୧୪ଟି ରେଳ ଷ୍ଟେସନକୁ ଆଇଏସ୍‌ଓ ୧୪୦୦୧:୨୦୧୫ ପ୍ରମାଣପତ୍ର

ଭୁବନେଶ୍ବର : ଉନ୍ନତ ପରିବେଶ ପରିଚାଳନା ପଦ୍ଧତି ନିମନ୍ତେ ପୂର୍ବତଟ ରେଳପଥର ୧୪ଟି ଷ୍ଟେସନକୁ ଆଇଏସ୍‌ଓ ୧୪୦୦୧:୨୦୧୫ ପ୍ରମାଣପତ୍ର ମିଳିଛି। ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ଭିତରେ ଯେଉଁ ଷ୍ଟେସନଗୁଡିକରେ ଯାତ୍ରୀ ସୁବିଧା ଉପଲବ୍ଧ, ସେହିଗୁଡିକୁ ଏହି ପ୍ରମାଣପତ୍ର ଦିଆଯାଇଛି। ଏହି ସମସ୍ତ ରେଳ ଷ୍ଟେସନରେ ଯାତ୍ରୀଙ୍କ ନିମନ୍ତେ ଉଚ୍ଚତର ଶ୍ରେଣୀର ଭିଆଇପି ଲାଉଞ୍ଜ, ପ୍ରତୀକ୍ଷା କକ୍ଷ, ଏସି ଓ ନନ୍ ଏସି ବିଶ୍ରାମ କକ୍ଷ, ଡର୍ମିଟୋରି, ରିଫ୍ରେସିଙ୍ଗ୍ ଅଞ୍ଚଳ, ସ୍ୱାସ୍ଥ୍ୟକର ଖାଦ୍ୟ ସୁବିଧା, ଉନ୍ନତ ପରିଷ୍କାର ପରିଚ୍ଛନ୍ନତାର ସୁବିଧା ସହ ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ବ୍ୟବସ୍ଥା ଉପଲବ୍ଧ ହୋଇଛି। ଏହାବ୍ୟତୀତ ବର୍ଜ୍ୟବସ୍ତୁ ପୃଥକୀକରଣ, ଅପସାରଣ ସହ ବର୍ଜ୍ୟବସ୍ତୁ ପରିଚାଳନାକୁ ଆଇଏସ୍‌ଓ ଅଡିଟ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି।

ଖୋର୍ଦ୍ଧା ରୋଡ ମଣ୍ଡଳରେ ଭୁବନେଶ୍ୱର ଓ କଟକ ଷ୍ଟେସନକୁ ଗତ ଜାନୁଆରି ୩୦ରେ ଆଇଏସ୍‌ଓ ପ୍ରମାଣପତ୍ର ମିଳିଥିଲା। ଫେବ୍ରୁଆରି ୧୨ରେ ପୁରୀ ଷ୍ଟେସନ, ଜୁନ୍‌ ୧୦ରେ ସମ୍ବଲପୁର ମଣ୍ଡଳର ୪ଟି ଷ୍ଟେସନ ଯଥା ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଓ କେସିଙ୍ଗା ଷ୍ଟେସନକୁ ଏହି ପ୍ରମାଣପତ୍ର ପ୍ରାପ୍ତ ହୋଇଛି। ୱାଲ୍ଟିୟର ମଣ୍ଡଳର ବିଶାଖାପାଟଣା, ବିଜୟନଗରମ୍‌, ଶ୍ରୀକାକୁଲମ୍‌, ଜଗଦଲପୁର, ଆରାକୁ, ସିଂହାଚଳମ୍ ଓ ରାୟଗଡ଼ା ଷ୍ଟେସନ ଏହି ପ୍ରମାଣପତ୍ର ପାଇଛନ୍ତି। ଏହାବ୍ୟତୀତ ମଞ୍ଚେଶ୍ୱରସ୍ଥିତ ରେଳ ଡବା ମରାମତି କାରଖାନା, ଅନୁଗୁଳ ଓ ବିଶାଖାପାଟଣାସ୍ଥିତ ଇଲେକ୍ଟ୍ରିକ୍ ଲୋକୋ ସେଡ୍‌, ବିଶାଖାପାଟଣାସ୍ଥିତ ଡିଜେଲ୍ ଲୋକୋ ସେଡ୍‌ ଭଳି ଉତ୍ପାଦନ ୟୁନିଟ୍‌ଗୁଡ଼ିକ ମଧ୍ୟ ପୂର୍ବରୁ ଏହି ପ୍ରମାଣପତ୍ର ହାସଲ କରିଥିଲେ।

ନ୍ୟାସ୍‌ନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍‌ର ନିର୍ଦ୍ଦେଶାନୁଯାୟୀ ପୂର୍ବତଟ ରେଳପଥ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ନୂଆଦିଲ୍ଲୀର କନ୍‌ସଲ୍‌ଟାନ୍ସି ଫାର୍ମକୁ ବିଭିନ୍ନ ଷ୍ଟେସନରେ ଥିବା ବ୍ୟବସ୍ଥାର ଅଡିଟ୍ କରିବା ପାଇଁ ଠିକା ପ୍ରଦାନ କରିଥିଲେ। ଏହି ଏଜେନ୍ସି ଷ୍ଟେସନଗୁଡିକରେ ଯାନ୍ତ୍ରିକ ସଫେଇ, ଆଣ୍ଟି ଟ୍ରିଟମେଣ୍ଟ, ଉନ୍ନତ ସଫେଇ, ରସାୟନିକ, ସ୍ୱଚ୍ଛ ଓ ପରିଷ୍କାର ପରିବେଶ ବ୍ୟବସ୍ଥା ସମ୍ବନ୍ଧୀୟ ଅଡିଟ୍‌ କରିଥିଲେ। ପୂର୍ବତଟ ରେଳପଥ ଅଧୀନ ଆହୁରି କିଛି ଷ୍ଟେସନ ମଧ୍ୟ ଆଇଏସ୍‌ଓ ପ୍ରମାଣପତ୍ର ପାଇବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର