ନୂଆପଡ଼ାରୁ ଚୌଧୁରୀ ଅମିତାଭ ଦାସ
ନୂଆପଡ଼ାରେ ପ୍ରସଙ୍ଗର ଅଭାବ ନାହିଁ। ରାଜ୍ୟର ଅନ୍ୟତମ ଦାଦନପ୍ରବଣ ଅଞ୍ଚଳ। ଜିଲ୍ଲାରେ ବ୍ୟାପକ ନିଯୁକ୍ତି ସୁଯୋଗ ନାହିଁ। ବିକାଶର ଚିତ୍ର ସନ୍ତୋଷଜନକ ନୁହେଁ। ଅନ୍ୟତମ ପଛୁଆ ଜିଲ୍ଲା ତାଲିକାରେ ବି ରହିଛି ନୂଆପଡ଼ା। କିନ୍ତୁ ଉପନିର୍ବାଚନରେ ବଡ଼ ପ୍ରସଙ୍ଗଗୁଡ଼ିକ ବହୁ ପଛକୁ ଠେଲି ହୋଇଯାଇଛି। କାହା ପାଇଁ ନୂଆପଡ଼ା ସମସ୍ୟା ଘେରରେ ଅଛି, ତାହାର ଉତ୍ତର ଲୋକ ମାଗୁନାହାନ୍ତି କି ନେତା ଦେଉନାହାନ୍ତି। ନିର୍ବାଚନ ମଇଦାନରେ ଯେମିତି ବିକାଶ ଏକ ଏଜେଣ୍ଡା ନୁହେଁ, ତାହା ସ୍ପଷ୍ଟ ଅନୁଭୂତ ହେଉଛି। ଦୁଇଟି ଯାକ ବ୍ଲକ୍ ଓ ଦୁଇଟି ଯାକ ଏନ୍ଏସିରେ ସମାନ ସ୍ଥିତି। ସିଧାସଳଖ କହିଲେ, ଉପନିର୍ବାଚନରେ ଆଦୌ ପ୍ରସଙ୍ଗ ଭିତ୍ତିକ ଲଢ଼େଇ ହେଉନାହିଁ। ଦେଢ଼ ବର୍ଷ ତଳେ ସାଧାରଣ ନିର୍ବାଚନ ହୋଇଥିଲା। ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବାକୁ ହୁଙ୍କାର ଦେଉଥିଲା ବିଜେଡି। ‘ଓଡ଼ିଆ ଅସ୍ମିତା’ର ନାରା ଦେଇ ତତ୍କାଳୀନ ଶାସକ ଦଳ ବିଜେଡିକୁ ଘାଇଲା କରୁଥିଲା ବିଜେପି। ବିଜେଡି ଓ ବିଜେପିକୁ ଭାଇ-ଭାଇ କହି ଫାଇଦା ନେବାକୁ ଉଦ୍ୟମ କରୁଥିଲା କଂଗ୍ରେସ। ଏବେ ଉପନିର୍ବାଚନରେ ତିନି ଦଳ ମଧ୍ୟରେ କଡ଼ା ମୁକାବିଲା ହେଉଛି। କିନ୍ତୁ ଦେଢ଼ ବର୍ଷ ତଳର ସେହି ସ୍ଲୋଗାନ୍ଗୁଡ଼ିକ ଆଦୌ ଶୁଭୁ ନାହିଁ। ନବୀନ ଗତକାଲି ପ୍ରଚାର କରିଥିଲେ ବି ବିଜୁଙ୍କ ସ୍ବପ୍ନ ସମ୍ପର୍କରେ କହିନାହାନ୍ତି। ଦେଢ଼ବର୍ଷ ଭିତରେ ବିଜେପି ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ପଛକୁ ଠେଲି ଦେଇଛି। ନୂଆପଡ଼ାରେ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଦଳ କ’ଣ କରିବ, ସେ ସମ୍ପର୍କରେ କେହି ପଦୁଟିଏ କହୁନାହାନ୍ତି। ବରଂ ଦୁଇ ଦଳ ଏବେ ରାଜେନ୍ଦ୍ର ଢୋଲକିଆଙ୍କ ଅଧୁରା ସ୍ବପ୍ନ ପୂରଣ ଉପରେ ଫୋକସ୍ କରୁଛନ୍ତି, ଯାହା ବିଶେଷ ଗୁରୁତ୍ବ ରଖୁନି।
ଦାଦନ, ବେରୋଜଗାରୀ କଥା ମୂଲ୍ୟହୀନ
ଶୁଭୁନି ‘ବିଜୁ ସ୍ବପ୍ନ’, ‘ଓଡ଼ିଆ ଅସ୍ମିତା’ର ନାରା
ହାୱା, ଅନୁକମ୍ପା କିଛି କାମ ଦେଉନି
ତୃଣମୂଳ ସ୍ତରରେ ‘ଭୋଟର୍ ମ୍ୟାନେଜମେଣ୍ଟ୍’ ରଣନୀତି ହିଁ ଉପନିର୍ବାଚନରେ ମୁଖ୍ୟ ଭୂମିକା ନେଉଛି। ପ୍ରସଙ୍ଗ, ହାୱା, ଅନୁକମ୍ପା ଗୌଣ। କୌଣସି ଦଳ ଅଥବା ପ୍ରାର୍ଥୀଙ୍କ ସପକ୍ଷରେ ହାୱା ବହୁନାହିଁ। ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ପୁଅ ଜୟ ଯେ ଅଧିକ ଅନୁକମ୍ପା ଭୋଟ ପାଇବେ, ସେ ସମ୍ଭାବନା କମ୍। ନୂଆପଡ଼ାର ଯେ କୌଣସି ଗାଁକୁ ଗଲେ ତୃଣମୂଳ ସ୍ତରରେ ‘ଭୋଟର୍ ମ୍ୟାନେଜମେଣ୍ଟ୍’ ଉପରେ ସମସ୍ତେ ଫୋକସ୍ କରୁଥିବା ଦେଖିବାକୁ ମିଳୁଛି। ଏଥି ପାଇଁ ଗାଁ ଗାଁରେ ଛକାପଞ୍ଝା ସ୍ଥିତି। ତିନି ଦଳ କେହି କାହାଠାରୁ ପଛରେ ନାହାନ୍ତି। ଲଢ଼େଇ ସୂତା ଖିଅରେ ହେଉଛି। ନୂଆପଡ଼ାର ଆଦିବାସୀ ଭୋଟର ଏକ ବଡ଼ ଭାଗ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପକ୍ଷରେ ଅଛି ବୋଲି କୁହାଯାଉଛି। ତାହାକୁ ଭାଙ୍ଗିବା ପାଇଁ ଉଭୟ ବିଜେପି ଓ ବିଜେଡି ଉଦ୍ୟମ ଚଳାଇଛନ୍ତି। ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ସବୁ ଦଳ ନିଜ ନିଜ ବାଟରେ ଉଦ୍ୟମ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜନପ୍ରତିନିଧି ସୁଯୋଗ ଦେଖି ଏକାଧିକ ଦଳ ସହ ସଂପର୍କରେ ଅଛନ୍ତି।
ନୂଆପଡ଼ାରେ ମତଦାନକୁ ଆଉ ୭ ଦିନ। ପ୍ରଚାରକୁ ୫ ଦିନ ବାକି। ଦିନ ହେଉ କି ରାତି, ପ୍ରତିଟି ମୂହୁର୍ତ୍ତ ଏବେ ପ୍ରାର୍ଥୀଙ୍କ ପାଇଁ ଅଗ୍ନି ପରୀକ୍ଷାର ସମୟ। ପ୍ରଚାର ଓ ରଣନୀତି ପ୍ରସ୍ତୁତିରେ କୌଣସି ଦିଗକୁ ହାତଛଡ଼ା କରିବାକୁ ପ୍ରାର୍ଥୀ ପ୍ରସ୍ତୁତ ନାହାନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦିନରାତି ଏକ କରିଦେଇଛନ୍ତି। କିଏ ଜିତିବ ତାହା ଏବେଠୁ ଆକଳନ କରିବା ମୁସ୍କିଲ୍। ପିସିସି ସଭାପତି ଭକ୍ତ ଦାସ ଓ ବିଜେପି ସଭାପତି ମନମୋହନ ସାମଲ ନୂଆପଡ଼ାରେ ପଡ଼ି ରହିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଉପନିର୍ବାଚନ ପ୍ରଚାରକୁ ଯାଉ ନଥିଲେ। ଥରେ ଆସିଥିଲେ, ଆଉଥରେ ଆସିବେ। ଶାସକ ଦଳର ଅର୍ଧାଧିକ ମନ୍ତ୍ରୀ, ତିନିଟି ଯାକ ଦଳର ୧୦୦ରୁ ଅଧିକ ବିଧାୟକ ଏଠାରେ ଡେରା ପକାଇଛନ୍ତି। ହେଲେ ସେମାନଙ୍କ ଉପସ୍ଥିତି ଭୋଟରଙ୍କୁ ସେତେଟା ପ୍ରଭାବିତ କରିପାରୁନି। ଏପରିକି ଅଧିକାଂଶଙ୍କୁ ସ୍ଥାନୀୟ ଲୋକ ଚିହ୍ନି ପାରୁନାହାନ୍ତି। ସେହିଭଳି ବାହାର ନେତାଙ୍କୁ ପ୍ରଚାର ମଇଦାନରେ ସାମିଲ କରାଇବାରେ ବିଜେଡି ଓ ବିଜେପି ଭିତରେ ଏକରକମ ପ୍ରତିଦ୍ବନ୍ଦ୍ବିତା ଚାଲିଛି। କଂଗ୍ରେସ ସେହି ରଣନୀତିକୁ ନଯାଇ ସ୍ଥାନୀୟ ନେତାଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟ ଓ ପ୍ରଚାର କରୁଥିବା ଦେଖାଯାଉଛି। ତିନିଟି ଯାକ ଦଳର କିଛି ଆଗଧାଡ଼ିର ନେତା ଭୋଟର୍ ‘ମ୍ୟାନେଜମେଣ୍ଟ୍’ ଦାୟିତ୍ବରେ ଅଛନ୍ତି। ଅନ୍ୟମାନେ କେବଳ ହୋହଲ୍ଲା ଚଳାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/05/unemployment-2025-11-05-01-45-38.jpg)