ଇସ୍ରୋ ଓ ଭିସୁଟ୍ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର

ବୁର୍ଲାରେ ହେବ ମହାକାଶ ଗବେଷଣା କେନ୍ଦ୍ର, ଓଡ଼ିଶାରେ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ

ସମ୍ବଲପୁର: ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) କ୍ୟାମ୍ପ୍‌ସରେ ତିଆରି ହେବ ଦେଶର ପ୍ରଥମ ଅତ୍ୟାଧୁନିକ ସ୍ପେସ୍ ଇନୋଭେସନ ଓ ଇନକ୍ୟୁବେସନ ସେଣ୍ଟର। ଏ ନେଇ ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଭିସୁଟ୍ ମଧ୍ୟରେ ଭିଡିଓ କନଫରେନ୍ସିଂରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଇସ୍ରୋ ଅଧ୍ୟକ୍ଷ କେ. ଶିବନ, ଇସ୍ରୋ ନିର୍ଦ୍ଦେଶକ ଡ. ପିଭି ଭେଙ୍କିଟାକ୍ରିଷ୍ଣନ୍, ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଭିସୁଟ୍‌ କୁଳପତି ପ୍ରଫେସର୍‌ ଅଟଳ ଚୌଧୁରୀ ଓ ଉଭୟ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ବୁଝାମଣା ପତ୍ରରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଓ ଭିସୁଟର କୁଳପତି ପ୍ରଫେସର ଚୌଧୁରୀ ସ୍ବାକ୍ଷର କରିଛନ୍ତି। ଇସ୍ରୋ ସହ ଏହି ଗବେଷଣା ଭିତ୍ତିକ ଚୁକ୍ତି ସ୍ବାକ୍ଷର କରିବାର ଭିସୁଟ୍‌ ଦେଶର ପ୍ରଥମ ବିଶ୍ବବିଦ୍ୟାଳୟ ହେବାର ବିରଳ ଗୌରବ ହାସଲ କରିଛି।

ବିଶ୍ବବିଦ୍ୟାଳୟ ପରିସରରେ ଏଭଳି କେନ୍ଦ୍ର ଦେଶରେ ପ୍ରଥମ

ବୀର ସୁରେନ୍ଦ୍ର ସାଏ ସ୍ପେସ୍ ଇନୋଭେସନ୍ ସେଣ୍ଟର (ଭିଏସ୍‌ଏସ୍‌ଏସ୍‌ଆଇସି), ବୁର୍ଲା ନାମରେ ନାମିତ ହେବାକୁ ଥିବା ଏହି କେନ୍ଦ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ଇସ୍ରୋ ପକ୍ଷରୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ ଓ ଭିସୁଟ୍ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବ। ସୂଚନାଯୋଗ୍ୟ, ୨୦୧୮ ମସିହା ମାର୍ଚ୍ଚ ୩୦ ତାରିଖରେ ଭିସୁଟ୍ ଇନୋଭେସନ୍ କ୍ଲବ ପକ୍ଷରୁ ଭିଏସ୍‌ଏଲ୍‌ଭି ୩.୦ ଲଞ୍ଚ କରା ଯାଇଥିଲା। ଏହି ରକେଟ୍ ୪ କିମି ଉଚ୍ଚତା ଯାଏ ପ଼ହଞ୍ଚିଥିଲା, ଯାହା କୌଣସି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ ରକେଟ୍‌ ଦ୍ବାରା ହାସଲ କରା ଯାଇଥିବା ସର୍ବାଧିକ ଉଚ୍ଚତା ଥିଲା। ଏଥିପାଇଁ ଭିସୁଟ୍ ଇନୋଭେସନ୍ କ୍ଲବ ଲିମ୍‌କା ବୁକ୍ ଅଫ୍ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା। ଏହାପରେ ଭିସୁଟ୍‌ରେ ଦେଶର ପ୍ରଥମ ଇନୋଭେସନ୍ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଇସ୍ରୋ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ଯାଇଥିଲା।

ଚୁକ୍ତି ସ୍ବାକ୍ଷର ପରେ ଭିସୁଟର କୁଳପତି ପ୍ର. ଚୌଧୁରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଭିଏସ୍‌ଏସ୍‌ଏସ୍‌ଆଇସି ଆମ ବିଶ୍ବବିଦ୍ୟାଳୟ ସମେତ ପୂରା ଓଡ଼ିଶା ପାଇଁ ଗର୍ବର ବିଷୟ। ଏହା ସହିତ ଦେଶର ପ୍ରଥମ କେନ୍ଦ୍ର ହୋଇଥିବାରୁ ଆମ ଉପରେ ମଧ୍ୟ ଅନେକ ଗୁରୁ ଦାୟିତ୍ବ ମଧ୍ୟ ରହୁଛି। ଏହି କେନ୍ଦ୍ର ନିର୍ମାଣ ହେବା ପରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜ୍ୟୋତିର୍ବିଜ୍ଞାନରେ ଅଧ୍ୟୟନ ଓ ଗବେଷଣା ପାଇଁ ଉତ୍ତମ ପରିସର ଓ ସୁଯୋଗ ପାଇପାରିବେ। ଆଜିର ଦିନ ବିଶ୍ବବିଦ୍ୟାଳୟ ଇତିହାସରେ ଏକ ସ୍ମରଣୀୟ ଦିବସ ହୋଇ ରହିବ ବୋଲି ପ୍ର. ଚୌଧୁରୀ କହିଛନ୍ତି। ସେହିପରି ଭିସୁଟ୍‌ ଛାତ୍ର ଶୋଭିତ୍ ଆଚାର୍ଯ୍ୟ କହିଛନ୍ତି ଏହି କେନ୍ଦ୍ର ନିର୍ମାଣ ହେବା ପରେ ଇସ୍ରୋଠାରୁ ଆମେ ପେସାଦାର ପ୍ରଶିକ୍ଷଣ ପାଇବୁ। ଯାହା ପୂର୍ବରୁ ମିଳୁ ନଥିଲା। ଏହା ମହାକାଶ ଗବେଷଣା କ୍ଷେତ୍ରରେ ଆଗକୁ ବଢ଼ିବାକୁ ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବ।

ସମ୍ବନ୍ଧିତ ଖବର