ଓସ୍‌ଡମା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ଇସ୍ରୋ ଆଗ୍ରହୀ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ସଫଳ ବିପର୍ଯ୍ୟୟ ମୁକାବିଲାରେ ସନ୍ତୋଷ ପ୍ରକଟ କରିବା ସହିତ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା) ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଇସ୍ରୋ ହେଉଛି ଭାରତ ସରକାରଙ୍କ ମହାକାଶ ମନ୍ତ୍ରାଳୟର ଏକ ବୈଷୟିକ ସଂସ୍ଥା, ଯିଏ କି ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ପାଇଁ ଆଗ୍ରହ େଦଖାଇଛି।

ଇସ୍ରୋର ନିର୍ଦ୍ଦେଶକ ପି.ଜି. ଦିବାକର ରାଜ୍ୟ ସରକାରଙ୍କୁ ଏହି ମର୍ମରେ ପତ୍ର ଲେଖି ‘ଫନି’ ମୁକାବିଲା ସହିତ ଲକ୍ଷାଧିକ ଲୋକଙ୍କ ଜୀବନରକ୍ଷା କରିପାରିଥିବାରୁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ‘ଫନି’ ମୁକାବିଲାର ନେତୃତ୍ବ ନେଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀଙ୍କୁ ଇସ୍ରୋ ଧନ୍ୟବାଦ ଦେଇଛି। ଇସ୍ରୋ ପ୍ରସ୍ତୁତ କରିଥିବା ‘ଓଡ଼ିଶା ଫ୍ଲଡ୍‌ ହାଜାର୍ଡ ଆଟ୍‌ଲାସ୍’ ପାଇଁ ଶ୍ରୀ ସେଠୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିବାରୁ ଇସ୍ରୋ ଖୁସି ଜାହିର କରିଛି।

ଠିକଣା ସମୟରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହାୟତା କରିବାକୁ ଓସ୍‌ଡମା ସହ ମିଶି କାର୍ଯ୍ୟ କରିବା ଲାଗି ଇସ୍ରୋ ଆଗ୍ରହୀ। ଏହି ଜାତୀୟ ପ୍ରତିଷ୍ଠାନରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଥିବାରୁ ଇସ୍ରୋର ଏଭଳି ପ୍ରସ୍ତାବରେ ଓଡ଼ିଶା ଲାଭବାନ ହେବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ମତ ରଖିଛନ୍ତି। ଇସ୍ରୋ ପ୍ରସ୍ତାବ ଦେଇଛି, ଓଡ଼ିଶାର ବିସ୍ତୃତ ବେଳାଭୂମି ରହିଥିବାରୁ ଏଠାରେ ରହୁଥିବା ମତ୍ସ୍ୟଜୀବୀମାନେ ସେମାନଙ୍କର ଆବଶ୍ୟକତା ଲାଗି ନାଭ୍‌ଆଇସି (ନାଭିଗେସନ୍‌ ୱିଥ୍ ଇଣ୍ଡିଆନ୍‌ କନଷ୍ଟେଲେସନ୍‌) ବ୍ୟବହାର କରିବା ଦରକାର। ନାଭ୍‌ଆଇସି ହେଉଛି ଆମେରିକାର ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ (ଜିିପିଏସ୍‌)ର ଭାରତୀୟ ସଂସ୍କରଣ।

ନାଭ୍‌ଆଇସି ଦ୍ବାରା ମତ୍ସ୍ୟଜୀବୀଙ୍କ ସୁରକ୍ଷା ସହିତ ମାଛ ଧରିବାରେ ମଧ୍ୟ ଏହା ସହାୟକ ହୋଇପାରିବ। ଏହି ଡିଭାଇସ୍‌ଟି ମୋବାଇଲ୍ ମାଧ୍ୟମରେ ଉପଲବ୍ଧ ହେବା ସହିତ ଆଞ୍ଚଳିକ ଭାଷାରେ ମଧ୍ୟ ବ୍ୟବହାର କରାଯାଇପାରିବ। ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ କେରଳରେ ଏହା ବେଶ୍ ଲୋକପ୍ରିୟ ହୋଇପାରିଛି। ସାବୁନ୍‌ ଖୋଳ ଆକୃତିର ଏହି ଉପକରଣଟି ମୁଖ୍ୟତଃ ଶବ୍ଦ ଗ୍ରହଣ କରିଥାଏ। ସତର୍କ ସୂଚନା ଆସିବା ମାତ୍ରେ ଏହା ଶବ୍ଦ ସୃଷ୍ଟି କରିଥାଏ। ସମୁଦ୍ର ଭିତରେ ପାଣିପାଗ ଓ ବାତ୍ୟା ସଂକ୍ରାନ୍ତରେ ଏହି ଯନ୍ତ୍ରଟି ଆଗୁଆ ସୂଚନା ପ୍ରଦାନ କରିଥାଏ। ଏଥିସହିତ ଡିଭାଇସ୍‌ଟି୧୫୦୦ କିମି ମଧ୍ୟରେ ସ୍ଥାନ ଓ ସମୟରେ ସଠିକ୍ ସୂଚନା ଦେଇଥାଏ। ତେଣୁ ରାଜ୍ୟ ସରକାର ଏହା ମାଧ୍ୟମରେ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀମାନଙ୍କୁ ବିପର୍ଯ୍ୟୟ ସୂଚନା ଦେବା ସହ ସେମାନଙ୍କ ଜୀବନ ବଞ୍ଚାଇପାରିବେ।

ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ରକ୍ଷା କରି ଓଡ଼ିଶା ସରକାର ଏବେ ଜାତୀୟ ଓ ଆନ୍ତର୍ଜାତିକ ସ୍ଥରରେ ପ୍ରଶଂସିତ ହୋଇଛନ୍ତି। ଇସ୍ରୋ ଏହି ବ୍ୟବସ୍ଥାର ଏକ ଅଂଶ ହେବା ସହିତ ଏ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶକ ଡ. ଦିବାକର କହିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ବିଶାଳ ଗଗନଙ୍କୁ ଇସ୍ରୋର ପ୍ରସ୍ତାବ ଉପରେ ପଦକ୍ଷେପ ନେବାକୁ କହିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ଇସ୍ରୋ ପ୍ରସ୍ତାବ ଉପରେ କାର୍ଯ୍ୟ ଆରମ୍ଭ କରିବେ ଓ ଏହା ରାଜ୍ୟ ପାଇଁ ଲାଭଜନକ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର