ଇସ୍ରୋ ଓ ଭିସୁଟ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର: ବୁର୍ଲାରେ ହେବ ମହାକାଶ ଗବେଷଣା କେନ୍ଦ୍ର

ଇସ୍ରୋ ଦେବ ଅର୍ଥ ଓ ବୈଷୟିକ ସହାୟତା, ଭିସୁଟ୍‌ ଯୋଗାଇବ ଗବେଷଣା ଭିତ୍ତିଭୂମି

ସମ୍ବଲପୁର: ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) କ୍ୟାମ୍ପସ୍‌ରେ ତିଆରି ହେବ ଦେଶର ପ୍ରଥମ ଅତ୍ୟାଧୁନିକ ସ୍ପେସ୍ ଇନୋଭେସନ ଓ ଇନକ୍ୟୁବେସନ ସେଣ୍ଟର। ଏ ନେଇ ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଭିସୁଟ୍ ମଧ୍ୟରେ ଭିଡିଓ କନଫରେନ୍ସିଂରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଇସ୍ରୋ ଅଧ୍ୟକ୍ଷ କେ. ଶିବନ, ଇସ୍ରୋ ନିର୍ଦ୍ଦେଶକ ଡ. ପିଭି ଭେଙ୍କିଟାକ୍ରିଷ୍ଣନ୍, ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଭିସୁଟ୍‌ କୁଳପତି ପ୍ରଫେସର୍‌ ଅଟଳ ଚୌଧୁରୀ ଓ ଉଭୟ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବୁଝାମଣାପତ୍ରରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଓ ଭିସୁଟର କୁଳପତି ପ୍ରଫେସର ଚୌଧୁରୀ ସ୍ବାକ୍ଷର କରିଛନ୍ତି। ଇସ୍ରୋ ସହ ଏହି ଗବେଷଣା ଭିତ୍ତିକ ଚୁକ୍ତି ସ୍ବାକ୍ଷର କରିବାର ଭିସୁଟ୍‌ ଦେଶର ପ୍ରଥମ ବିଶ୍ବବିଦ୍ୟାଳୟ ହେବାର ବିରଳ ଗୌରବ ହାସଲ କରିଛି।

ବୀର ସୁରେନ୍ଦ୍ର ସାଏ ସ୍ପେସ୍ ଇନୋଭେସନ୍ ସେଣ୍ଟର (ଭିଏସ୍‌ଏସ୍‌ଏସ୍‌ଆଇସି), ବୁର୍ଲା ନାମରେ ନାମିତ ହେବାକୁ ଥିବା ଏହି କେନ୍ଦ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ଇସ୍ରୋ ପକ୍ଷରୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ ଓ ଭିସୁଟ୍ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବ। ସୂଚନାଯୋଗ୍ୟ, ୨୦୧୮ ମସିହା ମାର୍ଚ୍ଚ ୩୦ ତାରିଖରେ ଭିସୁଟ୍ ଇନୋଭେସନ୍ କ୍ଲବ ପକ୍ଷରୁ ଭିଏସ୍‌ଏଲ୍‌ଭି ୩.୦ ଲଞ୍ଚ କରାଯାଇଥିଲା। ଏହି ରକେଟ୍ ୪ କିମି ଉଚ୍ଚତା ଯାଏ ପ଼ହଞ୍ଚିଥିଲା, ଯାହା କୌଣସି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ ରକେଟ୍‌ ଦ୍ବାରା ହାସଲ କରା ଯାଇଥିବା ସର୍ବାଧିକ ଉଚ୍ଚତା ଥିଲା। ଏଥିପାଇଁ ଭିସୁଟ୍ ଇନୋଭେସନ୍ କ୍ଲବ ଲିମ୍‌କା ବୁକ୍ ଅଫ୍ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା। ଏହାପରେ ଭିସୁଟ୍‌ରେ ଦେଶର ପ୍ରଥମ ଇନୋଭେସନ୍ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଇସ୍ରୋ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ଯାଇଥିଲା।

ଚୁକ୍ତି ସ୍ବାକ୍ଷର ପରେ ଭିସୁଟର କୁଳପତି ପ୍ର. ଚୌଧୁରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଭିଏସ୍‌ଏସ୍‌ଏସ୍‌ଆଇସି ଆମ ବିଶ୍ବବିଦ୍ୟାଳୟ ସମେତ ପୂରା ଓଡ଼ିଶା ପାଇଁ ଗର୍ବର ବିଷୟ। ଏହା ସହିତ ଦେଶର ପ୍ରଥମ କେନ୍ଦ୍ର ହୋଇଥିବାରୁ ଆମ ଉପରେ ମଧ୍ୟ ଅନେକ ଗୁରୁ ଦାୟିତ୍ବ ମଧ୍ୟ ରହୁଛି। ଏହି କେନ୍ଦ୍ର ନିର୍ମାଣ ହେବା ପରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜ୍ୟୋତିର୍ବିଜ୍ଞାନରେ ଅଧ୍ୟୟନ ଓ ଗବେଷଣା ପାଇଁ ଉତ୍ତମ ପରିସର ଓ ସୁଯୋଗ ପାଇପାରିବେ। ଆଜିର ଦିନ ବିଶ୍ବବିଦ୍ୟାଳୟ ଇତିହାସରେ ଏକ ସ୍ମରଣୀୟ ଦିବସ ହୋଇ ରହିବ ବୋଲି ପ୍ର. ଚୌଧୁରୀ କହିଛନ୍ତି। ସେହିପରି ଭିସୁଟ୍‌ ଛାତ୍ର ଶୋଭିତ୍ ଆଚାର୍ଯ୍ୟ କହିଛନ୍ତି ଏହି କେନ୍ଦ୍ର ନିର୍ମାଣ ହେବା ପରେ ଇସ୍ରୋଠାରୁ ଆମେ ପେସାଦାର ପ୍ରଶିକ୍ଷଣ ପାଇବୁ। ଯାହା ପୂର୍ବରୁ ମିଳୁ ନଥିଲା। ଏହା ମହାକାଶ ଗବେଷଣା କ୍ଷେତ୍ରରେ ଆଗକୁ ବଢ଼ିବାକୁ ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବ।

ସମ୍ବଲପୁର: ‌ଭିସୁଟ୍‌ ଓ ଇସ୍ରୋ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ଅନୁଯାୟୀ ଭିସୁଟ୍‌ରେ ସ୍ପେସ୍‌ ଇନୋଭେସନ୍ ସେଣ୍ଟର୍‌ (ଭିସିକ୍‌) ସ୍ଥାପନ ପାଇଁ ଇସ୍ରୋ ୫୦ ଲକ୍ଷ ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବ। ଉକ୍ତ ଅର୍ଥରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ। ପରୀକ୍ଷାଗାର ସ୍ଥାପନ ହେବ। ସେହିପରି ହାଇଏଣ୍ଡ ସିମୁଲେସନ୍‌ ଉପକରଣ, ମିନିଆଚର ପରୀକ୍ଷା ସୁବିଧା (ଷ୍ଟାଟିକ୍‌ ଟେଷ୍ଟ ବ୍ୟବସ୍ଥା, ସଲିଡ୍ ପ୍ରପଲ୍‌ସନ ପରୀକ୍ଷାଗାର, ଭାଇବ୍ରେସନ୍‌ ଟେବୁଲ୍) ଓ ସ୍କେଲ୍‌ଡ ଡାଉନ୍‌ ମଡେଲଗୁଡ଼ିକର ପରୀକ୍ଷା ବ୍ୟବସ୍ଥାରେ ଉପରୋକ୍ତ ରାଶି ବିନିଯୋଗ କରାଯିବ। ଏସବୁ ସୁବିଧା ବିକଶିତ କରିବାରେ ଇସ୍ରୋ ଭିସିକ୍‌କୁ ଆବଶ୍ୟକ ପରାମର୍ଶ ଓ ପ୍ରଶିକ୍ଷଣ ପ୍ରଦାନ କରିବ। ରକେଟ୍‌ ଲଞ୍ଚିଂ ସହ ସଂଶ୍ଲିଷ୍ଟ ନିରାପତ୍ତା ବ୍ୟବସ୍ଥା ଓ ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଇସ୍ରୋ ରକେଟ୍‌ ଲଞ୍ଚିଂର ସମସ୍ତ ସୁବିଧା ଓ ବ୍ୟବସ୍ଥା ଥିବା ଥୁମ୍ବା, ଶ୍ରୀହରିକୋଟା, ବାଲେଶ୍ବର ଆଦି ସ୍ଥାନରେ ଭିସିକ୍‌ର ଗବେଷକଙ୍କୁ ରକେଟ୍ ପରୀକ୍ଷାର ସୀମିତ ସୁ‌ବିଧା ଯୋଗାଇ ଦେବ। ସେହିପରି ଭିସିକ୍‌ରେ ହାତକୁ ନିଆ ଯାଇଥିବା ପ୍ରକଳ୍ପରେ ଥିବା ଜଟିଳତାର ସମାଧାନ ପାଇଁ ଇସ୍ରୋସ୍ଥିତ ଉଚ୍ଚ ଜ୍ଞାନକୌଶଳଯୁକ୍ତ ପରୀକ୍ଷାଗାରର ସୀମିତ ବ୍ୟବହାର ପାଇଁ ମଧ୍ୟ ବିନା ଦେୟରେ ବା ରିହାତି ଦରରେ ଅନୁମତି ଦେବ। ଏହି ଗବେଷଣାରେ ସାମିଲ ଥିବା ସୀମିତ ସଂଖକ ଛାତ୍ରଛାତ୍ରୀଙ୍କୁ ଇସ୍ରୋ ବିନା ଦେୟରେ ବା ରିହାତି ଦରରେ ତାଲିମ ପ୍ରଦାନ କରିବ।

ଅପର ପକ୍ଷରେ ଭିସୁଟ୍‌ରେ ସ୍ଥାପନ ହେବାକୁ ଥିବା ବୀର ସୁରେନ୍ଦ୍ର ସାଏ ସ୍ପେସ୍‌ ଇନୋଭେସନ୍ ସେଣ୍ଟର (ଭିସିକ୍‌) ମହାକାଶ ଜ୍ଞାନକୌଶଳର ସଦ୍ୟତମ ଆଦୃତ ଦିଗଗୁଡ଼ିକ ଉପରେ ଗବେଷଣାକୁ ଅଗ୍ରାଧିକାର ଦେବ। ଦେଶ ହିତରେ ଲାଗିବାକୁ ଥିବା ଗବେଷଣା ପ୍ରକଳ୍ପଗୁଡ଼ିକୁ ହାତକୁ ନେବ। ଇସ୍ରୋ ପକ୍ଷରୁ ପ୍ରଦତ୍ତ ଅନୁଦାନର ଉପରୋପ୍ତ ନିର୍ଧାରିତ ନିୟମାବଳୀ ଅନୁଯାୟୀ ଉପଯୁକ୍ତ ବିନିଯୋଗ କରିବ। ଭିସୁଟ୍‌ ଏହାର କେମିକାଲ୍, ସିଭିଲ, ଇଲେକ୍ଟ୍ରିକାଲ୍, ଇଇଇ, ମେକାନିକାଲ୍, ପ୍ରଡୁକ୍‌ସନ, ମେଟଲୁର୍ଜି ଆଣ୍ଡ ମେଟେରିଆଲ୍‌ସ ଆଦି ଇଂଜିନିୟରିଂ ବିଭାଗ ଗୁଡ଼ିକର ପରୀକ୍ଷାଗାରକୁ ଉପରୋକ୍ତ ଗବେଷଣା ପାଇଁ ଆବଶ୍ୟକସ୍ଥଳେ ଯୋଗାଇ ଦେବ। ପ୍ରକଳ୍ପ ଗୁଡ଼ିକରେ କାମ କରୁଥିବା ଗବେଷକଙ୍କୁ ଭିସିକ୍‌ ଓ ଭିସୁଟ୍‌ ପକ୍ଷରୁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ। ଭିସୁଟ୍‌ ମଧ୍ୟ‌ ଇସ୍ରୋ ଅଧୀନରେ କାର୍ଯ୍ୟରତ ଅନ୍ୟ ଗବେଷଣା ସଂସ୍ଥା ଯଥା ଏସ୍‌ଆଇସି, ଆର୍‌ଏସିଏସ୍‌, ଏସ୍‌ଟିଆଇସି, ଏସ୍‌ଟିସି ଆଦିକୁ ଆବଶ୍ୟକ ସ୍ଥଳେ ଗବେଷଣା ନିମନ୍ତେ ନିଜ ପରୀକ୍ଷାଗାର ସୁବିଧା ଉପଲବ୍‌ଧ କରାଇବ ବୋଲି ଉଭୟ ପକ୍ଷ ମଧ୍ୟରେ ରାଜିନାମା ହୋଇଛି।

ସମ୍ବନ୍ଧିତ ଖବର