ବ୍ୟବଚ୍ଛେଦ ରିପୋର୍ଟ ପାଇଁ ୪ ବର୍ଷ! ଚପି ଯାଉଛି ହତ୍ୟା ମାମଲା, ଡାକ୍ତରଙ୍କ ପାଇଁ କାଠଗଡ଼ାରେ ପୁଲିସ

କଟକ : ଯେଉଁଦିନ ଶବ ବ୍ୟବଚ୍ଛେଦ ହେବ, ସେହିଦିନ ହିଁ ବ୍ୟବଚ୍ଛେଦ ରିପୋର୍ଟ ମିଳିବା କଥା। କିନ୍ତୁ କଟକ ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ରିପୋର୍ଟ ମିଳିବାକୁ ଚାରି ବର୍ଷ ଲାଗିଯାଉଛି। ଭେସେରା ଓ ଡାଏଟମ୍ ରିପୋର୍ଟ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ଆସିବାରେ ବି ସମାନ ସ୍ଥିତି। ବଡ଼ ଡାକ୍ତରଖାନାରେ ୨୦୧୯ରୁ ଆଜି ସୁଦ୍ଧା ମୋଟ ୫୮୪ଟି ଶବର ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ ହୋଇପାରି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ବ୍ୟବଚ୍ଛେଦ ଦିନ ମିଳିବା ବଦଳରେ ଏମିତି ବର୍ଷ ବର୍ଷ ଧରି ପଡ଼ିରହିବା ଫଳରେ ଚାର୍ଜସିଟ୍ ଦାଖଲ ତ ବିଳମ୍ବ ହେଉଛି, ଅପରାଧୀ ବି ସହଜରେ ଖସି ଯାଉଛନ୍ତି।

ପୁଲିସ ବିଭାଗର ସୂଚନା ଅନୁଯାୟୀ, ଯେଉଁ ମୃତ୍ୟୁ ମାମଲାରେ କୌଣସି ପ୍ରକାର ଜଟିଳତା ନଥାଏ, ସେହି ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟ କଟକ ବଡ଼ ଡାକ୍ତରଖାନାର ଏଫଏମଟି (ଦି ଫରେନସିକ୍ ମେଡିସିନ୍ ଆଣ୍ଡ ଟକ୍ସିକୋଲଜି) ବିଭାଗର ଡାକ୍ତର ସେହିଦିନ ହିଁ ଦେବା କଥା। ଯେଉଁ ମୃତ୍ୟୁରେ କୌଣସି ଜଟିଳତା ଥାଏ, ଯେଭଳି କି ପାଣିରୁ ଅଚିହ୍ନା ଶବ ଉଦ୍ଧାର ହୋଇଥିଲେ ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ଜାଣିବା ପାଇଁ ଭୁବନେଶ୍ବର ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ଡାଏଟମ୍ ପରୀକ୍ଷା ପାଇଁ ଡାକ୍ତର ପଠାଇଥାନ୍ତି। ଡାଏଟମ୍ ପରୀକ୍ଷାରେ ଶବର ପେଟରୁ ସଂଗ୍ରହ ହୋଇଥିବା ପାଣି ଓ ଉକ୍ତ ଜଳାଶୟର ପାଣିକୁ ମେଳ କରାଯାଏ। ସେହିଭଳି ରାସ୍ତା ପାର୍ଶ୍ବରୁ କୌଣସି ବ୍ୟକ୍ତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲେ ବ୍ୟବଚ୍ଛେଦ ସହିତ ଲାବରେଟୋରିକୁ ଭେସେରା ପରୀକ୍ଷା ପାଇଁ ପଠାଯାଏ। କୌଣସି ପ୍ରକାର ବିଷକ୍ରିୟା ସମ୍ପର୍କରେ ଏଥିରୁ ଜଣାପଡ଼ିଥାଏ।

CREATOR: gd-jpeg v1.0 (using IJG JPEG v62), quality = 100

ଏବେ ଉଭୟ ବଡ଼ ଡାକ୍ତରଖାନା ଓ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରି ପୁଲିସ ପାଇଁ ଅଡ଼ୁଆ ହେଲେଣି। ଅନେକ ଘଟଣାରେ ମୃତ୍ୟୁର କାରଣ ସ୍ପଷ୍ଟ ଥିବା ସତ୍ତ୍ବେ କେବଳ ବ୍ୟବଚ୍ଛେଦ ରିପୋର୍ଟ ବଡ଼ ଡାକ୍ତରଖାନା ଦେବାକୁ ମାସ ମାସ ସମୟ ଲଗାଇ ଦେଉଛି। ଡାଏଟମ୍ କିମ୍ବା ଭେସେରା ପରୀକ୍ଷା ରିପୋର୍ଟ ଫରେନସିକ୍ ଲାବରେଟୋରିରୁ ଆସିବାକୁ ତ ଏକ ବର୍ଷ ଲାଗିଯାଉଛି। ଭେସେରା ନମୁନା ଲାବରେଟୋରିରେ ମାସ ମାସ ପଡ଼ି ରହୁଥିବାରୁ ମାଂସ ପଚି ସଢ଼ି ଯାଉଥିବା ବେଳେ ଶେଷରେ କୌଣସି ରିପୋର୍ଟ ଆଦୌ ଆସୁନାହିଁ। ଲାବରେଟୋରି ରିପୋର୍ଟ ଆସି ନଥିବା ଆଳରେ ଡାକ୍ତର ବ୍ୟବଚ୍ଛେଦ ରିପୋର୍ଟରେ ବି କୌଣସି ପ୍ରକାର ମତ ଦେଉନାହାନ୍ତି।

ପୁଲିସର ତଥ୍ୟ ଅନୁଯାୟୀ, ୨୦୧୯ରେ ୨୫୫୫ଟି, ୨୦୨୦ରେ ୨୩୧୧ଟି, ୨୦୨୧ରେ ୨୭୨୬ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ୫୩୪ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସେଥିରୁ ୨୦୧୯ରେ ୫ଟି ମାମଲାର ବ୍ୟବଚ୍ଛେଦ ରିପୋର୍ଟ ଏଯାଏ ମଙ୍ଗଳାବାଗ ଥାନା ପୁଲିସର ହସ୍ତଗତ ହୋଇନାହିଁ। ସେହିଭଳି ୨୦୨୦ର ୫ଟି, ୨୦୨୧ର ୧୬୭ଟି ଏବଂ ୨୦୨୨ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ୪୦୭ଟି ରିପୋର୍ଟ ଏଯାଏ ହସ୍ତଗତ ହୋଇନାହିଁ। ମୋଟ ୫୮୪ ମାମଲାରେ ରିପୋର୍ଟ ଗଲା ୪ ବର୍ଷ ଭିତରେ ପୁଲିସର ହସ୍ତଗତ ହୋଇନାହିଁ।

ଅବସରପ୍ରାପ୍ତ ପୁଲିସ ଡିଜି ସଂଜୀବ ମାରିକ କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ନିୟମ ପୂରା ସ୍ପଷ୍ଟ। ଯେଉଁଦିନ ଡାକ୍ତରଖାନାକୁ ପୁଲିସ ଶବ ନେଇ ଯାଉଛି, ସେହିଦିନ ବ୍ୟବଚ୍ଛେଦ କରି ରିପୋର୍ଟ ସମ୍ପୃକ୍ତ ପୁଲିସଙ୍କୁ ଡାକ୍ତର ଦେବାକଥା। ବ୍ୟବଚ୍ଛେଦ ରିପୋର୍ଟରେ ଥିବା କନକ୍ଲୁଜନରେ ଡାକ୍ତର ସର୍ବାଧିକ ୭ରୁ ୮ ଧାଡ଼ି ଲେଖିବାକୁ ପଡ଼େ। କିନ୍ତୁ ଡାକ୍ତରଙ୍କ ଢିଲାପଣ ଯୋଗୁଁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ବିଳମ୍ବ ହେଉଛି। ଭେସେରା କିମ୍ବା ଡାଏଟମ୍ ପରୀକ୍ଷା ରିପୋର୍ଟ ଫରେନ୍‌ସିକ୍ ସାଇନ୍ସ ଲାବରେଟୋରିରୁ ସର୍ବାଧିକ ୧୫ ଦିନ ଭିତରେ ହୋଇଯିବା କଥା। କିନ୍ତୁ ସେଠି ରିପୋର୍ଟ ୮ ମାସରୁ ଅଧିକ କାଳ ପଡ଼ିରହୁଛି। ୨୦୦୧ରେ ଯେତେବେଳେ ସମ୍ବଲପୁର ରେଞ୍ଜ ଡିଆଇଜି ଥିଲେ ସେ ସମୟରେ ସୁରେନ୍ଦ୍ର ସାଏ ମେଡିକାଲ୍ କଲେଜକୁ ପଡ଼ିରହିଥିବା ବ୍ୟବଚ୍ଛେଦ ରିପୋର୍ଟ ତୁରନ୍ତ ପୁଲିସକୁ ଦେବାକୁ ଚିଠି ଲେଖିଥିଲେ। ଚିଠି ଲେଖିବା ପରେ ତୁରନ୍ତ ରିପୋର୍ଟ ମିଳିଥିଲା। ବ୍ୟବଚ୍ଛେଦ ରିପୋର୍ଟ ବିଳମ୍ବରେ ଆସୁଥିବାରୁ ମାମଲାର ତଦନ୍ତ ବିଳମ୍ବ ସହିତ କୋର୍ଟରେ ଶୁଣାଣି ପ୍ରକ୍ରିୟାରେ ବି ବିଳମ୍ବ ହେଉଛି। ଅନେକ ମାମଲାରେ ପ୍ରାଥମିକ ଭାବେ ଅପମୃତ୍ୟୁ ମାମଲା ପୁଲିସ ରୁଜୁ କରିଥାଏ। କିନ୍ତୁ ପରେ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଏହା ହତ୍ୟା ମାମଲାକୁ ବଦଳିଯାଏ। ବ୍ୟବଚ୍ଛେଦ ରିପୋର୍ଟ ତୁରନ୍ତ ନ ଆସିଲେ ହତ୍ୟା ମାମଲାର ଅନେକ ପ୍ରମାଣ ନଷ୍ଟ ହୋଇଯାଉଥିବା ଶ୍ରୀ ମାରିକ କହିଛନ୍ତି।

ସମ୍ବନ୍ଧିତ ଖବର