ପୁରୀ: ଶୃଙ୍ଖଳା ଆଳରେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କୁ ଭାଗ ଭାଗ କରିବାକୁ ଯୋଜନା ଚଳାଇଛି। ପରିମାଣିକ ଦର୍ଶନ ଭଳି ବ୍ୟବସ୍ଥା ଲାଗୁ କରି ଭକ୍ତଙ୍କ ଦର୍ଶନରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଯାଉଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ପ୍ରଚଳନ ନିଷ୍ପତ୍ତି ନେବା ପରେ ରାଜ୍ୟବ୍ୟାପୀ ଏମିତି କିଛି ଚର୍ଚ୍ଚା ଜୋର୍ ଧରିଛି। ଯାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଭକ୍ତ। କିଛି ଭକ୍ତ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଅନଲାଇନ୍ ଟିକେଟ୍ ବ୍ୟବସ୍ଥାକୁ ସ୍ପଷ୍ଟ କରୁ। ଟିକେଟ୍ କାଟିଥିବା ବ୍ୟକ୍ତିମାନେ କେବଳ ଭିତରକାଠରେ ଦର୍ଶନ କରିବେ, ନା ଘଣ୍ଟା ଘଣ୍ଟା ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହିଥିବା ଭକ୍ତମାନେ ବି ସେମାନଙ୍କ ସହ ଭିତରକାଠରୁ ଦର୍ଶନ କରିପାରିବେ। ଶ୍ରୀମନ୍ଦିର ପ୍ରଶାସନକୁ ଏମିତି କିଛି ପ୍ରଶ୍ନର ଜବାବ ମାଗିଛନ୍ତି ଭକ୍ତ। ଏପରି କରି ଜଷ୍ଟିସ୍ ବି.ପି ଦାଶ କମିସନଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟ ଦେଇଥିବା ରାୟର ଉଲ୍ଲଙ୍ଘନ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ପରିମାଣିକ ଦର୍ଶନ ବନ୍ଦ ପରେ ଯୋଜନାବଦ୍ଧ ଭାବେ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ପ୍ରଚଳନ କରାଯାଇଛି ବୋଲି ଅଭିଯୋଗ ଉଠିଛି। ଟିକେଟ୍ ଟଙ୍କାରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କୁ ପାଳିଆ ପୁରସ୍କାର ଦେବାକୁ ଲକ୍ଷ୍ୟ ରଖିଛି ବୋଲି ବି ଚର୍ଚ୍ଚା ହେଉଛି। ଏହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।
ପୂର୍ବରୁ ଶ୍ରୀମନ୍ଦିରରେ ପରିମାଣିକ ଦର୍ଶନ ବ୍ୟବସ୍ଥା ରହିଥିଲା। ଏହି ଟିକେଟ୍ କାଟି ଭକ୍ତମାନେ ଭିତରକାଠ ଓ ଗର୍ଭଗୃହରୁ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଟିକେଟ୍ ଅର୍ଥ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଭାଗ ହେଉଥିଲା। କିନ୍ତୁ ଏହାକୁ ନେଇ ବିବାଦ ଉପୁଜିଥିଲା। ପରିମାଣିକ ଟିକେଟ୍ କଳାବଜାରୀ ହେଉଥିବା ଏବଂ ଏହା ଦ୍ବାରା ଘଣ୍ଟା ଘଣ୍ଟା ଧରି ଭିଡ଼ ଭିତରେ ରହି ଦର୍ଶନ ପାଇଁ ଅପେକ୍ଷା କରି ରହୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ବି ଉଠିଥିଲା। ପରିମାଣିକ ଟିକେଟ୍ କରି ଭିତରୁ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବ୍ୟକ୍ତିମାନେ ଆଗରେ ରହି ଯାଉଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେଉଥିଲେ। ଏହାକୁ ନେଇ ତମ୍ବିତୋଫାନ ହୋଇଥିଲା। ପରେ ଜଷ୍ଟିସ୍ ବି.ପି ଦାଶ କମିସନ ନିଜ ତଦନ୍ତ ରିପୋର୍ଟରେ ପରିମାଣିକ ଦର୍ଶନ ବ୍ୟବସ୍ଥା କଥା ଉଲ୍ଲେଖ କରିଥିଲେ। ପରିମାଣିକ ବ୍ୟବସ୍ଥା ଦର୍ଶନରେ ପ୍ରତିବନ୍ଧକ ସାଜୁଥିବା ସେ ରିପୋର୍ଟରେ ଉଲ୍ଲେଖ କରିବା ସହ ଏହାକୁ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଇଥିଲେ। ସମସ୍ତ ଭକ୍ତଙ୍କୁ ସମାନ ଦର୍ଶନ ସୁବିଧା ମିଳୁ ବୋଲି ଜଷ୍ଟିସ ଦାଶ ନିଜ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏହା ପରେ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ପରିମାଣିକ ଦର୍ଶନ ବ୍ୟବସ୍ଥା ବନ୍ଦ କରି ଦିଆଯାଇଥିଲା। ଏବେ ପୁନର୍ବାର ପରିମାଣିକ ଟିକେଟ୍ର ବିକଳ୍ପ ବ୍ୟବସ୍ଥା ସ୍ବରୂପ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ଆପଣାଇଥିବା ଅଭିଯୋଗ ଉଠିଛି। ଏହି ଦର୍ଶନ ପାଇଁ ୬୦ ପ୍ରତିଶତ ଟିକେଟ୍ ଅନଲାଇନରେ ଓ ୩୦ ପ୍ରତିଶତ କାଉଣ୍ଟରରେ ମିଳିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରି ସାରିଛି। ଅବକାଶ ନୀତି, ବଲ୍ଲଭ, ମଧ୍ୟାହ୍ନ ଧୂପ ଓ ରାତିରେ ଚନ୍ଦନଲାଗି ସମୟ, ଏଭଳି ଚାରି ସମୟରେ ଉକ୍ତ ଦର୍ଶନ ବ୍ୟବସ୍ଥା ଉପଲବ୍ଧ ରହିବ ବୋଲି ନିଷ୍ପତ୍ତି ହୋଇଛି। ଏହି ସମୟରେ ସାଧାରଣ ଭକ୍ତ ଘଣ୍ଟା ଘଣ୍ଟା ଲମ୍ବା ଲାଇନରେ ରହି ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନାଇ ରହିଥାନ୍ତି। ଯେଉଁଥିରେ ଅଧିକାଂଶ ସ୍ଥାନୀୟ ଭକ୍ତ ରହିଥାନ୍ତି। ଯଦି ଅନ୍ଲାଇନ୍ ଟିକେଟ୍ କାଟିଥିବା ବ୍ୟକ୍ତିମାନେ ଭିତରକାଠରେ ରହିବେ, ଏହି ସମୟରେ ଅନ୍ୟ ଭକ୍ତମାନେ କେଉଁଠାରେ ରହିବେ ବୋଲି ସଭିଏଁ ପ୍ରଶ୍ନ କରିଛନ୍ତି। କାରଣ ଟିକେଟ୍ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ପ୍ରାଧାନ୍ୟ ଦେବ। ଯେହେତୁ ଟିକେଟ୍ କାଟି ଏମାନେ ଦର୍ଶନ ପାଇଁ ଯାଇଛନ୍ତି, ଅଧିକ ସମୟ ଦର୍ଶନ ପାଇଁ ଚାହିଁବେ। ବିଶେଷ କରି ଚନ୍ଦନଲାଗି ସମୟରେ ଅଧିକ ଭକ୍ତ ଦର୍ଶନ ପାଇଁ ଚାହିଁ ରହିଥାନ୍ତି। ଏହି ସମୟରେ ମହାପ୍ରଭୁଙ୍କୁ ଭକ୍ତମାନେ ଯାହା ମାଗନ୍ତି, ତାହା ଫଳପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ଏଣୁ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଏହି ଦୁର୍ଲଭ ମୁହୂର୍ତ୍ତକୁ ଅନାଇ ବସିଥାନ୍ତି। ଏଭଳି ପରିସ୍ଥିତିରେ ଟିକେଟ୍ ନକରି ଲମ୍ବା ଲାଇନରେ ଛିଡ଼ା ହୋଇ ଦର୍ଶନ ପାଇଁ ଅପେକ୍ଷା କରି ରହିଥିବା ଭକ୍ତମାନେ କେଉଁଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଧାଡ଼ିରେ ଥିବା ଭକ୍ତମାନେ ଭିତରକାଠ ନା ବାହାରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ମତ ରଖୁ ବୋଲି ଭକ୍ତ ମହଲରେ ଦାବି ହୋଇଛି। ଗତକାଲି ଗଣମାଧ୍ୟମ ପ୍ରତିନିଧିମାନେ ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ପ୍ରଶ୍ନ କରିଥିଲେ। ଶ୍ରୀ ମହାପାତ୍ର କହିଥିଲେ, ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ବିଷୟରେ କିଛି ସ୍ପଷ୍ଟ କରିନଥିବାରୁ ଟିକେଟ୍ ଦର୍ଶନ ନେଇ ଦ୍ବନ୍ଦ୍ବ ସାଙ୍ଗକୁ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ନିକଟରେ ନାନା ବିବାଦ ଯୋଗୁ ଶ୍ରୀମନ୍ଦିର ପ୍ରଶାସନ ଡବଲ ପାଳିଆ ପୁରସ୍କାର ବନ୍ଦ କରି ଦେଇଛି। ଏହାକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକଟ କରିଛନ୍ତି। ପଞ୍ଚୁକ ପ୍ରଥମ ଦିନରେ ନୀତି ବିଳମ୍ବ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହୋଇଥିଲା। ସେପଟେ ପରିମାଣିକ ଟିକେଟ୍ ଦର୍ଶନ ବନ୍ଦ ହେବା ପରେ ସେବାୟତଙ୍କ ଏ ବାବଦ ରୋଜଗାର ବି ବନ୍ଦ ହୋଇଯାଇଛି। ଏପରି ପରିସ୍ଥିତିରେ ଅସନ୍ତୁଷ୍ଟ ସେବାୟତଙ୍କୁ ସନ୍ତୁଷ୍ଟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ଯୋଜନା କରୁଥିବା ଆଲୋଚନା ଜୋର ଧରିଛି।