ଇସ୍ପାତ ରାଜଧାନୀ ସାଜିଛି ସଞ୍ଜୀବନୀ: ଅକ୍ସିଜେନ୍ ଯୋଗାଣ କେନ୍ଦ୍ର ପାଲଟିଲା, ଟାଟା ଓ ଜିନ୍ଦଲରୁ ୪ଶହ ଟନ୍ ଅକ୍ସିଜେନ୍ ଯୋଗାଣ

ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟ ଚାଲୁ ନେଇ ଅନିଶ୍ଚିତତା

ଯାଜପୁର/ଦାନଗଦୀ : କରୋନା ବ୍ୟାପକ ରୂପ ଧାରଣ କରିଥିବା ବେଳେ ଅକ୍ସିଜେନର ଘୋର ଅଭାବ ଦେଶବାସୀଙ୍କର ଚିନ୍ତାର କାରଣ ହୋଇଛି। ଏହି ସଙ୍କଟ ସମୟରେ ଏସିଆ ମହାଦେଶର ଇସ୍ପାତ ରାଜଧାନୀ ଯାଜପୁର ଜିଲ୍ଲାର କଳିଙ୍ଗନଗରସ୍ଥିତ ଇସ୍ପାତ କାରଖାନାଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପ୍ରଦୂଷଣ ସୃଷ୍ଟି କରୁଥିବାର ଅଭିଯୋଗକୁ ପଛରେ ପକାଇ ଶିଳ୍ପସଂସ୍ଥଗୁଡ଼ିକ ଜୀବନ ରକ୍ଷାକାରୀ ଅକ୍ସିଜେନ ଯୋଗାଇ ଜୀବନ ସଞ୍ଜୀବନୀ ସାଜିଛନ୍ତି। ସରକାର ଇସ୍ପାତ କାରଖାନାରେ ଉତ୍ପାଦିତ ଅକ୍ସିଜେନକୁ ମେଡିକାଲ ଉପଯୋଗୀ କରିବାକୁ ନିର୍ଦେଶ ଦେବା ପରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଟାଟା ଇସ୍ପାତ, ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ୍ କାରଖାନା ଅକ୍ସିଜେନ ଯୋଗାଣ ଆରମ୍ଭ କରିଦେଇଛନ୍ତି। ବନ୍ଦ ହୋଇପଡ଼ିଥିବା ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାର ଅକ୍ସିଜେନ ଉତ୍ପାଦନ ୟୁନିଟ୍‌କୁ କାର୍ଯ୍ୟକ୍ଷମ କରିବାକୁ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଏନେଇ ଅନିଶ୍ଚିତତା ରହିଛି।

ପ୍ରକାଶ ଥାଉକି ଜିନ୍ଦଲ କାରଖାନରୁ ଗତ ୨୦ ତାରିଖରୁ ଆଜି ମଧ୍ୟରେ ୧୪ଟି ଟ୍ୟାଙ୍କରରେ ଅନ୍ୟ ରାଜ୍ୟ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରାୟ ୩ଶହ ଟନ ତରଳ ଅକ୍ସିଜେନ୍ ଯୋଗାଣ କରିଛି। ଆବଶ୍ୟକ ହେଲେ ଦିନକୁ ୪୦ ଟନ୍ ତରଳ ଅକ୍ସିଜେନ୍ ଜିନ୍ଦଲ କାରଖାନା ଉତ୍ପାଦନ କରି ଯୋଗାଇପାରିବ ବୋଲି ବାହ୍ୟ ସମ୍ପର୍କ ମୁଖ୍ୟ ନୀଳମାଧବ ରଥ ପ୍ରକାଶ କରିଛନ୍ତି। ଗତକାଲି ମଧ୍ୟ ଟାଟା ଷ୍ଟିଲ କାରଖାନାରୁ ୫ଟି ଗାଡ଼ି ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କରିଛି। ଏଥି ପୂର୍ବରୁ ଜିନ୍ଦଲ ଅକ୍ସିଜେନ ଯୋଗାଣ ଆରମ୍ଭ କରିଦେଇଛି। ଆଜି ମଧ୍ୟ ଜିନ୍ଦଲ କାରଖାନାରୁ ଅକ୍ସିଜେନ ପରିବହନ ଚାଲିଛି। ନୀଳାଚଳ କାରଖାନା ଗତ ବର୍ଷ ୨୦୨୦ ମାର୍ଚ୍ଚ ୩୦ତାରିଖ ରୁ ବନ୍ଦ ହୋଇଥିବା ବେଳେ ଅକ୍ସିଜେନ୍ ଉତ୍ପାଦିତ ୟୁନିଟ୍‌କୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହେଇଛି। ଆଜି ନୀଳାଚଳ କର୍ତ୍ତୃପକ୍ଷ ଅକ୍ସିଜେନ ୟୁନିଟ୍ ଚଳାଇବା ପାଇଁ କର୍ମଚାରୀଙ୍କ ତାଲିକା ପ୍ରକାଶ କରିଛନ୍ତି।

ସୂଚନା ଥାଉକି ନୀଳାଚଳର ଅକ୍ସିଜେନ ପ୍ଲାଣ୍ଟ୍‌ରେ ଦିନକୁ ୪୧୮ଟନ୍ ଅକ୍ସିଜେନ ଉତ୍ପାଦନ କ୍ଷମତା ଥିବାବେଳେ ଏଥି ପାଇଁ ୩ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ କରୋନା ସମୟରେ ଅକ୍ସିଜେନର ଅଭାବ ପୂରଣ ପାଇଁ କାରଖାନାର ଏହି ୟୁନିଟ୍‌କୁ ଚଳାଇବା ପ୍ରକ୍ରିୟା ଜାରି ରହିଛି। କାରଖାନାର ନିଜର ପାୱାର ପ୍ଲାଣ୍ଟ ବନ୍ଦ ରହିଥିବାରୁ ବିଦ୍ୟୁତ୍‌ ପାଇଁ ଗ୍ରିଡ଼୍‌ ଉପରେ ନିର୍ଭର କରି ଅକ୍ସିଜେନ୍ ଉତ୍ପାଦନ କରିବା ଅସମ୍ଭବ ବୋଲି କେତେକ ବିଶେଷଜ୍ଞ ମତ ଦେ‌ଇଛନ୍ତି। କର୍ତ୍ତୃପକ୍ଷ ବନ୍ଦ କାରଖାନାରୁ କିପରି ଅକ୍ସିଜେନ୍ ଉତ୍ପାଦନ କରୁଛନ୍ତି? ତା’ ଉପରେ ସମସ୍ତଙ୍କର ନଜର। ଯଦି ବିଦ୍ୟୁତ୍‌ ସରବରାହ ଦିନରାତି ୨୪ଘଣ୍ଟା ଯୋଗାଣ ହୁଏ ତେବେ ଏହି ୟୁନିଟ୍ କାର୍ଯ୍ୟକ୍ଷମ ହେବାର ସର୍ବନିମ୍ନ ୨୦ ଦିନ ପରେ ଅକ୍ସିଜେନ ଯୋଗାଣ ହୋଇପାରିବ ବୋଲି ଜ‌ନୈକ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର