ଦିବ୍ୟାଙ୍ଗଙ୍କୁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ପ୍ରସଂଗ : ୬ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ: ହାଇକୋର୍ଟ

ଭୁବନେଶ୍ବର : ସରକାରୀ ଚାକିରିରେ ଦିବ୍ୟାଙ୍ଗଙ୍କୁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ପ୍ରସଂଗରେ ଆଇନ ଅନୁସାରେ ୬ ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆର୍‌ପିଡବ୍ଲୁଡି ଆକ୍ଟ,୨୦୧୬ ଅନୁସାରେ ସର୍ବଭାରତୀୟସ୍ତରରେ ଦିବ୍ୟାଙ୍ଗଙ୍କୁ ପଦୋନ୍ନତି କ୍ଷେତ୍ରରେ ୪ପ୍ରତିଶତ ସଂରକ୍ଷଣ ଦେବା ପ୍ରସଂଗରେ ଆବେଦନରେ ଉଲ୍ଲେଖ କରାଯାଇଥିବା ତଥ୍ୟ ସହିତ ସୁପ୍ରିମକୋର୍ଟଙ୍କ ରାୟ ଆଧା‌ରରେ ସରକାର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏପରି ରାୟକୁ ରାଜ୍ୟ ବିକଳାଙ୍ଗ ମଞ୍ଚ ପକ୍ଷରୁ ସ୍ବାଗତ କରାଯାଇଛି। ପଦୋନ୍ନତି କ୍ଷେତ୍ରରେ ଦିବ୍ୟାଙ୍ଗ ପାଇଁ ସଂରକ୍ଷଣ ନିୟମ ଲାଗୁ ହେଲେ, ରାଜ୍ୟରେ ହଜାର ହଜାର ଦିବ୍ୟାଙ୍ଗ ସରକାରୀ ଚାକିରିଆ ଉପକୃତ ହେବେ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୧୩ ଡିସେମ୍ବର ୩ରେ ଓଡ଼ିଶା ସରକାର ଦିବ୍ୟାଙ୍ଗ ସରକାରୀ ଚାକିରିଆଙ୍କ ପଦୋନ୍ନତି ପାଇଁ ଏକ ନିୟମ ପ୍ରଣୟନ କରିଥିଲେ। ମାତ୍ର ତାହା ପୂ୍ର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରିନଥିଲ। ତେବେ ୨୦୧୭ ସେପ୍ଟେମ୍ବର ୫ରେ ରାଜ୍ୟ ସରକାର ଏକ ରିଜୋଲ୍ୟୁସନ୍‌ ଆଗତ କରି ଏହା ସମେତ ୨୦୧୬ରେ କେନ୍ଦ୍ର ଦ୍ବାରା ଲାଗୁ ହୋଇଥିବା ଆର୍‌ପିଡବ୍ଲୁଡି ଆକ୍ଟକୁ ବି ମୂଳରୁ ଉଚ୍ଛେଦ କରିଦେଇଥି‌ଲେ। ଏହାକୁ ବିରୋଧ କରି କିଛି ଦିବ୍ୟାଙ୍ଗ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର(ଏଏସ୍‌ଓ) ୨୦୨୦ ମାର୍ଚ୍ଚ ୨୫ ତାରିଖରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୬ ଜୁନ୍ ୩୦ରେ ସୁପ୍ରିମକୋର୍ଟ ‘ରାଜୀବ ଗୁପ୍ତା ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ’ ମାମଲା ଓ ‘ସିଦ୍ଧରାଜୁ ବନାମ ୟୁନିଅନ୍ ଅଫ୍ ଇଣ୍ଡିଆ ଆଣ୍ଡ୍ ଅଦର୍ସ’ ମାମଲାର ବିଚାର କରି ଦିବ୍ୟାଙ୍କ କର୍ମଚାରୀଙ୍କୁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ସର୍ବଭାରତୀୟ ସ୍ତର(ବିଭାଗ କ,ଖ,ଗ,ଘ)ରେ ଦିବ୍ୟାଙ୍ଗଙ୍କ ପାଇଁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଦେବାକୁ ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଥିଲେ। ମାତ୍ର ଓଡ଼ିଶା ସରକାରଙ୍କ ରାଜ୍ୟ ଭିନ୍ନକ୍ଷମ ସଚିବ ଏହାକୁ ଅଣଦେଖା କରିଆସୁଛନ୍ତି ବୋଲି ଅଭିଯୋଗ ହୋଇଛି। ତେଣୁ କୋର୍ଟଙ୍କ ନିଷ୍ପତ୍ତି ପାଳନ କରିବା ତଥା ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ପୂର୍ବରୁ ଜାରି ନିୟମକୁ ପୁନର୍ବାର ଲାଗୁ କରାଯାଉ ବୋଲି ମଞ୍ଚ ଦାବି କରିଛି।

ସମ୍ବନ୍ଧିତ ଖବର