ବ୍ୟକ୍ତି ନୁହେଁ, ପ୍ରସଙ୍ଗ ବଡ଼: ସୌମ୍ୟରଂଜନ

ଲୋକନାଥ ମହାବିଦ୍ୟାଳୟ ଛାତ୍ରସଂସଦ ବାର୍ଷିକୋତ୍ସବ

ଗରଦପୁର: ବ୍ୟକ୍ତି ବଡ଼ ନୁହେଁ, ପ୍ରସଙ୍ଗ ହେଉଛି ବଡ଼। ମୋତେ ନୁହେଁ, ଆପଣମାନେ ପ୍ରସଙ୍ଗକୁ ହିଁ ସ୍ୱାଗତ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ଛାତ୍ରସଂସଦ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତର ଉତ୍ତରରେ ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଛାତ୍ର ସଂସଦ ସଭାପତି ମାଧବ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏଠାରେ ମୋ ଭଳି ବ୍ୟକ୍ତି ଆଦୌ ବଡ଼ ନୁହେଁ, ବରଂ ପ୍ରସଙ୍ଗ ବଡ଼ । ପ୍ରସଙ୍ଗକୁ ଆପଣମାନେ ସ୍ୱାଗତ କରିଛନ୍ତି । ଶାସନ ବ୍ୟବସ୍ଥାରେ ବ୍ୟକ୍ତି ଏକ, ଅନେକ ହେଉଛି ପ୍ରସଙ୍ଗ। ବିଚାର ଓ ପ୍ରସଙ୍ଗ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି, ସେଥିପାଇଁ ଲୋକଙ୍କୁ ଏକାଠି କରିବା ପାଇଁ ସୁଯୋଗ ଦରକାର। ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ, କେବଳ ସ୍ଥାନୀୟ ନୁହେଁ ବରଂ ସର୍ବଭାରତୀୟ ସ୍ତରରେ ବିଚାରରେ ଏବେ ବିଭ୍ରାଟ ଆସିଲାଣି । ଜଣେ କେନ୍ଦ୍ରମନ୍ତ୍ରୀ ହଜାର ହଜାର ବର୍ଷ ତଳର ଡାରଓ୍ଵିନ୍‌ଙ୍କ ମତବାଦକୁ ଭୁଲ ବୋଲି କହିଲେଣି। ମାଙ୍କଡ଼ମାନେ ମଣିଷଙ୍କ ପୂର୍ବଜ ନୁହନ୍ତି ବୋଲି ମତଦେଲେଣି। ଏହା ଅନେକ ଯୁକ୍ତିକୁ ଅପେକ୍ଷା ରଖେ । ଏଭଳି ସ୍ଥିତିରେ ବୈଜ୍ଞାନିକ, ବିଜ୍ଞାନ ଶିକ୍ଷକମାନେ ମୁହଁ ଖୋଲିବା ଦରକାର। ଆସନ୍ତା ଏପ୍ରିଲ ପହିଲାରୁ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ ସରକାର ଘୋଷଣା କରିଥିବାରୁ ସମଗ୍ର ରାଜ୍ୟବାସୀ ଏହାର କାର୍ଯ୍ୟକାରିତାକୁ ଅପେକ୍ଷା କରିଛନ୍ତି। ସେହିଭଳି, ମାତୃଭାଷାର ବ୍ୟବହାର, ନିଶା ନିବାରଣ, ଚାଷୀଙ୍କ ସମସ୍ୟା, ଚିଟ୍‌ଫଣ୍ଡ୍‌ ଦ୍ୱାରା କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନ ଏବଂ ଅମ୍ଳଜାନ ଅଭାବ ଦୂର ପାଇଁ ବୃକ୍ଷରୋପଣ ଭଳି ବିଭିନ୍ନ ପ୍ରସଙ୍ଗ ରହିଛି। ଏହିଭଳି ପ୍ରସଙ୍ଗ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିଶିଷ୍ଟ ଅତିଥିଭାବେ ଯୋଗଦେଇ ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଲେ ଯେ, ଆଜିକାଲି ସମସ୍ତେ କମ୍ପ୍‌୍ୟୁଟର ବ୍ୟବହାର କରବା ଭଳି ଶିକ୍ଷା ହାସଲ କରୁଛନ୍ତି । ମାତ୍ର, ନିଜ ଭିତରେ ଥିବା ମାନବିକତାର ମହାନ ଶିକ୍ଷାକୁ ଆପଣାଉ ନାହାନ୍ତି। ବିଧାୟକ ବେଦପ୍ରକାଶ ଅଗ୍ରଓ୍ଵାଲା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଭେନ୍‌ସା ମହାମିଳନ ପାଇଁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ। ଏଥିସହିତ, ଛାତ୍ରୀମାନଙ୍କ ପରିସ୍ରାଗାର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ଘୋଷଣା କରିଥିଲେ ।

ମହାବିଦ୍ୟାଳୟର ଅଧକ୍ଷ ଶରତ କୁମାର ମହାନ୍ତି ମହାବିଦ୍ୟାଳୟର ଅଭାବ ଅସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ର ସଂସଦ ଉପଦେଷ୍ଟା ଅଧ୍ୟାପକ ଚିତ୍ତରଂଜନ ଦାସ ଅତିଥିଙ୍କୁ ମଂଚ ନିମନ୍ତ୍ରଣ କରିବା ପରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଉତ୍ସବରେ ଛାତ୍ର ସଂସଦ ଅନ୍ୟତମ ଉପଦେଷ୍ଟା ଅଧ୍ୟାପକ କ୍ଷୀରୋଦ ପ୍ରସାଦ ନାୟକ ସ୍ୱାଗତ ଅଭିଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେହିପରି ଗରଦପୁର ସମ୍ବାଦ ସାହିତ୍ୟ ଘର ତରଫରୁ ମଂଚ ଉପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ସାହିତ୍ୟ ଘର ବାର୍ଷିକ ମୁଖପତ୍ର ମାଟିମହକ ପ୍ରଦାନ କରାଯାଇଥିଲା।ା ଉତ୍ସବ ପ୍ରାରମ୍ଭରେ ଅତିଥିମାନଙ୍କୁ ୮କିମି ପଯ୍ୟର୍ନ୍ତ ଏକ ବିରାଟ ବାଇକ ଶୋଭାଯାତ୍ରାରେ ମଧୁଶାସନ ଠାରୁ ମହାବିଦ୍ୟାଳୟ ପଯ୍ୟର୍ନ୍ତ ନିଆଯାଇଥିଲା । ଯୁବନେତା ରାଜେଶ ଦାସ , ଛାତ୍ରନେତା ସ୍ମୃତି ରଂଜନ ମାହାଳି, ସରୋଜ କାନ୍ତ ନାୟକ, ସତ୍ୟଜିତ ସାହୁ, ଜୟ ପ୍ରକାଶ ବାରିକ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଅଧ୍ୟାପକ ରମାକାନ୍ତ ପାଣି, ନାରୀ ନେତ୍ରୀ ପ୍ରମିଳା ସାମଲ, ବହୁ ସଂଖ୍ୟାରେ ସରପଂଚ, ସମିତି ସଭ୍ୟ, ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏହି ସଭାରେ ଉପସ୍ଥିତ ଥିଲେ। ଶେଷରେ ପ୍ରାଧ୍ୟାପକ ରବୀନ୍ଦ୍ରନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର