ମୁମ୍ବାଇରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ : ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ସବୁ ରାଜନୈତିକ ଦଳ

ସିଂହଦ୍ବାର ଥାନାରେ ଏତଲା

ଭୁବନେଶ୍ୱର : ଅଦିନରେ ମୁମ୍ବାଇରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ କରାଇଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି। ଦଳମତ ନିର୍ବିଶେଷରେ ସବୁ ରାଜନୈତକ ଦଳ ଏହାକୁ ନିନ୍ଦା କରିବା ସହ ଓଡ଼ିଶାର ସ୍ବାଭିମାନ ଓ ପରମ୍ପରା ପ୍ରତି ଏହା ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଅଦିନରେ ରଥଯାତ୍ରା କରି ଜଗନ୍ନାଥ ସଂସ୍କୃତିକୁ ଅପଭ୍ରଂଶ କରିବାକୁ ଉଦ୍ୟମ କରାଯାଉଛି। ବାରମ୍ବାର ଏପରି କରିବାକୁ ପ୍ରୟାସ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ମାମଲା ଦାୟର କରିବା ଦରକାର।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ଜଗନ୍ନାଥଙ୍କୁ ପୂଜା କରିବାରେ କାହାର ଆପତ୍ତି ନାହିଁ। କିନ୍ତୁ ଅସମୟରେ ରଥଯାତ୍ରା କରିବା ପରମ୍ପରା ବିରୋଧୀ। ମହାପ୍ରଭୂଙ୍କ ନୀତିକାନ୍ତିକୁ ନେଇ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଯେପରି ଖେଳ ଖେଳୁଛନ୍ତି ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ଜେନା ଦାବି କରିଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ଅଦିନିଆ ରଥଯାତ୍ରା ଜଗନ୍ନାଥଙ୍କ ପ୍ରତି ଅପମାନ ସଦୃଶ। ଏହା ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ରୋକିବାକୁ ରାଜ୍ୟ ସରକାର ଗୋଟିଏ ସ୍ବତନ୍ତ୍ର ଆଇନ ଆଣିବାକୁ ସେ ପରାମର୍ଶ ଦେଇଥିଲେ। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରାର ନୀତିନିୟମ କଣ ତାକୁ ଚାରିଆଡ଼େ ପ୍ରଚାର କରିବାକୁ ରାଜ୍ୟ ସରକାର ଉଦ୍ୟମ କରନ୍ତୁ। ଫଳରେ ଲୋକେ ଏପରି ଅଦିନିଆ ରଥଯାତ୍ରାକୁ ଗ୍ରହଣ କରିବାକୁ ଆଗ୍ରହ ଦେଖାଇବେ ନାହିଁ।

ସିଂହଦ୍ବାର ଥାନାରେ ଏତଲା
ପୁରୀ: ଇସ୍କନ ପକ୍ଷରୁ ମୁମ୍ବାଇରେ ଅଦିନିଆ ରଥଯାତ୍ରା ଆୟୋଜନ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ଅସମ୍ମାନ। ଏଭଳି କାର୍ଯ୍ୟ ପ୍ରତିବାଦରେ ଆଜି ସଚେତନ ନାଗରିକ ମଂଚ ପକ୍ଷରୁ ସିଂହଦ୍ବାର ଥାନ‌ାରେ ଏତଲା ଦିଆଯାଇଛି। ନାଗରିକ ମଂଚ ପକ୍ଷରୁ ସଭାପତି ତଥା ଆଇନଜୀବୀ ପ୍ରସନ୍ନ ଦାଶ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି। ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ମାତ୍ର ଗତ ୩୦ ତାରିଖରେ ଅଦିନିଆ ରଥଯାତ୍ରା କରି ଇସ୍କନ ପରମ୍ପରା ଉଲ୍ଲଂଘନ କରିଛି। ଇସ୍କନ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର