ନାଲ୍‌କୋକୁ କୋଇଲା ଯୋଗାଣ ପ୍ରସଂଗ: ପ୍ରକୃତ ପରିମାଣ ନେଇ ଏମ୍‌ସିଏଲ୍‌ ଦେବ ସତ୍ୟପାଠ

କଟକ : ହାଇକୋର୍ଟଙ୍କ ଏପ୍ରିଲ ୨୭ର ନିର୍ଦ୍ଦେଶ ପରେ ନାଲ୍‌କୋକୁ କୋଇଲା ଯୋଗାଣ ପରିମାଣ ସଂକ୍ରାନ୍ତରେ ଦୁଇଟି ସତ୍ୟପାଠ ଦାଖଲ କରାଯାଇଛି। ଏ ନେଇ ଆବେଦନକାରୀ ନାଲକୋ ଅଫିସର୍ସ ଆସୋସିଏସନ୍ ଓ ନାଲକୋ ପକ୍ଷରୁ ପୃଥକ ସତ୍ୟପାଠ ହାଇକୋର୍ଟରେ ଦାଖଲ କରାଯାଇଛି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନାଲ୍‌କୋକୁ ପ୍ରକୃତରେ କେତେ ପରିମାଣର କୋଇଲା ଏମ୍‌ସିଏଲ୍‌ ଯୋଗାଣ କରିଛି ସେ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି। ଏ ନେଇ ଏମ୍‌ସିଏଲ୍‌ ଦାଖଲ କରିବାକୁ ଥିବା ସତ୍ୟପାଠ ଉପରେ ଜବାବ ରଖି ନାଲ୍‌କୋ ଅତିରିକ୍ତ ସତ୍ୟପାଠ ଦାଖଲ କରି ପାରିବ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୫କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ନାଲ୍‌କୋ ଅଫିସର୍ସ ଆସୋସିଏସନ୍ ପକ୍ଷରୁ ଦାୟର ଜନସ୍ବାର୍ଥମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୫ରେ ହାଇକୋର୍ଟ ନାଲ୍‌କୋ ଅଫିସର୍ସ ଆସୋସିଏସନ୍ ମାମଲାର ଶୁଣାଣି କରି କେନ୍ଦ୍ର ସଚିବ, ଶକ୍ତି ସଚିବ, କୋଇଲା ସଚିବ, ଖଣି ସଚିବ, ରେଲୱେ ବୋର୍ଡ ଅଧ୍ୟକ୍ଷ, ଏମ୍‌ସିଏଲ୍‌ ଓ ନାଲ୍‌କୋ ସିଏମ୍‌ଡିଙ୍କ ମିଳିତ ବୈଠକ କରି ସଂକଟ ଦୂର ଲାଗି ବାଟ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏପ୍ରିଲ ୨୫ର ନିର୍ଦ୍ଦେଶ ପାଳନ କରି ଏପ୍ରିଲ ୨୬ ତାରିଖ ଦିନ ୧୨ଟ‌ାରେ କେନ୍ଦ୍ର ଶକ୍ତି ସଚିବ, କୋଇଲା ସଚିବ, ଖଣି ସଚିବ, ରେଲୱେ ବୋର୍ଡ ଅଧ୍ୟକ୍ଷ, ଏମ୍‌ସିଏଲ୍‌ ସିଏମ୍‌ଡି ଓ ନାଲକୋ ସିଏମ୍‌ଡି ଓ ସଂପୃକ୍ତ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନା‌ଲ୍‌କୋକୁ କୋଇଲା ଯୋଗାଣ କ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟା ସଂପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବା ପରେ କେତେକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ କରି ନାଲ୍‌କୋକୁ କୋଇଲା ଯୋଗଣ କରାଯିବ ବୋଲି ହାଇକୋର୍ଟ ଏପ୍ରିଲ ୨୭ରେ ନିର୍ଦ୍ଦେଶ ଦେଇଥିଲେ। ନାଲ୍‌କୋ ଅଫିସର୍ସ ଆସୋସିଏସନ୍ ତରଫରୁ ଆଇନଜୀବୀ ସୁବିର ପାଲିତ୍‌ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅମିତାଭ ମିଶ୍ର ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର