ଭୁବନେଶ୍ବର : ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ କୋଟିଆକୁ ଏକ ପ୍ରକାର ଦଖଲ କରିସାରିଲାଣି। ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ଏଥିପାଇଁ ଦାୟୀ। ଆଜି କୋଟିଆ ପ୍ରସଙ୍ଗରେ ମୁହଁ ଖୋଲି ରାଜ୍ୟ ସରକାରଙ୍କୁ ଏପରି ସମାଲୋଚନା କରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। କହିଛନ୍ତି, ଏବେ ସେଠାରେ ପରିସ୍ଥିତି ଭୟଙ୍କର ରୂପ ନେଲାଣି ଆଗକୁ ପରିଣାମ ଭୟଙ୍କର ହେବ। ଏହା ସରକାରଙ୍କ ପ୍ରତି ଚେତାବନୀ।
ଶ୍ରୀ ହରିଚନ୍ଦନ କହିଥିଲେ, ମାଲକାନଗିରିର ବିବାଦୀୟ ପୋଲାଭରମ ପ୍ରକଳ୍ପ ଅଞ୍ଚଳ ଗସ୍ତବେଳେ ଆନ୍ଧ୍ରର ରାଜସ୍ବ ନିରୀକ୍ଷକମାନେ ଆସି ଖଜଣା ଆଦାୟ କରୁଥିବା ସେ ଦେଖିବାକୁ ପାଇଥିଲେ। ଜନ କଂଗ୍ରେସ ସରକାରରେ ରାଜେନ୍ଦ୍ର ନାରାୟଣ ସିଂଦେଓ ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ମଧ୍ୟପ୍ରଦେଶର ରାଜସ୍ବ ନିରୀକ୍ଷକମାନେ ବରଗଡ଼ର ପଦ୍ମପୁରକୁ ଆସି ଖଜଣା ଆଦାୟ କରୁଥିବା ଜଣାପଡ଼ିବା ପରେ ଶ୍ରୀ ସିଂହଦେଓଙ୍କ ମନ୍ତ୍ରିମଣ୍ଡଳର ତତ୍କାଳୀନ ରାଜସ୍ବ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସେତେବେଳର ଜିଲ୍ଲାପାଳଙ୍କୁ ବଦଳି କରାଯିବା ସହ ମଧ୍ୟପ୍ରଦେଶର ଆର୍ଆଇମାନଙ୍କୁ ରାଜ୍ୟର ସୀମା ଭିତରକୁ ପଶିବାକୁ ଦିଆଯାଇନଥିଲା। ଆଜି ବିଡ଼ମ୍ବନାର ବିଷୟ ବାହାର ରାଜ୍ୟର ପ୍ରଶାସନ ଆସି ଏଠି ନିର୍ବାଚନ କଲେଣି, ଖଜଣା ଆଦାୟ କରୁଛନ୍ତି ଓ କୋଟିଆର ଲୋକମାନଙ୍କୁ ଆନ୍ଧ୍ରରେ ମିଶିବାକୁ ଉସୁକାଉଛନ୍ତି। ତଥାପି ଏ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି। ଏହାଠୁ ବଡ଼ ଦୁର୍ଭାଗ୍ୟ ଏ ରାଜ୍ୟ ପ୍ରତି ଆଉ କଣ ହୋଇପାରେ ବୋଲି ଶ୍ରୀ ହରିଚନ୍ଦନ କ୍ଷୋଭ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/prasad-harichandan.jpg)