ନିଜକୁ ସ୍ନାୟୁ ରୋଗ ବିଶେଷଜ୍ଞ, ଆର୍ମି ଡାକ୍ତର, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ଏନ୍ଆଇଏର ଉଚ୍ଚସ୍ତରୀୟ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ବୋଲି ବିଭିନ୍ନ ସ୍ଥାନରେ ପରିଚୟ ଦେଉଥିଲା।
ବିଶ୍ବସ୍ତ ସୂତରୁ ମିଳିଥିବା ସୂଚନା ଅନୁସାରେ, ଈଶାନ ଠାରୁ ଜବତ ୪ଟି ମୋବାଇଲ୍ ମଧ୍ୟରୁ ଦୁଇଟିରୁ ଏସ୍ଟିଏଫ୍ ଅନେକ ତଥ୍ୟ ହାତେଇଥିବା ବେଳେ ଅନ୍ୟ ଦୁଇଟି ଫୋନ୍ ଖୋଲୁନାହିଁ। ଏଥିପାଇଁ ଏସ୍ଟିଏଫ୍ ଦୁଇଟି ଫୋନ୍କୁ ଏସ୍ଏଫ୍ଏସ୍ଏଲ୍କୁ ପଠାଇଛି। ମୋବାଇଲ୍ ଦୁଇଟି ଖୋଲିବା ପରେ ଆତଙ୍କୀ ଲିଙ୍କ୍ ନେଇ ଅଧିକ ଖୋଳତାଡ଼ ହେବ। ଏହାଛଡ଼ା ତାର ସୋସିଆଲ୍ ମିଡିଆ, ବ୍ୟାଙ୍କ ଅକାଉଣ୍ଟ, ସିଡିଆରକୁ ମଧ୍ୟ ଯାଞ୍ଚ କରାଯାଉଛି। ସେ ଅନ୍ୟ କେଉଁମାନଙ୍କ ସହ ସମ୍ପର୍କରେ ଥିଲା? କାହା କାହା ଆକାଉଣ୍ଟରୁ ଟଙ୍କା ଆସିଛି? ଟଙ୍କା ଯାଇଛି? ଏସ୍ଟିଏଫ୍ ସେ ସଂକ୍ରାନ୍ତରେ ତଦନ୍ତ ଜାର ରଖିଛି। ନେଉଳପୁରରେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହ କରିଥିଲା
ଈଶାନ ୨୦୧୮ରେ ନିଜକୁ ସେନା ଡାକ୍ତର ବୋଲି ପରିଚୟ ଦେଇ ନେଉଳପୁରର ସେକ୍ କବିରୁଦ୍ଦିନ୍ଙ୍କ ଝିଅ ତଥା ସ୍ବାମୀ ପରିତ୍ୟକ୍ତା ସେହେନାଜ୍ ପରବିନ୍ (ପରୋ)ଙ୍କୁ ବିବାହ କରିଥିଲା। ଫେସ୍ବୁକ୍ରେ ଆଳାପ ଆଲୋଚନାରୁ ଉଭୟଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରୋ ମିଲତନଗରରେ ଥିବା ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବା ବେଳେ ନିକଟରେ ଏକ ଭଡା଼ଘରେ ରହୁଥିଲେ। ଈଶାନ୍ ପ୍ରାୟ ଚାରି ପାଞ୍ଚ ମାସ ବ୍ୟବଧାନରେ ଏଠାକୁ ଆସୁଥିଲା। ୨ବର୍ଷ ପୂର୍ବେ ଈଶାନ ପତ୍ନୀ ସହିତ ନେଉଳପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଆଧାରକାର୍ଡ ସମେତ ଏଠାକାର ବାସିନ୍ଦା ହେବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ତତ୍କାଳୀନ ସରପଞ୍ଚ ଦିବାକର ବେହେରାଙ୍କ ସହିତ ଆଲୋଚନା କରିଥିଲା। ହେଲେ ବାହାର ରାଜ୍ୟର ଲୋକ ହୋଇଥିବାରୁ ସରପଞ୍ଚ ମନା କରି ଦେଇଥିଲେ ବୋଲି ଜଣାପଡ଼ିଛି। ସେ ଏଠାରେ କାହା ସହିତ ଅଧିକ ମିଳାମିଶା କରୁନଥିଲା। କରୋନା ମହାମାରୀ ସମୟରେ ତାକୁ ଜଣେ କରୋନା ରୋଗୀ ବୋଲି ସନ୍ଦେହ କରି ନିକଟସ୍ଥ ଲୋକେ ଥାନାରେ ଅଭିଯୋଗ କରିଥିଲେ। ଆଜି ଏହି ଘଟଣା ଜଣାପଡ଼ିବା ପରେ ମିଲତନଗରସ୍ଥିତ ପରୋଙ୍କ ଭଡ଼ାଘର ସମ୍ମୁଖ ଲୋକାରଣ୍ୟ ହୋଇ ଯାଇଥିଲା।