ପୁଣି ଅଦିନେ ଗଡ଼ିଲା ରଥ : କଥା ଦେଲେ, ମାନିଲେନି; ଇସ୍କନ୍ ପକ୍ଷରୁ ମୁମ୍ବାଇରେ ଚତୁର୍ଦ୍ଧା ମୂର୍ତିଙ୍କୁ ନେଇ ଗଡ଼ିଲା ରଥ
ଭୁବନେଶ୍ବର : ଅଦିନିଆ ରଥଯାତ୍ରାକୁ ନେଇ କେତେ ତମ୍ବିତୋଫାନ ହେଲା। ଶେଷରେ ଅଦିନିଆ ରଥ ଗଡ଼େଇବେ ନାହିଁ ବୋଲି ଖୋଦ ଇସ୍କନ୍ ବୋର୍ଡ ମୁଖ୍ୟ ବି ସମ୍ମତି ଜଣାଇଲେ। ମାତ୍ର କଥା ରଖିଲେ ନାହିଁ। ନିଜ ଜିଦ୍ରେ ଅଟଳ ରହିଲେ। ଆଜି ଇସ୍କନ୍ ପକ୍ଷରୁ ମୁମ୍ବାଇରେ ରଥଯାତ୍ରା ଆୟୋଜନ କରି ସେମାନେ ଯେ କାହାର ନିଷ୍ପତ୍ତିକୁ ମାନିବେ ନାହିଁ, ତାହା ପ୍ରମାଣିତ କରିଦେଲେ। ଫଳରେ ଏହାକୁ ନେଇ ଆଜି ପୁଣି ରାଜ୍ୟର ସଂସ୍କୃତି ବିଶାରଦଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇ ଶିବାଜୀ ପାର୍କରୁ ରଥଯାତ୍ରା ଆରମ୍ଭ ହୋଇଥିଲା। ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତିଙ୍କୁ ନେଇ ରଥ ଗଡ଼ିଥିଲା। ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୁମ୍ବାଇର ଇସ୍କନ ପକ୍ଷରୁ ଏନେଇ ସଫେଇ ଦିଆଯାଇଛି ଯେ ପୁରୀରେ ଆଷାଢ଼ ମାସରେ ରଥଯାତ୍ରା ହେଉଥିବା ବେଳେ ଆମେ ଏଠାରେ ଶାସ୍ତ୍ର ଆଧାରରେ ବସନ୍ତ ପଞ୍ଚମୀରେ ରଥଯାତ୍ରା କରୁଛୁ। ମାତ୍ର ଏନେଇ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି କହିଛନ୍ତି, ଅଦିନିଆ ରଥଯାତ୍ରା ଆୟୋଜନ ନେଇ ବିବାଦ ଉପୁଜିବାରୁ ୩ ମାସ ତଳେ ଇସ୍କନ ନେତୃମଣ୍ଡଳୀ ସହ ଆଲୋଚନା ହୋଇଥିଲା। ଏମିତିକି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହିଦନଗରସ୍ଥିତ ବାସଭବନରେ ମଧ୍ୟ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଇସ୍କନ ବୋର୍ଡର ମୁଖ୍ୟ ଗୋପାଳକୃଷ୍ଣ ସ୍ବାମୀ ଉପସ୍ଥିତ ଥିଲେ। ଶ୍ରୀପଞ୍ଚମୀ କିମ୍ବା ଅଶୋକାଷ୍ଟମୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଯୁକ୍ତି ଦର୍ଶାଇ କୁହାଯାଇଥିଲା ଯେ ରଥଯାତ୍ରା ଏକ ମହୋତ୍ସବ। ଶ୍ରୀପଞ୍ଚମୀଠାରୁ ରଥକାଠ ଅନୁକୂଳରୁ ରଥଯାତ୍ରାର ପ୍ରକ୍ରିୟା ଆରମ୍ଭ ହୁଏ କିନ୍ତୁ ରଥଯାତ୍ରା ହୁଏ ନାହିଁ। ଏହା କୁହାଯିବା ପରେ ଗୋପାଳକୃଷ୍ଣ ସ୍ବାମୀ ମଧ୍ୟ ଏଥିରେ ସମ୍ମତି ଜଣାଇଥିଲେ। ଏତେ ସବୁ ପରେ ମଧ୍ୟ ସେ ପୁନର୍ବାର ପରମ୍ପରାକୁ ଭାଙ୍ଗିବା ଆମକୁ ଗଭୀର ଆଘାତ ଦେଇଛି। ଆବଶ୍ୟକ ପଡ଼ିଲେ ଆମେ ଇସ୍କନ ଭୁବନେଶ୍ବରକୁ ଘେରିବୁ ବୋଲି ସେ କହିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଇସ୍କନ ଭୁବନେଶ୍ବର ପକ୍ଷରୁ ମଧ୍ୟ ଏ ବାବଦରେ ମୁମ୍ବାଇ ଇସ୍କନ ସହ ଆଲୋଚନା କରାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୯ ନଭେମ୍ବର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି ନିଆଯିବାରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ବିଭିନ୍ନ ମହଲରୁ ବିରୋଧ ହେବା ପରେ ଲୁଧିଆନା ଇସ୍କନ ଅଦିନିଆ ରଥଯାତ୍ରାରୁ ଓହରିଥିଲା। ମାତ୍ର ମୁମ୍ବାଇ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ କରାଯାଇ ପୁଣି ଶ୍ରୀକ୍ଷେତ୍ରର ପରମ୍ପରାକୁ ଜଳାଞ୍ଜଳି ଦିଆଗଲା ବୋଲି ସଂସ୍କୃତି ପ୍ରେମୀମାନେ କହିଛନ୍ତି।