କଟକ : ରାଜ୍ୟରେ ପ୍ରଥମ ମହିଳା ଉତ୍ପାଦକ ଗୋଷ୍ଠୀଭାବେ କଟକ ଜିଲ୍ଲାର ବାହାଦୁଲାପାଟଣା ଗ୍ରାମର କବୀର ଉତ୍ପାଦକ ଗୋଷ୍ଠୀଙ୍କୁ ମିଳିଛି ଆଇଏସଓ ୯୦୦୧..୨୦୧୫ ଓ ଡବ୍ଲୁଏଚ୍-ଜିଏମ୍ପି ମାନ୍ୟତା। ସେମାନଙ୍କ ପ୍ରସ୍ତୁତ ହର୍ବାଲ ପ୍ରଡକ୍ଟସକୁ ଏହି ମାନ୍ୟତା ମିଳିଛି। ନିଜର ବିଭିନ୍ନ ପ୍ରକାର ହର୍ବାଲ ପ୍ରଡକ୍ଟସକୁ ନେଇ ଏହି ମହିଳାମାନେ ଏବେ ବାର୍ଷିକ ୨୫ ଲକ୍ଷ ଟଙ୍କାର କାରବାର କରୁଥିବାବେଳେ ଅନ୍ଲାଇନ୍ରେ ବଜାର ବ୍ୟବସ୍ଥାରେ ମଧ୍ୟ ପାଦ ଥାପିଛନ୍ତି। ଏବେ ଆଇଏସ୍ଓ ମାନ୍ୟତା ପାଇବା ପରେ ନିଜର ପ୍ରଡକ୍ଟସକୁ ନେଇ କଟକରେ ଏକ ଆଉଟ୍ଲେଟ୍ ଖୋଲିବା ପାଇଁ ଉକ୍ତ ମହିଳା ଗୋଷ୍ଠୀ ଯୋଜନା କରିଥିବା ଜଣାପଡିଛି।
କଟକ ଜିଲ୍ଲାର ସାଲେପୁର ବ୍ଲକ୍ ଅନ୍ତର୍ଗତ ବହୁଗ୍ରାମ ପଞ୍ଚାୟତର ବାହାଦୁଲପାଟଣା ଗାଁରେ ୩୧ଜଣ ମହିଳାଙ୍କୁ ନେଇ କାମ କରୁଛି କବୀର ଉତ୍ପାଦକ ଗୋଷ୍ଠୀ। ୨୦୦୮ରେ ମହିଳାମାନେ ଏକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ବିକ୍ରି ଆରମ୍ଭ କରିଥିଲେ। ପରେ ପରେ ୬ଟି ଏସ୍ଏଚ୍ଜିକୁ ନେଇ ୨୦୧୮ରୁ କବୀର ପଡ୍ୟୁସର ଗ୍ରୃପ୍ ବା ଉତ୍ପାଦକ ଗୋଷ୍ଠୀଭାବେ ଗଠିତ ହୋଇଛି। ଯାହାର ସଭାପତିଭାବେ ସୁଲତାନ ପରବୀନ୍, ସଂପାଦିକା ଲୁବ୍ନା ଜାଫ୍ରିନ୍ ଓ ଉଦ୍ୟୋଗୀ ମିତ୍ର ଅବ୍ଦୁଲ ରହିବ ହୁସେନ୍ ରହିଛନ୍ତି। ଉକ୍ତ ଉତ୍ପାଦକ ଗୋଷ୍ଠୀ ହର୍ବାଲ ବା ଆୟୁର୍ବେଦିକ ଔଷଧୀୟ ତୈଳ ଓ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ତାଙ୍କ ହାତତିଆରି ସାମଗ୍ରୀଗୁଡିକ ହେଲଶ ମରା ନଡିଆ ତେଲ, ରାମବାଣ ଜଏଣ୍ଟ ପେନ୍ ତୈଳ, ନିମ୍ବ, କରଞ୍ଜ ତୈଳ, ଭାତୁଡି ପାଇଁ ମଲମ, ଅର୍ଶ ଓ ଭଗନ୍ଦର ପାଇଁ ମଲମ୍, ରାମବାଣ ଗ୍ୟାସ୍ ଚୁର୍ଣ୍ଣ, ଜୈବିକ ପ୍ରଣାଳୀରେ ଚାଷ ହେଉଥିବା ସୋରିଷରୁ ପ୍ରସ୍ତୁତ ଘଣା ବା ଅର୍ଗାନିକ୍ ଘଣା ସୋରିଷ ତେଲ, କେଶ ବର୍ଦ୍ଧକ ତୈଳ ଭଳି ୧୫ରୁ ଅଧିକ ପ୍ରକାରର ହର୍ବାଲ ସାମଗ୍ରୀ। ଓର୍ମାସ ସହିତ ଅନୁବନ୍ଧିତ ହୋଇ ଏହି ଏସଏଚ୍ଜି ରାଜ୍ୟର ୫୦ରୁ ଅଧିକ ମେଳାରେ ନିଜର ସାମଗ୍ରୀ ବିକ୍ରି କରୁଥିବାବେଳେ ବାର୍ଷିକ ୨୫ଲକ୍ଷ ଟଙ୍କାର କାରବାର କରୁଛନ୍ତି। ସେମାନେ ‘ମିଜୋ ଡଟ୍ କମ୍’ ଓ ଡାକ ଯୋଗେ ମଧ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ଆଗକୁ କଟକର ମହାନଦୀବିହାର ନଚେତ୍ ନୂଆବଜାରରେ ଆଉଟ୍ଲେଟ୍ ଖୋଲିବା ପାଇଁ ସେମାନେ ଯୋଜନା ରଖିଛନ୍ତି। ଅନ୍ୟପଟେ ସାଲେପୁର, ନିଶ୍ଚିନ୍ତକୋଇଲିରେ ଜୈବିକ ପଦ୍ଧତିରେ ସୋରିଷ ଚାଷ ପାଇଁ ଚାଷୀଙ୍କ ସହିତ ସହବନ୍ଧିତ ହୋଇଛନ୍ତି। ଚାଷୀଙ୍କଠାରୁ ବଜାର ମୂଲ୍ୟରେ ଅର୍ଗାନିକ ସୋରିଷ କିଣିବା ପାଇଁ ଯୋଜନା ରଖିଛନ୍ତି। ତେବେ ଏହି ମହିଳା ଉତ୍ପାଦକ ଗୋଷ୍ଠୀ ସଂପର୍କରେ କଟକ ଜିଲ୍ଲା ଓରମାସ୍ର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ବିପିନ୍ ରାଉତ୍ କହିଛନ୍ତି ଯେ ଏଭଳି ହର୍ବାଲ ସାମଗ୍ରୀ ବିକ୍ରି କରି ଆଇଏସ୍ଓ ମାନ୍ୟତା ପାଇବାରେ ରାଜ୍ୟରେ କବୀର ଉତ୍ପାଦ ଗୋଷ୍ଠୀ ପ୍ରଥମ।
ସାଟିଫାଏଡ୍ ପ୍ରଡକ୍ଟର ଚାହିଦା ଗ୍ରାହକଙ୍କ ପାଖରେ ଅଧିକ ଥାଏ। କାରଣ ଏହା ଗୁଣବତ୍ତାର ପରିଚୟ ଦେଇଥାଏ। ଯେହେତୁ କବୀର ଉତ୍ପାଦକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଅନ୍ଲାଇନ୍ ବଜାର ବ୍ୟବସ୍ଥାରେ ପହଞ୍ଚି ସାରିଲାଣି, ଏହାକୁ ଦୃଷ୍ଟିରେ ରଖି ଆଗକୁ ଜିଲ୍ଲାର ଅନ୍ୟ ଉତ୍ପାଦକ ଗୋଷ୍ଠୀ କିପରି ଅନ୍ଲାଇନ୍ ବଜାର ବ୍ୟବସ୍ଥାରେ ସାମିଲ ହୋଇପାରିବେ ସେଥିପାଇଁ ଯୋଜନା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/shg.jpg)