ଝାରସୁଗୁଡ଼ା: ନିକଟରେ ପୁରୀ ବଡ଼ ଦାଣ୍ଡରେ ଭିକାରୀଙ୍କ ମଧ୍ୟରେ ଜଣେ ଇଂଜିନିୟର ଭିକ୍ଷାବୃତ୍ତି କରୁଥିବା ଘଟଣା ନଜରକୁ ଆସିଥିଲା। ପୁରୀରେ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଥିବା ଭିକାରୀ ମାନେ କୋଠା ଘରେ ରହି ସାଧାରଣ ଜୀବନଯାପନ କରୁଥିବା ମଧ୍ୟ ଅନ୍ୟ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଭିକ୍ଷାବୃତ୍ତି କରୁଥିବା କିଛି ଭିକାରୀ ସୁଧରେ ଟଙ୍କା ଲଗାଉଥିବା ଭଳି ଘଟଣା ମଧ୍ୟ ନଜରକୁ ଆସିଛି। ଭିକ୍ଷାଭଳି ଏକ ବୃତ୍ତି ସାଧାରଣ ସୁସ୍ଥ ସମାଜ ପାଇଁ ଅଶୋଭନୀୟ ଘଟଣା ବୋଲି  ବିଚାର କରାଯାଇ ଆସୁଛି। ମାତ୍ର ଏବେ ଭିକ୍ଷାବୃତ୍ତି କରୁଥିବା ଭିକାରୀ ମାନଙ୍କ ସଂଖ୍ୟା ମାତ୍ରାଧିକ ଭାବରେ ବଢ଼ି ଯାଇଥିବା ଦେଖାଯାଇଛି। ସହର,ବଜାର, ମନ୍ଦିର, ହୋଟେଲ ସମ୍ମୁଖରେ ଦଳ ଦଳ ଭିକାରୀ ବସି ଭିକ୍ଷା ମାଗୁଥିବା ଦୃଶ୍ୟ ଏକ ସାଧାରଣ ଘଟଣା। ପୂର୍ବରୁ ଚଳନ୍ତା ପ୍ୟାସେଞ୍ଜର ଟ୍ରେନ୍‌ର ବଗି ଭିତରେ କାଁଭାଁ କିଛି ଭିକାରୀ ଭିକ୍ଷାବୃତ୍ତି କରୁଥିଲେ। ମାତ୍ର ଏବେ କିଛି ଟ୍ରେନ୍‌ରେ  ଭିକାରୀଙ୍କ ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ, ଟିକେଟ କାଟି ଯାତ୍ରା କରୁଥିବା ସାଧାରଣ ଯାତ୍ରୀ ମାନେ ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଜଣାଯାଇଛି। ଟିଟିଲାଗଡ଼- ହାୱାଡ଼ା ମଧ୍ୟରେ ଚଳାଚଳ କରୁଥିବା ଇସ୍ପାତ ଟ୍ରେନ୍‌ରେ ଏବେ ସଂଖ୍ୟାଧିକ ଭିକାରୀ ଚଳନ୍ତା ବଗି ମଧ୍ୟରେ ବୁଲିବୁଲି ଭିକ୍ଷା ମାଗୁଥିବା ଘଟଣା ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଘୋର ଉଦ୍‌ବେଗ ପ୍ରକାଶ ପାଇଛି। କିଛି ମାସ ତଳେ ଟ୍ରେନ୍‌ରେ ବିକ୍ରି କରୁଥିବା ବିକାଳି ଓ ଯାତ୍ରୀଙ୍କ ଠାରୁ ଟଙ୍କା ମାଗୁଥିବା କିନ୍ନର ମାନଙ୍କୁ ନିଷିଦ୍ଧ କରାଯାଇଥିଲା। ଏହାକୁ କିଛି ଦିନ କଡ଼ା କଡ଼ି ଭାବରେ ପାଳନ ମଧ୍ୟ କରାଯାଇଥିଲା। ମାତ୍ର ଏବେ ବାହାର ବିକାଳି, କିନ୍ନର ଓ ଭିକାରୀ ଏ‌ତେ ସଂଖ୍ୟାରେ ଟ୍ରେନ୍‌ ଭିତରକୁ ବେଆଇନ ପ୍ରବେଶ କରୁଛନ୍ତି ଯେ, ସାଧାରଣ ଯାତ୍ରୀ ଟ୍ରେନ୍‌ ଭିତ‌ରକୁ ପ୍ରବେଶ କରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ଭିକାରୀ, କୁଷ୍ଠରୋଗୀ, ମାନସିକ ବିକାରଗ୍ରସ୍ତ, ଭିନ୍ନକ୍ଷମ ଭିକାରୀ ଅତି ଅପରିସ୍କାର ଭାବରେ ‌ଚଳନ୍ତା ଟ୍ରେନ୍‌ ଭିତରେ ବିଚରଣ କରୁଥିବା ବେଳେ ପ୍ରତି ଯାତ୍ରୀଙ୍କୁ ଭିକ୍ଷା ମାଗି ହଇରାଣ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିକାଳି ମାନେ ବାରମ୍ବାର ବଗି ଭିତରେ ଯାତାୟତ କରି ତାଙ୍କ ଜିନିଷ ବିକ୍ରୟ କରିବାକୁ ଉଚ୍ଚ ସ୍ବରରେ ପାଟି କରୁଥିବାରୁ ଏହା ଟ୍ରେନ୍‌ ମଧ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି କରୁଥିବା ଅନେକ ଯାତ୍ରୀ ଅଭିଯୋଗ କରିଛନ୍ତି।  ଏହି ଟ୍ରେନ୍‌ରେ ଭିକ୍ଷାବୃତ୍ତି ପାଇଁ ଏତେ ସଂଖ୍ୟାରେ ଭିକାରୀ କିଭଳି ବିନା ଟିକେଟରେ ପ୍ରବେଶ କରୁଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Advertisment

publive-image

ଏହି ଭିକାରୀ ମାନଙ୍କୁ ଟିଟିଇ ମାନେ ବାରଣ କରୁନାହାନ୍ତି କେମିତି ? ଟ୍ରେନ୍‌ରେ କାର୍ମରତ ଆର୍‌ପିଏଫ୍‌ କର୍ମଚାରୀ ମାନଙ୍କ ଦୃଷ୍ଟିରେ ଏହା ପଡ଼ୁଥିଲେ ମଧ୍ୟ ସେମାନେ ନିରବ ରହୁଛନ୍ତି କେମିତି ? ଏପରି ଅନେକ ପ୍ରଶ୍ନ ଯାତ୍ରୀଙ୍କ ମନରେ ଉଠିବାରେ ଲାଗିଛି। ନିୟମିତ ହାୱାଡ଼ା ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ସୁଦିପ୍ତ ଚାଟାର୍ଜି କୁହନ୍ତି ଯେ, ଟିଟିଲାଗଡ଼ ଠାରୁ ଝାରସୁଗୁଡ଼ା ଓ ରାଉରକେଲା ପର୍ଯ୍ୟନ୍ତ ଏହି ଭିକାରୀଙ୍କ ଭିଡ଼ ଜମେ। ଏହାପରେ ଆଗକୁ ଆଉ ବେଶୀ ଭିକାରୀ ଦେଖା ଯାଆନ୍ତି ନାହିଁ। ତେଣୁ ଓଡ଼ିଶା ସୀମାରେ ଭିକାରୀ ସଂଖ୍ୟା ବଢ଼ିଥିବା ସ୍ପଷ୍ଟ ହୋଇଛି। ଓଡ଼ିଶା  ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଭିକାରୀ ଥଇଥାନ ଯୋଜନା ମଧୢ ଆରମ୍ଭ କରିଥିଲେ । ଏହି ଯୋଜନାରେ ସରକାର ବିଭିନ୍ନ ଜିଲ୍ଲାରେ ଭିକାରୀ ମାନଙ୍କ ସର୍ଭେ କରାଯାଇ ତାଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ କରି ତାଙ୍କୁ ସ୍ବାବଲମ୍ବି କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାର ଯୋଜନା କରାଯାଇଥିଲା। ଏଥିପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ  ଗତ ୨୦୧୫ ମସିହାରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କ ସର୍ଭେ କରିବା ଓ ସେମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନେକ ଜିଲ୍ଲାରେ ଏହି ସର୍ଭେ କାର୍ଯ୍ୟ କରାଯାଇ କିଛି ଭିକାରୀଙ୍କୁ ଆର୍ଥିକ ସହାୟତା ମଧ୍ୟ କରାଯାଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ମଧ୍ୟ ଭିକାରୀ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳରୁ ଭିକ୍ଷାବୃତ୍ତି ପାଇଁ ଲୋକ ସହରମୁହାଁ ହୋଇଥିବା ବେଳେ ଟ୍ରେନ୍‌ରେ ଭିକ୍ଷାବୃତ୍ତି କରୁଥିବା ୭୦ ପ୍ରତିଶତ ଭିକାରୀ ବିହାରୀ ଓ ବାଲାଂଦେଶୀ ହୋଇଥିବା କୁହାଯାଉଛି। ରାଜ୍ୟ ସରକାର ଭଳି କେନ୍ଦ୍ର ସରକାର ରେଳ ବିଭାଗ ଜରିଆରେ ଟ୍ରେନ୍‌ରେ କେତେ ଭିକାରୀ ଦୈନିକ ଯାତାୟତ କରି ଭିକ୍ଷାବୃତ୍ତି କରୁଛନ୍ତି ତାର ଏକ ସର୍ଭେ କରି ଯୋଜନା ପ୍ରଣୟନ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।