କଟକ: ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମ (ପୋଷ୍ଟ ଗ୍ରାଜୁଏଟ୍/ଡିପ୍ଲୋମା (ମେଡିକାଲ) କୋର୍ସରେ ନାମଲେଖା ପାଇଁ ଇନ୍-ସର୍ଭିସ୍ ପ୍ରାର୍ଥୀଙ୍କ ୩ ବର୍ଷିଆ କାର୍ଯ୍ୟକାଳ ହିସାବକୁ ନେବା ଲାଗି ଧାର୍ଯ୍ୟ କଟ୍-ଅଫ୍ ତାରିଖ ମାର୍ଚ୍ଚ ୩୧କୁ ପରିବର୍ତ୍ତନ ପ୍ରସଙ୍ଗରେ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍ଇଟି) ନିଷ୍ପତ୍ତି ଗ୍ରହଣ କରିବେ। ନଭେମ୍ବର ୨୫ ସୁଦ୍ଧା ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ଡିଏମଇଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୧ର କଟ୍-ଅଫ୍ ତାରିଖ ପରିବର୍ତ୍ତନ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ଡିଏମ୍ଇଟି ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଏଥିସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ.କେ.ଜେନା ଓ ଅନ୍ୟମାନଙ୍କ ତରଫରୁ ଦାୟର ଦୁଇ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୪-୨୫ ବର୍ଷ ପାଇଁ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ୨୦୨୪, ମାର୍ଚ୍ଚ ୩୧ ସୁଦ୍ଧା ୩ ବର୍ଷ ସରକାରଙ୍କ ଅଧୀନରେ କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିବା ଡାକ୍ତରଙ୍କୁ ଇନ୍-ସର୍ଭିସ୍ ପ୍ରାର୍ଥୀ ଭାବେ ଗ୍ରହଣ କରାଯିବ ବୋଲି କାଉନସେଲିଂ ଓ ନାମଲେଖା ନିୟମାବଳୀରେ ଉଲ୍ଲେଖ କରାଯାଇଥିଲା। କଟ୍-ଅଫ୍ ତାରିଖ ପରିବର୍ତ୍ତନ କରାଯିବାକୁ ନେଇ କେତେକ ପ୍ରାର୍ଥୀ ହାଇକୋର୍ଟରେ ଆବେଦନ ଦାୟର କରିଥିଲେ। ନିଟ୍ ପିଜି ପ୍ରଥମେ ୨୦୨୪, ମାର୍ଚ୍ଚ ୩ରେ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଅଗଷ୍ଟ ୧୧ରେ ନିଟ୍ ପିଜି ଅନୁଷ୍ଠିତ ହୋଇଥିବା ବେଳେ ପରୀକ୍ଷାଫଳ ଅଗଷ୍ଟ ୨୩ରେ ପ୍ରକାଶ ପାଇଥିଲା। କାଉନସେଲିଂ ଓ ନାମଲେଖା ନିୟମାବଳୀରେ ୨୦୨୪, ମାର୍ଚ୍ଚ ୩୧ ସୁଦ୍ଧା ୩ ବର୍ଷ ସରକାରଙ୍କ ଅଧୀନରେ କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିବା ଡାକ୍ତରଙ୍କୁ ଇନ୍-ସର୍ଭିସ୍ ପ୍ରାର୍ଥୀ ଭାବେ ଗ୍ରହଣ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା।
ଇନ୍-ସର୍ଭିସ୍ ପ୍ରାର୍ଥୀଙ୍କ ପାଇଁ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ସ୍ବତନ୍ତ୍ର ସୁବିଧା ରହିଛି। ସରକାରଙ୍କ ଅଧୀନରେ ଆବେଦନକାରୀଙ୍କ କାର୍ଯ୍ୟକାଳ ଅବଧି ମାର୍ଚ୍ଚ ୩୧ ସୁଦ୍ଧା ୩ ବର୍ଷ ହେଉ ନଥିବା ବେଳେ କଟ୍-ଅଫ୍ ତାରିଖରେ ପରିବର୍ତ୍ତନ ପାଇଁ ଏହି ଆବେଦନରେ ଅନୁରୋଧ କରାଯାଇଥିଲା। ନିଟ୍ ପିଜି ଓ ସର୍ବଭାରତୀୟ କାଉନସେଲିଂ ଅନୁସୂଚୀରେ ପରିବର୍ତ୍ତନ ଅନୁସାରେ ମାର୍ଚ୍ଚ ୩୧ କଟ୍-ଅଫ୍ ତାରିଖରେ ପରିବର୍ତ୍ତନ କରାଯାଇ ପାରିବ ବୋଲି କାଉନସେଲିଂ ଓ ନାମଲେଖା ନିୟମାବଳୀରେ ଉଲ୍ଲେଖ କରାଯାଇଥିବା ନେଇ ଆବେଦନକାରୀ ଶୁଣାଣି ସମୟରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାଉନସେଲିଂ ଓ ନାମଲେଖା ନିୟମାବଳୀରେ ରହିଥିବା ଏ ସଂପର୍କିତ ଉଲ୍ଲେଖକୁ ବିଚାରକୁ ନେଇ କଟ୍-ଅଫ୍ ତାରିଖରେ ପରିବର୍ତ୍ତନ କରାଯାଉ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।
ଅନ୍ୟପକ୍ଷରେ କଟ୍-ଅଫ୍ ତାରିଖ ପରିବର୍ତ୍ତନକୁ ବିରୋଧ କରି ସରକାରଙ୍କ ଅଧୀନରେ ୩ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରି ଆସୁଥିବା କେତେକ ଡାକ୍ତର ହାଇକୋର୍ଟରେ ଇଣ୍ଟର୍ଭେନର୍ ପିଟିସନ୍ ଦାଖଲ କରିଥିଲେ। ସେମାନେ ଇନ୍-ସର୍ଭିସ୍ ପ୍ରାର୍ଥୀ ଭାବେ ଯୋଗ୍ୟତା ଅର୍ଜନ କରିବା ପୂର୍ବରୁ କରୋନା ମହାମାରୀ ସମୟରେ ସରକାରଙ୍କ ଅଧୀନରେ ଚୁକ୍ତିଭିତ୍ତିକ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ପରବର୍ତ୍ତୀ ସମୟରେ ସଫଳ ହୋଇ ପୁଣି ସରକାରଙ୍କ ଅଧୀନରେ ନିଯୁକ୍ତି ପାଇଥିଲେ। ଯଦି ମାର୍ଚ୍ଚ ୩୧ର କଟ୍-ଅଫ୍ ତାରିଖ ପରିବର୍ତ୍ତନ କରାଯାଏ ତେବେ କରୋନା ସମୟରେ କାର୍ଯ୍ୟ କରି ନଥିବା ପ୍ରାର୍ଥୀ ସୁଯୋଗ ପାଇବେ। ଇନ୍-ସର୍ଭିସ୍ ପ୍ରାର୍ଥୀ ଭାବେ ଇଣ୍ଟର୍ଭେନର୍ ଡାକ୍ତରମାନଙ୍କ ରୢାଙ୍କ୍ ତଳକୁ ଖସି ଯିବ। ଫଳରେ ସେମାନେ ଭଲ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମରେ ନାମଲେଖାରୁ ବଞ୍ଚିତ ହେବେ ବୋଲି ଇଣ୍ଟର୍ଭେନର୍ଙ୍କ ତରଫରୁ ହାଇକୋର୍ଟରେ ଦର୍ଶାଯାଇଥିଲା। କାଉନସେଲିଂ ଓ ନାମଲେଖା ନିୟମାବଳୀରେ ଉଲ୍ଲେଖ ଥିବା ତଥ୍ୟକୁ ବିଚାରକୁ ନେଇ ଡିଏମଇଟିଙ୍କ ତରଫରୁ କଟ୍-ଅଫ୍ ତାରିଖ ପରିବର୍ତ୍ତନ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିଏମଇଟିଙ୍କ ତରଫରୁ ଆଇନଜୀବୀ ଆର.ସି.ମହାନ୍ତି ଓ ଇଣ୍ଟର୍ଭେନର୍ଙ୍କ ପକ୍ଷରୁ ଆଇନଜୀବୀ ବିଭୂତିଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2024/06/1656670434_doctor-1.jpg)