ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରସଙ୍ଗରେ ବିଳମ୍ବ ଅଭିଯୋଗ: ତ୍ୱରିତ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଅପରାଧିକ ଘଟଣାର ଶିକାର ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଂଗରେ ବିଳମ୍ବକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରସଙ୍ଗରେ ତ୍ବରିତ ପଦକ୍ଷେପ ଗ୍ରହଣ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ବିଭିନ୍ନ ସ୍ତରରେ ଆଇନ ସେବା ପ୍ରାଧିକରଣଗୁଡ଼ିକୁ ଯଥେଷ୍ଟ ଟଙ୍କା ମଞ୍ଜୁର କ୍ଷେତ୍ରରେ ନିଷ୍କ୍ରିୟତା ପ୍ରସଂଗରେ ସରକାରଙ୍କୁ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି। ଏହି ପ୍ରସଂଗରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଏଜିଏଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପରି ପ୍ରସଂଗକୁ ନେଇ ସରକାରଙ୍କ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସହିତ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବାକୁ ଆଡଭୋକେଟ୍‌ ଜେନେରାଲଙ୍କୁ ହାଇକୋର୍ଟ କହିଛନ୍ତି। ଏଥିସହିତ ଆବେଦନକାରୀ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଂଗକୁ ନେଇ ବିଚାରାଧୀନ ଦରଖାସ୍ତ ଉପରେ ତିନି ମାସ ଭିତରେ ପଦକ୍ଷେପ ନେବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ସି.ଆର୍‌. ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଅପରାଧିକ ଘଟଣାର ପୀଡ଼ିତାଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର