ପୁରୀ:ଭଗବାନ କୃଷ୍ଣଙ୍କ ପ୍ରଚାର କରିବା ଭଲ। କିନ୍ତୁ ଅଦିନରେ କଲେ ମଙ୍ଗଳ ନୁହେଁ। ପଶ୍ଚିମବଙ୍ଗର ମାୟାପୁରୀରେ ଥିବା ଇସ୍କନ କାର୍ଯ୍ୟାଳୟକୁ ୧୦୦ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଇସ୍କନ କର୍ତ୍ତୃପକ୍ଷଙ୍କୁ ପଠାଯାଇଛି। ଇସ୍କନ କ’ଣ ଉତ୍ତର ଦେଉଛି ଦେଖିବାକୁ ଅପେକ୍ଷା କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଶନିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।
ଗଜପତି ମହାରାଜ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଉପରେ ଯଦି ପଢ଼ିବେ ୫୦ ବର୍ଷ ଧରି ଇସ୍କନ ଭୁଲ୍ କାମ କରି ଆସୁଛି। ବିଦେଶରେ ଯେତେବେଳେ ରଥଯାତ୍ରା ଆରମ୍ଭ ହୋଇଥିଲା, ପୁରୀ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବିଭ୍ରାଟ ଦେଖାଯାଇଥିଲା। ଅଳ୍ପ କିଛି ସ୍ଥାନରେ ପୁରୀ ସହିତ ସ୍ନାନଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଏବେ ଅନେକ ସ୍ଥାନରେ ରଥଯାତ୍ରା ତିଥି ବାହାରେ ଆୟୋଜନ ହେଉଛି।
୨୦୨୧ ଜୁଲାଇ ୨୧ରେ ଇସ୍କନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ଯେ, ଭାରତ ଭିତରେ ପୁରୀ ପରମ୍ପରା ସହିତ ରଥଯାତ୍ରାର ଆୟୋଜନ କରାଯିବ। କିନ୍ତୁ ଚଳିତ ବର୍ଷ ବିଦେଶରେ ୬୮ଟି ସ୍ଥାନରେ ଅଦିନିଆ ରଥଯାତ୍ରା ପାଳନ କରାଯାଇଛି। ଭାରତ ଭିତରେ ମଧ୍ୟ ଅସମୟରେ ଚଳିତ ବର୍ଷ ରଥଯାତ୍ରା ପାଳନ କରାଯାଇଛି। ଇସ୍କନ ସହିତ ଯୋଗାଯୋଗ କରିବାରୁ ଜାଣିବାକୁ ପାଇଲୁ ଯେ, ସ୍ନାନଯାତ୍ରାରେ ମଧ୍ୟ ଏଭଳି ବିଭ୍ରାଟ ଦେଖାଯାଉଛି। ଜୁଲାଇ ପର୍ଯ୍ୟନ୍ତ ଦେଶରେ ୪୦ଟି ସ୍ଥାନରେ ସ୍ନାନଯାତ୍ରା ଆୟୋଜନ କରାଯାଇଛି। ଅନେକ ଚିଠି ସତ୍ତ୍ବେ ଇସ୍କନ ପକ୍ଷରୁ ଭାରତ ବାହାରେ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯାଉଛି।
ମହାପ୍ରଭୁଙ୍କ ସ୍ନାନଯାତ୍ରା ଜ୍ୟେଷ୍ଠ ପୂର୍ଣ୍ଣିମା ଓ ରଥଯାତ୍ରା ଆଶାଢ଼ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଆୟୋଜନ କରିବାକୁ ଏକ ପ୍ରସ୍ତାବ ଦିଆଯାଇଛି। ଇସ୍କନ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଗଜପତି ମହାରାଜ ପରାମର୍ଶ ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଥିଲେ, ଇସ୍କନ ପକ୍ଷରୁ ବିଦେଶରେ ଆୟୋଜିତ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆଦୌ ଗ୍ରହଣୀୟ ନୁହେଁ। ପୁରୀ ସହିତ ଦେଶ-ବିଦେଶରେ ରଥଯାତ୍ରା ଓ ସ୍ନାନ ଯାତ୍ରା ଗୋଟିଏ ଦିନରେ ହେବା ଉଚିତ। ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବରୁ ଇସ୍କନ ପକ୍ଷରୁ ୧୮ଟି ସ୍ଥାନରେ ସ୍ନାନଯାତ୍ରା କରାଯାଇଥିଲା। ଇସ୍କନ ପକ୍ଷରୁ ମିଳିଥିବା ଦସ୍ତାବିଜ୍ ଅନୁଧ୍ୟାନ ପରେ ଏହା ଜଣାଯାଇଛି। କିନ୍ତୁ ଇସ୍କନର ଏହି ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ।
Puri Jagannath temple | lord jagannath | gajapati divya singh dev