ଭୁବନେଶ୍ବର: ଭାରତୀୟ ନେଫ୍ରୋଲୋଜି ସୋସାଇଟିର ଜାତୀୟ ସମ୍ମିଳନୀ ଆଜି ହୋଟେଲ ମେ ଫେୟାରରେ ଆରମ୍ଭ ହୋଇଛି। ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ୧୨ବର୍ଷ ପରେ ରାଜ୍ୟରେ ଦ୍ବିତୀୟ ଥର ଲାଗି ଏହି ସମ୍ମିଳନୀ ଆୟୋଜିତ ହେଉଛି। ବିଶ୍ବରେ କିଡ୍‌ନି ରୋଗର ସମସ୍ୟା ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ଜରିଆରେ କିଡ୍‌ନି ରୋଗୀମାନଙ୍କୁ ମାଗଣାରେ ଡାଏଲିସିସ୍ ସୁବିଧା ଯୋଗାଇ ଦେଉଛନ୍ତି। ମେଡିକାଲ କଲେଜ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ଏହି ସୁବିଧା ଉପଲବ୍ଧ ହେଉଛି। ‘ସହାୟ’ ଯୋଜନାରେ ଚଳିତବର୍ଷ ୩୫ହଜାର ରୋଗୀଙ୍କୁ ୭୦ହଜାର ଥର ମାଗଣାରେ ଡାଏଲିସିସ୍ ସୁବିଧା ମିଳିପାରିଛି। ସେହିପରି ବିଏସ୍‌କେୱାଇ ଯୋଜନାରେ ବର୍ଷକୁ ୩ଲକ୍ଷ ଟଙ୍କାରୁ କମ୍ ରୋଜଗାର ଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ମାଗଣାରେ ରେନାଲ ବା କିଡ୍‌ନି ପ୍ରତିରୋପଣ ସୁବିଧା ଦେଉଛନ୍ତି। ଏ ପର୍ଯ୍ୟନ୍ତ ମେଡିକାଲଗୁଡ଼ିକରେ ୧୫୦ରୁ ଅଧିକ କିଡ୍‌ନି ପ୍ରତିରୋପଣ ହୋଇସାରିଛି। କିଡ୍‌ନି ବ୍ୟତୀତ ମଧୁମେହ ଓ ଅନ୍ୟାନ୍ୟ ରୋଗର ମାଗଣା ସୁବିଧା ଦିଆଯାଉଛି। ବିଏସ୍‌କେୱାଇ ଯୋଜନାରେ ରାଜ୍ୟରେ ମାଗଣା ସ୍ବାସ୍ଥ୍ୟାସେବା ଯୋଗାଇବାରେ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସମ୍ମିଳନୀ ନେଫ୍ରୋଲୋଜି କ୍ଷେତ୍ରରେ ଚିକିତ୍ସା ଓ ଡାଏଗ୍ନୋସିସ୍ କ୍ଷେତ୍ରରେ ନୂତନ ଦିଗଦର୍ଶନ ଆଣିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୮ଜଣ ନେଫ୍ରୋଲୋଜିଷ୍ଟଙ୍କୁ ଆଇଏସ୍‌ଏନ୍ ଫୋଲୋସିପ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ଆଇଏସ୍‌ଏନ୍‌ର କର୍ମକର୍ତା ଉପସ୍ଥିତ ଥିଲେ।

Advertisment