କଟକ : ରାଷ୍ଟ୍ରୀୟ ନବନିର୍ମାଣ ପାର୍ଟିକୁ ରାଜନୈତିକ ଦଳର ମାନ୍ୟତା ମିଳିଥିଲେ ମଧ୍ୟ ଦଳୀୟ ନିର୍ବାଚନ ସଂକେତ ପ୍ରଦାନ କରାଯାଉ ନାହିଁ। ଏଭଳି ଅଭିଯୋଗ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ଆବେଦନକାରୀଙ୍କୁ ଭାରତୀୟ ନିର୍ବାଚନ କମିସନଙ୍କ ନିକଟରେ ସାନି ଦାବିପତ୍ର ଏକମାସ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦାବିପତ୍ର ପାଇବାର ତିନିମାସ ଭିତରେ ନିର୍ବାଚନ କମିସନ୍ ଏହି ପ୍ରସଙ୍ଗରେ ଆଇନ ଅନୁସାରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ୍ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଷ୍ଟ୍ରୀୟ ନବନିର୍ମାଣ ପାର୍ଟିର ସଭାପତି ଶ୍ରୀହରି ପଟ୍ଟନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାରୁ ପ୍ରକାଶ ଯେ ୨୦୧୩ରେ ଆବେଦନକାରୀଙ୍କ ଏହି ରାଜନୈତିକ ଦଳ ଗଠନ ହୋଇଥିଲା। ୨୦୧୪ରେ ଏହାକୁ ନିର୍ବାଚନ କମିସନ୍ ରାଜନୈତିକ ଦଳର ମାନ୍ୟତା ପ୍ରଦାନ କରିଥିଲେ। କିନ୍ତୁ ନିର୍ବାଚନରେ ଲଢିବା ପାଇଁ ଆବେଦନକାରୀ ଓ ତାଙ୍କ ପାର୍ଟିକୁ ନିର୍ବାଚନ ସଂକେତ ପ୍ରଦାନ କରାଯାଇ ନଥିଲା। ଏହା ଇଲେକ୍ସନ୍ ସିମ୍ବଲ୍ (ରିଜର୍ଭେସନ୍ ଆଣ୍ଡ ଆଲଟମେଣ୍ଟ) ଅର୍ଡର, ୧୯୬୮ ଓ ସଂଶୋଧିତ ନିର୍ଦ୍ଦେଶନାମା ୨୦୧୫ର ଉଲ୍ଲଂଘନ ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇଜଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଥିଲେ।