ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସମ୍ବଲପୁର ଜିଲ୍ଲାର ଥାନାଧିକାରୀ ଅନିତା ପ୍ରଧାନଙ୍କୁ ଧକ୍‌କା ମାରିବା ପ୍ରସଙ୍ଗ ବେଳକୁ ବେଳ ଉଗ୍ର ରୂପ ନେବାରେ ଲାଗିଛି। ଶାସକ ଓ ବିରୋଧୀ ପରସ୍ପର ମୁହାଁମୁହିଁ ସ୍ଥିତିରେ। ଜୟ ନାରାୟଣଙ୍କ ପାଇଁ ବିଜେପି ବିଧାୟକମାନେ ଏକାଠି ହୋଇଛନ୍ତି। ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଅଭିଯୋଗ କରିଛନ୍ତି ଯେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଯୋଗୁ ରାଜ୍ୟରେ ଅରାଜକତା ସୃଷ୍ଟି ହୋଇଛି। ରାଜ୍ୟବାସୀଙ୍କ ସୁରକ୍ଷା ଦେବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଛନ୍ତି। ତେଣୁ ସେ ନିଜ ପଦରୁ ଇସ୍ତଫା ଦେବାକୁ ବିଧାୟକମାନେ ଦାବି କରିଥିଲେ। କେବଳ ସେତିକି ନୁହେଁ, ରାଜଭବନରୁ ବାହାରି ବିଧାୟକମାନେ ଚାଲି ଚାଲି ଏକ ଶୋଭାଯାତ୍ରାରେ କ୍ୟାପିଟାଲ୍‌ ଥାନା ଯାଇଥିଲେ। ସେଠାରେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ବିରୋଧରେ ବିଧାୟକ ମୁକେଶ ମହାଲିଙ୍ଗ ଏତଲା ଦେଇଥିଲେ। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ଅରୂପ ପଟ୍ଟନାୟକ ବିରୋଧୀ ଦଳ ନେତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ସହ ଖୋଲାଖୋଲି ହତ୍ୟା ଧମକ ଦେଇଛନ୍ତି। ଏହା ବିଜେଡିର ଅସଲ ଚେହେରା ପଦାରେ ପକାଇ ଦେଇଛି। ଶ୍ରୀ ପଟ୍ଟନାୟକଙ୍କୁ ତୁରନ୍ତ ଗିରଫ କରିବାକୁ ବିଧାୟକମାନେ ଦାବି କରିଥିଲେ।

Advertisment

ଜୟଙ୍କ ସପକ୍ଷରେ ବାହାରିଲା ବିଜେପି, ଅରୂପଙ୍କ ବିରୋଧରେ ଏତଲା
ଯୁବମୋର୍ଚ୍ଚାର ଧମକ, ରାଜ୍ୟସାରା ଆନ୍ଦୋଳନ କରିବୁ
ବିରୋଧୀ ଦଳ ନେତାଙ୍କ ଘର ସାମ୍ନାରେ କିନ୍ନରଙ୍କ ବିକ୍ଷୋଭ
ଝିଅ ଶୁଭଶ୍ରୀ କିନ୍ନରଙ୍କୁ ମିଠା ଦେଲେ, ରାଜନୀତି କରିବେ କହିଲେ
ବିଜେଡି ବି ଗର୍ଜିଲା, ଜୟନାରାୟଣଙ୍କ ପାଇଁ ସୁରକ୍ଷା ମାଗିବା ହାସ୍ୟାସ୍ପଦ
ଜୟନାରାୟଣଙ୍କ ବିରୋଧରେ ରହିଛି ୧୬ଟି ଅପରାଧିକ ମାମଲା

publive-image

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ବିଜେପି ଯୁବ ମୋର୍ଚ୍ଚା ଘୋଷଣା କରିଛି। ମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶା ପୁଲିସ ବିଜୁ ଜନତା ଦଳର କର୍ମୀ ସାଜିଛନ୍ତି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ ବୋଲି ଆଚାର୍ଯ୍ୟ କହିଛନ୍ତି। ଏହା ସହ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

publive-image

ଅନ୍ୟପକ୍ଷରେ ଜୟ ନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଥମିନାହିଁ। ଶୁକ୍ରବାର ସକାଳେ ମା’ମଙ୍ଗଳା କିନ୍ନର ସଂଘ ପକ୍ଷରୁ ଜୟ ନାରାୟଣଙ୍କ ୟୁନିଟ୍‌-୧ସ୍ଥିତ ସରକାରୀ ବାସଭବନ ସାମ୍ନାରେ ବିକ୍ଷୋଭ କରାଯାଇଥିଲା। ପରୀ କିନ୍ନର ଓ ନମିତା କିନ୍ନରଙ୍କ ନେତୃତ୍ବରେ ଶତାଧିକ କିନ୍ନର ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ହାତରେ ବିଭିନ୍ନ ଦାବି ଥିବା ପ୍ଲାକାର୍ଡ ଧରି ନାରାବାଜି କରି ବିରୋଧୀ ଦଳ ନେତାଙ୍କ ବାସଭବନ ଆଡ଼କୁ ଯାଇଥିଲେ। ସେଠାରେ ପହଞ୍ଚି ବିଧାୟକଙ୍କ ଇସ୍ତଫା ଦାବି କରିବା ସହ କ୍ଷମା ପ୍ରାର୍ଥନା ପାଇଁ ହୋହଲ୍ଲା କରିଥିଲେ। ସଂଘ ପକ୍ଷରୁ କ୍ଷୋଭର ସହ କୁହାଯାଇଥିଲା ଯେ, ଜଣେ କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଗଣତାନ୍ତ୍ରିକ ରାଷ୍ଟ୍ର ଲାଗି ଲଜ୍ଜା। ଏହାକୁ ସଂଘ ଘୋର ନିନ୍ଦା କରୁଛି। ନୈତିକତା ଦଷ୍ଟିରୁ ବିଧାୟକ କ୍ଷମା ମାଗିବା ସହ ପଦରୁ ଇସ୍ତଫା ଦିଅନ୍ତୁ, ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ।

publive-image

ଅନ୍ୟପକ୍ଷରେ ଏହି ସମୟରେ ଏକ ରୋଚକ ଚିତ୍ର ଦେଖିବାକୁ ମିଳିଥିଲା। ଘରବାହାରେ ପାଟିଶୁଣି ଜୟନାରାୟଣଙ୍କ ଝିଅ ବାହାରକୁ ଆସିଥିଲେ। ଶୁକ୍ରବାର ଦିନ ଜୟଙ୍କ ଜନ୍ମଦିନ ଥିବାରୁ ସେ ଏତେ ସଂଖ୍ୟାରେ କିନ୍ନରଙ୍କୁ ଦେଖି ଘରୁ ମିଠା ଆଣି ବାଣ୍ଟିଥିଲେ। ଝିଅଙ୍କ ଏଭଳି ବ୍ୟବହାର ଦେଖି ହଠାତ୍‌ କେହି କିଛି ବୁଝିପାରି ନଥିଲେ। କିଛି ସମୟ ପାଇଁ ବାତାବାରଣ ଶାନ୍ତ ପଡ଼ିଯାଇଥିଲା। ବାପାଙ୍କ ଜନ୍ମଦିନରେ ମିଠା ବାଣ୍ଟିବା କଥା ଜାଣିବା ପରେ କିନ୍ନର ସଂଘ ବିଧାୟକଙ୍କୁ ଆଶୀର୍ବାଦ କରିଥିଲା। ସେହି ସମୟରେ ଶ୍ରୀ ମିଶ୍ର ବାସଭବନରେ ନଥିଲେ। ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ, ଆମ ସଂସ୍କୃତିରେ କିନ୍ନରଙ୍କୁ ଶିବଶକ୍ତି ଭାବେ ଧରାଯାଏ। ଆଜି ବାପାଙ୍କ ଜନ୍ମଦିନ। ତେଣୁ କାହାରିକୁ ନ ଖୁଆଇ ଫେରାଇବା ସଂସ୍କୃତି ନୁହେଁ। ମୁଁ କିନ୍ନରଙ୍କୁ ବିରୋଧୀ ଭାବେ ଦେଖିନି। ଆମ ସଂସ୍କୃତିକୁ ପାଳନ କରି ମୁଁ ସେମାନଙ୍କୁ ମିଠା ଦେଇଥିଲି। ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ପ୍ରସଙ୍ଗରେ ଶୁଭଶ୍ରୀ କହିଥିଲେ, ସେଠାରେ ଧସ୍ତାଧସ୍ତି ହେଲା। ବାପାଙ୍କ ଦେହ ବହୁତ ଦିନ ହେଲା ଖରାପ। ମହିଳା ଆଇଆଇସି ଗୋଡ଼ରେ ଚଢ଼ିଯିବାରୁ ବାପା ଦୂରେଇ ଦେଇଥିଲେ। ସେ କେବେ ବି ମହିଳାଙ୍କ ପ୍ରତି ଖରାପ ଆଚରଣ ଦେଖାନ୍ତି ନାହିଁ। ବାପା କେବେ କୌଣସି ଅପରାଧ କରିନାହାନ୍ତି। ତାଙ୍କ ବିରୋଧରେ ବିଜେଡିର ଏହା ଅପ୍ରପଚାର। ସେ ଲୋକଙ୍କ ନେତା, ଲୋକଙ୍କ ପାଇଁ ଯାହା କରନ୍ତି। ଏହି ଅବସରରେ ସେ ରାଜନୀତି କରିବେ ବୋଲି ସୂଚନା ଦେଇଥିଲେ। ତେବେ ଲୋକ ଚାହିଁଲେ ଯାଇ ସେ ରାଜନୀତି କରିବେ ବୋଲି ଜଣାଇଥିଲେ।

ଅନ୍ୟପଟେ ଜୟ ନାରାୟଣ ମିଶ୍ରଙ୍କୁ ସୁରକ୍ଷା ଦେବାକୁ ବିଜେପିର ଦାବିକୁ ବିଜେଡି ହସରେ ଉଡ଼ାଇ ଦେଇଛି। ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ବିରୋଧରେ ହତ୍ୟା ସମେତ ୧୬ଟି ଅପରାଧିକ ମାମଲା ରହିଛି। ଏଭଳି ଅପରାଧୀ କେବଳ ଜଣେ ବିଧାୟକ ଓ ବିଜେପି ଦ୍ୱାରା ମନୋନୀତ ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କୁ ପୁଲିସ ସୁରକ୍ଷା ମିଳିଥିଲା। ସେ ନିଜେ ତାଙ୍କର ପୁଲିସ ସୁରକ୍ଷା ଫେରାଇ ଦେଇଥିଲେ। ଏଭଳିସ୍ଥଳେ ବିଜେପି ବିଧାୟକମାନେ ଓଡ଼ିଶା ରାଜ୍ୟପାଳଙ୍କ ନିକଟକୁ ଯାଇ ଶ୍ରୀ ମିଶ୍ରଙ୍କ ପାଇଁ ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ବରଂ ବିଜେପି ବିଧାୟକମାନେ ତାଙ୍କୁ ଆକ୍ରମଣ କରିଥିବା ମହିଳା ପୁଲିସ ଅଧିକାରୀଙ୍କ ନିକଟରେ କ୍ଷମା ମାଗିବାକୁ ଶ୍ରୀ ମିଶ୍ରଙ୍କୁ କହିବା ଉଚିତ। ଶ୍ରୀମତୀ ଦେଓ କଟାକ୍ଷ କରି ଆହୁରି କହିଥିଲେ ଯେ ଓଡ଼ିଶା ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପରେ ଦୟା ଆସୁଛି। ତାଙ୍କୁ ଶ୍ରୀ ମିଶ୍ରଙ୍କ ଦ୍ବାରା ମାଡ଼ ମରାଯାଇଥିଲା। ଏଥିପାଇଁ ଶ୍ରୀ ମିଶ୍ରଙ୍କୁ ୬ ବର୍ଷ ପାଇଁ ବିଜେପିରୁ ନିଲମ୍ବନ କରାଯାଇଥିଲା। ଏବେ ଖୋଦ୍‌ ସମୀର ମହାନ୍ତିଙ୍କୁ ତାଙ୍କ ଦଳରେ ଏଭଳି ଅପରାଧୀଙ୍କୁ ସହ୍ୟ କରିବାକୁ ପଡ଼ୁଛି।

publive-image

ଶୁକ୍ରବାର ଦିନ ରାଜ୍ୟପାଳଙ୍କୁ ଭେଟି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ରାଜ୍ୟ ସରକାରଙ୍କର ହାତବାରିସୀ ସାଜିଥିବା ଓଡ଼ିଶା ପୁଲିସର ଦମନ, ଅତ୍ୟାଚାର ଓ ଦୌରାତ୍ମ୍ୟ ସମସ୍ତ ସୀମା ଲଂଘିଲାଣି। ରାଜନୈତିକ ହତ୍ୟାକାଣ୍ଡର ତଦନ୍ତରେ ପକ୍ଷପାତିତା ଯୋଗୁ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ଷଡ଼ଯନ୍ତ୍ରକୁ ଭେଦ କରିବାକୁ ପୁଲିସ ପ୍ରଶାସନ ଅସମର୍ଥ। ଓଡ଼ିଶାରେ ସାଧାରଣ ଲୋକ ନ୍ୟାୟ ପାଇଁ ଥାନାକୁ ଗଲେ ପୁଲିସ ଏତଲା ରଖୁନି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବିଜେପିର ପ୍ରତିବାଦ ବିକ୍ଷୋଭ ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମ୍ବଲପୁରଠାରେ ଜଣେ ମହିଳା ପୁଲିସ ଆଇଆଇସିଙ୍କୁ ଲଗାଇ ତାଙ୍କୁ ଧକ୍କା ମରାଗଲା ଓ ଗୋଡ଼ ଚକଟି ଦିଆଗଲା। ଏହା ପରେ ଶ୍ରୀ ମିଶ୍ରଙ୍କୁ ମାରଣାନ୍ତକ ଆକ୍ରମଣ କରିବା ସହ ସମ୍ବଲପୁର ସର୍କିଟ୍ ହାଉସ୍‌ରେ ଶାସକ ବିଜେଡି କର୍ମୀ ହଙ୍ଗାମା ଓ ଭଙ୍ଗାରୁଜା କରିଥିଲେ। କିନ୍ତୁ ପୁଲିସ ବିଜେଡି ଦଳର କର୍ମୀମାନଙ୍କ ବିରୋଧରେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ଏସବୁ ଘଟଣାରେ ଖୋଦ୍‌ ଗୃହ ବିଭାଗର ମୁଖ୍ୟ ନବୀନ ବାବୁଙ୍କ ନିରବତା ରାଜ୍ୟବାସୀଙ୍କୁ ଚକିତ ଓ ଆଶ୍ଚର୍ଯ୍ୟ କରୁଛି।

ପୁଲିସ ଦ୍ୱାରା ମନ୍ତ୍ରୀ ନବ ଦାସଙ୍କର ହତ୍ୟା ପରେ ନିଜର ସୁରକ୍ଷା ନିମନ୍ତେ ରାଜ୍ୟ ପୁଲିସ ଉପରେ ଭରସା ନ କରି ବିରୋଧୀ ଦଳ ନେତା ପୁଲିସ ବିଭାଗର ପିଏସ୍‌ଓଙ୍କୁ ଦାୟିତ୍ୱରୁ ହଟାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ସୈାଜନ୍ୟମୂଳକଭାବେ ଏସମ୍ପର୍କରେ କୌଣସି ଉଚ୍ଚପଦସ୍ଥ ପୁଲିସ୍ ଅଧିକାରୀ ଶ୍ରୀ ମିଶ୍ରଙ୍କ ସହ କଥା ନହୋଇ ଦାୟିତ୍ୱହୀନତା ପରିଚୟ ଦେଇଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ରାଜ୍ୟବାସୀଙ୍କୁ ଅସୁରକ୍ଷିତ କରିଛି। ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ବିଧାୟକ ସୁକାନ୍ତ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ଶଙ୍କର ଓରାମ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ସନାତନ ବିଜୁଳି, ଗଣେଶରାମ ଖୁଂଟିଆ, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ବୁଧାନ ମୁର୍ମୁ, ନବଚରଣ ମାଝୀ ଓ ସୂରଜ ସୂର୍ଯ୍ୟବଂଶୀ ପ୍ରମୁଖ ଉପସ୍ଥିତ ଥିଲେ।