କଟକ : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସମସ୍ତ ୬ଟି ପଦବି ଖାଲି ପଡ଼ିବା ଘଟଣାକୁ ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଭିନ୍ନ ଆୟୋଗ ଗଠନ କରାଯାଇଥିବା ବେଳେ କାହିଁକି ସଦସ୍ୟ ପଦ ଖାଲି ପଡୁଛି ବୋଲି ଆଜି ଶୁଣାଣି ସମୟରେ ହାଇକୋର୍ଟ ପ୍ରଶ୍ନ କରିଥିଲେ। ବୈଧାନିକ ସଂସ୍ଥା ଗୁଡିକରେ ସଦସ୍ୟ ପଦ ଖାଲି ରଖାଯିବାରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ଏହାଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହା ଗଠନ କରାଯାଇଥିଲା ତାହା ବିଫଳ ହେଉଛି ବୋଲି ହାଇକୋର୍ଟ କହିବା ସହିତ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଖାଲି ପଡ଼ିଥିବା ପଦବି ପୂରଣ ପ୍ରସଂଗରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
୨୦୧୦ ସେପ୍ଟେମ୍ବର ୩୦ରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗଠନ କରାଯାଇଥିଲା। ଜଣେ ଅଧ୍ୟକ୍ଷ ୬ଜଣ ସଦସ୍ୟ ଏହି ଆୟୋଗରେ ରହିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ କେବଳ ଅଧ୍ୟକ୍ଷାଙ୍କୁ ନେଇ ଆୟୋଗ ଚାଲିଛି। ୨୦୨୨ ଅକ୍ଟୋବର ୧୪ରେ ନୂଆ ଅଧ୍ୟକ୍ଷା ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ୨୦୨୦ ମେ ୧୯ରୁ ୪ଟି, ୨୦୨୧ ଜାନୁଆରି ୧୦ରୁ ଗୋଟିଏ ଓ ୨୦୨୨ ଅଗଷ୍ଟ ୨୫ରୁ ଗୋଟିଏ ସଦସ୍ୟ ପଦ ଖାଲି ପଡିଛି। ଏଭଳି ଭାବେ ଆୟୋଗର ସମସ୍ତ ୬ଟି ସଦସ୍ୟ ପଦ ଖାଲି ପଡିଛି। ଆୟୋଗର ସଦସ୍ୟ ପଦ ଖାଲି ହେବାର ୬ ମାସ ଭିତରେ ଏହା ପୂରଣ ହେବା କଥା। ସବୁ ସଦସ୍ୟ ପଦ ଖାଲି ପଡିଥିବାରୁ ଆୟୋଗ ଏକ ପ୍ରକାର ଅଚଳ ହୋଇ ପଡିଛି ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ, ଆୟୋଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।