ରାଉରକେଲା ଜଳ ବିଶୋଧନାଗାର ପ୍ଲାଣ୍ଟକୁ ମିଳିଲା ଆଇଏସଓ ମାନ୍ୟତା

ରାଉରକେଲା: ରାଉରକେଲା ସହରବାସୀଙ୍କୁ ଜନସ୍ୱାସ୍ଥ୍ୟ ବିଭାଗର ଜଳ ବିଶୋଧନାଗାର ପ୍ଲାଣ୍ଟ ଜରିଆରେ ମିଳୁଛି ବିଶୁଦ୍ଧ ପାନୀୟ ଜଳ। ଏବେ ଏହି ପ୍ଲାଣ୍ଟକୁ ଆଇଏସଓ ମାନ୍ୟତା ମିଳିଛି। ପରିବେଶ ଅନୁକୂଳ ପ୍ଲାଣ୍ଟ ସ୍ଥାପନା ସହିତ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଉଥିବାରୁ ପ୍ଲାଣ୍ଟକୁ ଏହି ମାନ୍ୟତା ଦିଆଯାଇଛି। ଶନିବାର ଦିନ ରାଉରକେଲାର ଜନସ୍ୱାସ୍ଥ୍ୟ ଓ ଇଂଜିନିୟରିଂ ବିଭାଗ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏସଓ ପ୍ରମାଣପତ୍ରକୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଗ୍ରହଣ କରିଛନ୍ତି।

ରାଉରକେଲା ସହରରେ ଥିବା ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଲାଗି ୫୫ ଏମଏଲଡି ବିଶିଷ୍ଟ ଜଳ ବିଶୋଧନାଗାର ପ୍ଲାଣ୍ଟ ରହିଛି। ଏହା ଦ୍ୱାରା ଲୋକମାନେ ପିଶୁଦ୍ଧ ପାନୀୟ ଜଳ ପାଇ ପାରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଛନ୍ତି ଯେ, ରାଉରକେଲା ସହରର ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ହେଉଛି ଆମର ଲକ୍ଷ୍ୟ। ଏଥିପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ରାଉରକେଲାର ଜନସ୍ୱାସ୍ଥ୍ୟ ବିଭାଗକୁ ଆଇଏସଓ ସାର୍ଟିଫିକେଟ ମିଳିବା ଆମ ପାଇଁ ଖୁସିର କଥା। ସାର୍ଟିଫିକେଟ ଗ୍ରହଣ କରିବା ପରେ କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଥିଲେ ଯେ, ‘‘ରାଉରକେଲାବାସୀଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାବା କ୍ଷେତ୍ରରେ ଜନସ୍ୱାସ୍ଥ୍ୟ ବିଭାଗ ଭଲ କାମ କରିଛି। ସେଥିପାଇଁ ଆଜି ଆମକୁ ଆଇଏସଓ ସାର୍ଟିଫିକେଟ ମିଳିଛି। ଆଗାମୀ ଦିନରେ ଆହୁରି ଭଲ କାମ କରିବାକୁ ବିଭାଗର କର୍ମଚାରୀଙ୍କୁ ଏହା ଉତ୍ସାହ ଯୋଗାଇବ।

ସହରରେ ଗୋଷ୍ଠୀ ଶୌଚାଳୟ ପରିଚାଳନା, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏସଟିପିଆଇ ପ୍ଲାଣ୍ଟକୁ ମଧ୍ୟ ଅତୀତରେ ଏହି ସାର୍ଟିଫିକେଟ ମିଳିଥିଲା। ଆଗାମୀ ଦିନରେ ରାଉରକେଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବା ସହ ନଷ୍ଟ ହେଉଥିବା ପାଣିର ସୁପରିଚାଳନା କରାଯିବବୋଲି ଶ୍ରୀ ପରିଡ଼ା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜନସ୍ୱାସ୍ଥ୍ୟ ଓ ଇଂଜିନିୟରିଂ ବିଭାଗର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସମ୍ବଲପୁର ମଣ୍ଡଳ) ପ୍ରଦୀପ କୁମାର ଦେ, ଏନଆଇଟି ପ୍ରଫେସର ଡକ୍ଟର ଏସ୍ କେ ପଟେଲ ଓ କାହ୍ନୁ ଚରଣ ପାତ୍ର, ନିର୍ବାହୀ ଯନ୍ତ୍ରୀ ଏ କେ ପଣ୍ଡା, ଆଦିଲ ମହମ୍ମଦ ଏବଂ ଆଇଏସଓ ସାର୍ଟିଫିକେଟ ପ୍ରଦାନ ପାଇଁ କାର୍ଯ୍ୟ ତଦାରଖ କରିଥିବା ସଂସ୍ଥା ଏକେପି ଓ ଆସୋସିଏଟସର ଅନୁପ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର