ଭିସୁଟ୍‌ର ୧୨ ଛାତ୍ରଙ୍କୁ ବହିଷ୍କାର ପ୍ରସଂଗ: ଦଣ୍ଡ କୋହଳ ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ଅଭିଭାବକ

ବୁର୍ଲା : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଗତ ସେପ୍ଟେମ୍ବର ୨୨ ତାରିଖରେ ଘଟିଥିବା ଛାତ୍ରଙ୍କୁ ମାଡ଼ପିଟ ଘଟଣାର ତଦନ୍ତ କରି କର୍ତ୍ତୃପକ୍ଷ ୧୨ ଜଣ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ୧୨ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ୨ ବର୍ଷ ଲେଖାଏଁ ଏବଂ ବାକି ୧୦ ଜଣଙ୍କୁ ବର୍ଷେ ଲେଖାଏଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରି‌ଥିଲେ। ତେବେ ଏହି ଘଟଣାରେ ଦଣ୍ଡିତ ଛାତ୍ରଙ୍କ କ୍ୟାରିୟର୍‌କୁ ନେଇ ଅଭିଭାବକ ମାନେ ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି। କିଛି ଅଭିଭାବକ କାର୍ଯ୍ୟନୁଷ୍ଠାନର ପୁନଃବିଚାର କରି ଦଣ୍ଡ କୋହଳ କରିବାକୁ ଭିସୁଟ୍‌ କୁଳପତିଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ପୂର୍ବରୁ ମଧ୍ୟ ସେମାନେ କୁଳପତିଙ୍କୁ ଭେଟି ଏହି ଘଟଣାରେ ଲିଖିତ କ୍ଷମା ପ୍ରାର୍ଥନା କରିବା ସହ ଛାତ୍ରଙ୍କ କ୍ୟାରିୟର୍‌କୁ ଦୃଷ୍ଟିରେ ରଖି ଦଣ୍ଡ କୋହଳ କରିବାକୁ ଅନୁରୋଧ କରିଥିଲେ। ଏଥି ସହିତ ଅଭିଭାବକ ମାନେ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଛନ୍ତି।

ଅଭିଭାବକମାନେ ସରକାର ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗତ ସେପ୍ଟେମ୍ବର ୨୨ ତାରିଖରେ ଭିସୁଟର ଏକ ଛାତ୍ରାବାସରେ ବଡ଼ ଧରଣର ଗଣ୍ଡଗୋଳ ଘଟିଥିଲା। ପ୍ରେମ ଜନିତ କାରଣରୁ ତୃତୀୟ ବର୍ଷର ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦୁଇ ଛାତ୍ରଙ୍କୁ ଝଗଡ଼ାରୁ ନିବୃତ୍ତ କରିବାକୁ ଯାଇ ଚତୁର୍ଥ ବର୍ଷର କିଛି ଛାତ୍ର ମଧ୍ୟ ସେଥିରେ ସଂଶ୍ଲିଷ୍ଟ ହୋଇ ଯାଇଥିଲେ। ଏହି ଘଟଣାରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ୧୨ ଜଣ ଛାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ଛାତ୍ରମାନେ ଆଉ ମାତ୍ର ୬ ମାସ ପରେ ଡିଗ୍ରି ହାସଲ କରି ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଥାନ୍ତେ। କିନ୍ତୁ ଏହି କାର୍ଯ୍ୟାନୁଷ୍ଠାନ ଛାତ୍ରଙ୍କ ସହ ପରିବାରର ସ୍ୱପ୍ନକୁ ଧୂଳିସାତ କରି ଦେଇଛି। ପିଲାଙ୍କ କ୍ୟାରିୟର୍‌ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ସେମାନଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଂକା ରହିଛି। ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦଣ୍ଡ କୋହଳ କରିବାକୁ ଅଭିଭାବକମାନେ ଅନୁରୋଧ କରିଛନ୍ତି। ଯେହେତୁ ଗଣ୍ଡଗୋଳ ଛାତ୍ରାବାସରେ ହୋଇଥିଲା, ତେଣୁ ଦୋଷୀ ଛାତ୍ର ମାନଙ୍କୁ ଛାତ୍ରବାସରୁ ବହିଷ୍କାର କରାଯାଉ, ବିଶ୍ୱବିଦ୍ୟାଳୟରୁ ନୁହେଁ ବୋଲି ସେମାନେ ଅନୁରୋଧ କରିଛନ୍ତି।

ଏନେଇ ଭିସୁଟ କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କୁ ପଚାରିବାରୁ ସବୁ କିଛି ବିଚାରକୁ ନେଇ ଶୃଂଖଳା କମିଟି ଏହି କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେଇଛି। ଅଭିଭାବକମାନେ ଏହା ବୁଝିବା କଥା ଯେ ଯେଉଁ ଛାତ୍ରଙ୍କୁ ଅକ୍ରମଣ ହୋଇଥିଲା ତାଙ୍କ ଶରୀରରୁ ରକ୍ତସ୍ରାବ ହୋଇଥିଲା। ଏହି ଘଟଣା ପୁଲିସକୁ ହସ୍ତାନ୍ତର କରାଯିବା କଥା। କିନ୍ତୁ ଛାତ୍ରଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରି ଏହି ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର