ଦେବଗଡ଼ : ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ। ଏହି ଦାବିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା ପଞ୍ଚାୟତବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ଫଳରେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିପାରି ନଥିଲେ। ପ୍ରାର୍ଥୀ ନଥିବା ଆସନ ପାଇଁ ଆଜିଠାରୁ ପୁଣିଥିରେ ନାମାଙ୍କନ ଦାଖଲ ଆରମ୍ଭ ହେଉଛି। ମାତ୍ର ନାମାଙ୍କନପତ୍ର ଦାଖଲ ନ କରିବା ଜିଦ୍‌ରେ ଅଟଳ ରହିଛନ୍ତି। ଉକ୍ତ ୫ ପଞ୍ଚାୟତର ଜନସାଧାରଣଙ୍କୁ ନେଇ ଝରାଗୋଗୁଆ ଖେଳପଡ଼ିଆରେ ପୁଣିଥରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ନେଟ୍‌ୱାର୍କ ନାହିଁ ତ ଭୋଟ୍‌ ନାହିଁ ବୋଲି ପଂଚାୟତବାସୀ ନିଷ୍ପତ୍ତି ନେବା ସହିତ କେହି ନାମାଙ୍କନ ଭରିବେ ନାହିଁ କି ମତଦାନ ମଧ୍ୟ କରିବେ ନାହିଁ ବୋଲି କହିଥିଲେ।

Advertisment

ଏହି ଅଞ୍ଚଳରେ ମୋବାଇଲ ନେଟୱାର୍କ ଆସୁ ନଥିବାରୁ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ କରୋନା କାଳରେ ଅନଲାଇନ ଶିକ୍ଷା ଏକମାତ୍ର ବିକଳ୍ପ। ମାତ୍ର ନେଟୱାର୍କ ସମସ୍ୟା ଯୋଗୁଁ ଏହି ଅଞ୍ଚଳରେ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ପଞ୍ଚାୟତବାସୀଙ୍କ ଦୁଃଖ ବୁଝିବା ସହିତ ମୋବାଇଲ୍‌ ଟାୱାର ନିର୍ମାଣ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଟାୱାର ନିର୍ମାଣ ନେଇ ତତ୍ପରତା ପ୍ରକାଶ କରିଥିଲେ। ଆସନ୍ତା ୩ ଦିନ ମଧ୍ୟରେ ଏ ନେଇ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା। ରାଜ୍ୟ ସରକାର ଏ ବାବଦରେ ଏକ ଘରୋଇ ଟେଲିକମ୍ ସଂସ୍ଥା ସହିତ ଆଲୋଚନା ମଧ୍ୟ କରିଥିଲେ। ତେବେ ଏହି ସମସ୍ୟା ଖୁବ୍‌ଶୀଘ୍ର ଦୂର ହେବ ବୋଲି ସୂଚନା ମିଳିବା ପରେ ଆନ୍ଦୋଳନରେ ସାମିଲ ହୋଇଥିବା ୫ ପଞ୍ଚାୟତବାସୀ ଖୁସି ପ୍ରକାଶ କରିଥିଲେ। କିନ୍ତୁ ଇତିମଧ୍ୟରେ ମୋବାଇଲ ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିବାରୁ ଉକ୍ତ ୫ ପଂଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୋବାଇଲ ନେଟୱାର୍କ ନ ଆସିବା ଯାଏ ଭୋଟ୍‌ ବର୍ଜନ କରିବେ ବୋଲି ବୋଲି ୫ ପଂଚାୟତବାସୀ ଚେତାବନୀ ଦେଇଛନ୍ତି।